ରାଜ୍ୟ

୮୦୦ ଫୁଟ ପାହାଡ ଉପରେ ରହିଛି “ମା ଉଖୁଡେଇ”ଙ୍କ ଶକ୍ତିପୀଠ, ଦର୍ଶନ ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ: ଆଠଶହ ଫୁଟ ପାହାଡ ଉପରେ ମା’ଙ୍କ ଶକ୍ତିପୀଠ । ପାହାଚ ଚଢି ଉପରକୁ ଯିବାପାଇଁ କଷ୍ଟ ହେଲେ ବି ମାଁ’ଙ୍କ ମହିମାରୁ ଭକ୍ତଙ୍କୁ କିଛି କଷ୍ଟ ଜଣାପଡ଼େ ନାହିଁ । ପିଲାଠୁ ବୟସ୍କ ସମସ୍ତେ ପହଞ୍ଚି ଯାଆନ୍ତି ମା’ଙ୍କ ପାଖରେ । ଶତାଧିକ ବର୍ଷର ଏହି ପୀଠ । ବର୍ଷର ସବୁଦିନ ବ୍ୟତୀତ ପ୍ରତ୍ୟେକ ସଂକ୍ରାନ୍ତିରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳେ । ଏ ହେଉଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ବଡପଡା ପଞ୍ଚାୟତ ଅନ୍ତର୍ଗତ “ମା ଉଖୁଡେଇ”ଙ୍କ ଶକ୍ତିପୀଠ ।

ଏହି ଶକ୍ତିପୀଠର ଅନେକ ମହିମା । ମା’ଙ୍କ ଉପରେ ଭକ୍ତଙ୍କ ଅଗାଢ ବିଶ୍ବାସ । ମା’ଙ୍କ ଆଶୀର୍ବାଦ ପାଇବା ପାଇଁ ଦୂର ଦୂରଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟେ । କାର୍ତ୍ତିକ ଏବଂ ଚୈତ୍ର ମାସ ତମାମ ମା’ଙ୍କ ପୀଠର ବଡ ପର୍ବ । ସ୍ଥାନୀୟ ଅଞ୍ଚଳବାସୀଙ୍କ ଆରାଧ୍ୟ୍ୟ ଦେବୀ “ମା ଉଖୁଡେଇ” । ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ ଏଠାରେ । ବିଶ୍ବାସ ରହିଛି ଭକ୍ତିର ସହ ମାଁଙ୍କୁ ପୂଜା କଲେ ମାନସିକ ପୁରଣ ହୋଇଥାଏ ।

ସ୍ଥାନୀୟ ଅଞ୍ଚଳବାସୀ ଏବଂ ଭକ୍ତଙ୍କ ଦାନରେ ଏହି ପାହାଡ ଉପରକୁ ପାହାଚ ନିର୍ମାଣ ହୋଇଛି । ପାହାଡ଼ ଉପରକୁ ପିଇବା ପାଣି ଏବଂ ଆଲୋକ ବ୍ୟବସ୍ଥା ହୋଇଛି । ଏହା ସହ ଏକ ମଣ୍ଡପ ମଧ୍ୟ ନିର୍ମାଣ ହୋଇଛି । ପ୍ରତ୍ୟେକ ସଂକ୍ରାନ୍ତିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଉଛି । ଭଂଜନଗର – ବ୍ରହ୍ମପୁର ମୁଖ୍ୟ ସଡ଼କ-ପଥର କଣ୍ଟେଇପଲ୍ଲୀ ନିକଟ ବଡପଡା ଗାଁକୁ ଯିବା ରାସ୍ତାର ଏକ କିଲୋମିଟର ଦୂରରେ ଅବସ୍ଥିତ ଉଖୁଡେଇ ପାହାଡ । ପାହାଡ଼ ଉପରେ ମା’ଙ୍କ ଆସ୍ଥାନ ।

ଏଠାରେ ରାସ୍ତାଘାଟର ସୁବିଧା ମଧ୍ୟ ରହିଛି । ସରକାରୀ ସହାୟତାକୁ ଅପେକ୍ଷା ନକରି, ଶ୍ରଦ୍ଧାଳୁଙ୍କ ଦାନ-ଅର୍ଥରେ ସମସ୍ତ ବ୍ୟବସ୍ଥା ହୋଇଛି । ତଥାପି ଏହି ଶକ୍ତିପୀଠର ଆହୁରି ଉନ୍ନତି ହେବାର ଆବଶ୍ୟକ ରହିଛି ବୋଲି, ମନ୍ଦିର ପରିଚାଳନା କମିଟି ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ମତ ରଖିଛନ୍ତି । ଅନେକ ପୌରାଣିକ କିମ୍ବଦନ୍ତୀ ଯୋଡ଼ି ହୋଇ ରହିଛି ଏହି ସ୍ଥାନ ସହିତ । ମାନ୍ୟତା ରହିଛି ଶ୍ରଦ୍ଧାର ସହ ମା’ଙ୍କ ପୂଜାର୍ଚନା କରିଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୁଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button