ରାଜ୍ୟ

ରକ୍ତ ଚନ୍ଦନ ଗଛ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା କମାଇବାରେ ବ୍ୟସ୍ତ ମାଫିଆ, ସଫା କଲେଣି ଜଙ୍ଗଲ

ଦିନ ଥିଲା ରକ୍ତ ଚନ୍ଦନ ଗଛରେ ଭରପୁର ହୋଇ ରହିଥିଲା ଗଜପତି ଜିଲ୍ଲା । ଏତେ ମାତ୍ରାରେ ଗଛ ରହିଥିଲା ଯେ ଏହା ଏସିଆ ମହାଦେଶର ଏକମାତ୍ର ବୃହତ ରକ୍ତ ଚନ୍ଦନ ଜଙ୍ଗଲ ବୋଲି କୁହାଯାଉଥିଲା । ବର୍ତ୍ତମାନ କିନ୍ତୁ ଏହା ଲଣ୍ଡା ହୋଇଯାଇଛି । ଔଷଧୀୟ ଗୁଣରେ ଭରପୁର ରକ୍ତ ଚନ୍ଦନ ଗଛର ସ୍ବତନ୍ତ୍ର ବଣ ସୃଷ୍ଟି କରିବା ଦିଗରେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେ ବିଭିନ୍ନ ସ୍ଥାନରୁ ରକ୍ତ ଚନ୍ଦନ ଗଛ ସଂଗ୍ରହ କରି ପାରଳାଖେମୁଣ୍ଡି ନିକଟରେ ବଣ ସୃଷ୍ଟି କରିଥିଲେ । ସମୟ କ୍ରମେ ବନ ବିଭାଗ ଅଧିନକୁ ଆସିବା ପରେ ଏବେ ଏହା ପାରଳାଖେମୁଣ୍ଡି ବନଖଣ୍ଡ ଅଧିନସ୍ଥ ରହିଛି । ମହେନ୍ଦ୍ରଗିରି ଏବଂ ଦେବଗିରି ବନାଅଞ୍ଚଳ ଅଧିନରେ ଥିବା ଏହି ଗଛର ଚାହିଦା ଜଣାପଡିବା ପରେ ଦସ୍ୟୁମାନେ ଜଙ୍ଗଲ ସଫା କରିବା ଆରମ୍ଭ କରିଛନ୍ତି । ମହାରାଜା କେତେ ଗଛ ଲଗାଇଥିଲେ ତାହାର କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ, ତଥାପି ପ୍ରାୟ ୧୨ହଜାର ଗଛ ଲଗାଇ ବଣ ସୃଷ୍ଟି କରିଥିଲେ ବୋଲି କୁହାଯାଉଛି । ଏଥି ମଧ୍ୟରୁ ଏବେ ମାତ୍ର ୧୦୦୩ଟି ଗଛ ହିଁ ରହିଥିବା ବନ ବିଭାଗ ତଥ୍ୟରୁ ସ୍ପଷ୍ଟ ହୋଇଛି । ଯାହାର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି ଦିଗରେ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ରକ୍ତ ଚନ୍ଦନ ଦୁର୍ମୂଲ୍ୟ ତଥା ଔଷଧୀୟ ଗୁଣରେ ଭରପୁର । ଏହି ଗଛ ବାହାରେ ଲକ୍ଷାଧିକ ଟଙ୍କାରେ ବିକ୍ରି ହେଉଛି । ଏହାର ଔଷଧୀୟ ଗୁଣ ଜଣାପଡିବା ପରେ ଏହାର ଚାହିଦା ବୃଦ୍ଧି ପାଇଛି । କେବଳ ସେତିକି ନୁହେଁ, ଏହି କାଠରେ ବିଭିନ୍ନ ପ୍ରକାର କସମେଟିକ୍ସ ସାମଗ୍ରୀ ମଧ୍ୟ ପ୍ରସ୍ତୁତ ହେଉଛି । ତେଣୁ ଏହି କାଠର ବଜାର ମୂଲ୍ୟ ଅଧିକ ରହିଛି । ଏହାକୁ ବଜାରରେ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା କମାଇବାରେ ବ୍ୟସ୍ତ ମାଫିଆମାନେ । ତେଣୁ ଏହି ଜଙ୍ଗଲ ଦିନକୁ ଦିନ ସଫା ହେଉଥିବା ବୁଦ୍ଧିଜୀବିମାନେ କହିଛନ୍ତି ।

ପାରଳା ମହାରାଜାଙ୍କ ଦ୍ବାରା ସୃଷ୍ଟି ହୋଇଥିବା ଏହି ରକ୍ତ ଚନ୍ଦନ ବଣ ଭାରତ ସ୍ବାଧୀନତା ପରେ ଏହି ବଣ ସରକାରଙ୍କ ଅଧିନକୁ ଯାଇଥିଲା । ପୂର୍ବରୁ ଏହି ଗଛର ଆବଶ୍ୟକତା ସଂପର୍କରେ ଲୋକେ ଜାଣିନଥିଲେ । ତେଣୁ ଏହି ବଣର କୌଣସି କ୍ଷତି ହୋଇନଥିଲା । ୧୯୯୦ ବେଳକୁ ତସ୍କରୀ ଆରମ୍ଭ ହୋଇଥିଲା । ଗତ ୩୩ ବର୍ଷ ଧରି ଏହି ବଣରୁ ଗଛ ଚୋରି ହୋଇଚାଲିଛି । ଫଳରେ ଏବେ ଜଙ୍ଗଲରେ ହାତ ଗଣତି କିଛି ଗଛକୁ ଛାଡି ଦେଲେ ବାକି ସବୁ ଗଛ ଚୋରି ହୋଇଯାଇଛି । ଗଛ ନଷ୍ଟ ହୋଇଥିଲେ ମଧ୍ୟ ନୂତନ ଗଛ ଲଗାଯିବା ତ ଦୂରର କଥା ସୁରକ୍ଷା ମଧ୍ୟ ଯୋଗାଇ ଦିଆ ଯାଉନାହିଁ । ଏସଂପର୍କରେ ପାରଳାଖେମୁଣ୍ଡି ଡିଏଫଓ ଏସ.ଆନନ୍ଦଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ରକ୍ତ ଚନ୍ଦନ ବଣର ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଗଛଗୁଡିକୁ ନମ୍ବରିଂ କରାଯିବା ସହ ଏହାର ଜିପିଏସ ଟ୍ରାକ ମଧ୍ୟ କରାଯାଉଥିବା ଡିଏଫଓ କହିଛନ୍ତି ।

ଦକ୍ଷିଣ ଏସିଆର ଏହି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ କୋଟି କୋଟି ଟଙ୍କାର ଦୁର୍ଲଭ ଗଛ ରହିଥିବା ବେଳେ ସୁରକ୍ଷା ବ୍ୟବସ୍ଥା ଠିକ୍ ଭାବେ ନାହିଁ । ଯାହାର ସୁଯୋଗ ନେଇ ଚନ୍ଦନ ତସ୍କରମାନେ ଏହାକୁ ଲୁଟି ନେଉଛନ୍ତି । ଏପରିକି ବିଦେଶକୁ ଚାଲାଣ କରି କୋଟି କୋଟି ଟଙ୍କା ଆୟ ମଧ୍ୟ କରିଛନ୍ତି । ବଳକା ଥିବା ଗଛକୁ ସୁରକ୍ଷା ଦେବା ଏବଂ ନୂତନ ରକ୍ତ ଚନ୍ଦନ ବଣ ସୃଷ୍ଟି ପାଇଁ ସରକାରଙ୍କ ତରଫରୁ ସ୍ବତନ୍ତ୍ର ଯୋଜନା କରାଗଲେ ଏ ବଣ ସୁରକ୍ଷିତ ହୋଇ ରହିପାରିବ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button