ମହାନଦୀ ଜଳ ବିବାଦକୁ ନେଇ ଜଳମାନବଙ୍କ ଆହ୍ବାନ: ‘ଟ୍ରିପଲ୍ ଇଞ୍ଜିନ୍ ସରକାର ଏକାଠି ବସୁ’
ଭୁବନେଶ୍ୱର: ଅକ୍ଟୋବରରୁ ମହାନଦୀ ଶୁଖିବା ଆରମ୍ଭ ହେଲାଣି। ଏବେ ହୀରାକୁଦରେ ଯେତିକି ପାଣି ରହିବା କଥା ତା’ଠାରୁ ଯଥେଷ୍ଟ କମ୍ ରହିଛି। ଆଗକୁ ପରିସ୍ଥିତି ଆହୁରି ଭୟଙ୍କର ରୂପ ଧାରଣ କରିବାକୁ ଯାଉଥିବା ଏବେଠାରୁ ଜଳଜଳ ହୋଇ ଦେଖାଯାଉଛି। ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଟଣାଓଟରା ପାଇଁ ବିବାଦ ଦୂର ହେଉ ନ ଥିଲା। ମାତ୍ର ୭ ମାସ ହେଲା ଟ୍ରିପଲ୍ ଇଞ୍ଜିନ୍ ସରକାର ରହିଥିଲେ ମଧ୍ୟ ଏଦିଗରେ କାଣିଚାଏ ପଦକ୍ଷେପ ନିଆଯାଇ ନାହିଁ। ବଲାଙ୍ଗୀରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ମହାନଦୀ ଜଳ ବିବାଦ ନେଇ ଦୁଇଥର ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ମାତ୍ର କ’ଣ ଆଶ୍ବାସନା ମିଳିଛି ସେନେଇ ମୁହଁ ଖୋଲୁନାହାନ୍ତି। ଓଡ଼ିଶାବାସୀ ଏସମ୍ପର୍କରେ ଜାଣିବାର ଅଧିକାର ରହିଛି ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନର ରାଷ୍ଟ୍ରୀୟ ଉପଦେଷ୍ଟା ତଥା ଜଳମାନବ ରାଜେନ୍ଦ୍ର ସିଂହ କହିଛନ୍ତି।
ଓଡ଼ିଶା ଗସ୍ତ ଅବସରରେ ଭୁବନେଶ୍ବରରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ କହିଛନ୍ତି ଯେ ଏବେ କେନ୍ଦ୍ର ସମେତ ଓଡ଼ିଶା ଓ ଛତିଶଗଡ଼ରେ ସମାନ ବିଚାରଧାରାର ସରକାର ଚାଲିଛି। ତେଣୁ ମହାନଦୀ ଜଳ ବିବାଦ ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ଖୋଲିଛି। ଟ୍ରିପଲ ଇଞ୍ଜିନ ସରକାର ଏକାଠି ବସି ଓଡ଼ିଶାବାସୀ ଓ ମହାନଦୀକୁ ନ୍ୟାୟ ଦିଅନ୍ତୁ। ଦେଶର ଇତିହାସକୁ ଦେଖିଲେ କୌଣସି ନଦୀର ଜଳ ବିବାଦ ଟ୍ରିବ୍ୟୁନାଲ ଦ୍ବାରା ସମାଧାନ ହୋଇପାରି ନାହିଁ। କାବେରୀ ନଦୀ ଜଳ ବିବାଦ ଟ୍ରିବୁନାଲ ଜ୍ୱଳନ୍ତ ଉଦାହରଣ। କାବେରୀ ରାସ୍ତାରେ ମହାନଦୀ ଜଳ ବିବାଦକୁ ନ ନେବାକୁ ସେ ଓଡ଼ିଶା ସରକାର, ରାଜନୈତିକ ଦଳ ଓ ସାମାଜିକ ଅନୁଷ୍ଠାନଙ୍କୁ ନିବେଦନ କରିଛନ୍ତି।
ଟ୍ରିବ୍ୟୁନାଲ ଦ୍ବାରା ବିବାଦର ସମାଧାନ ହୋଇପାରିବନି
ଜାନୁଆରିରେ ରାଜ୍ୟ, ଫେବ୍ରୁଆରିରେ ଦିଲ୍ଲୀରେ ସମ୍ମିଳନୀ
ଆହୁରି କହିଛନ୍ତି ଯେ ଏବେ ସମୟ ଆସିଛି ଓଡ଼ିଶା ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ। ପ୍ରଥମେ ନିଜ ରାଜ୍ୟରେ ଏକ ନଦୀ ନୀତି ଆଣନ୍ତୁ। ରାଜ୍ୟ ଭିତରେ ନଦୀର ସୁରକ୍ଷା ଓ ପ୍ରାକୃତିକ, ନିର୍ମଳ, ନିରନ୍ତର ପ୍ରବାହ ପାଇଁ ଦୃଢ଼ ନିଷ୍ପତ୍ତି ନିଅନ୍ତୁ। ନଦୀର ସୁରକ୍ଷା ପାଇଁ ତିକ୍ରମଣ, ପ୍ରଦୂଷଣ ଓ ପ୍ରବାହମାନ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ। ନଦୀର ଅବବାହିକାରେ ଜବରଦଖଲ ହଟାଇବା, ଜଳର ପ୍ରଦୂଷଣ ବନ୍ଦ ଓ ନଦୀର ନିର୍ମଳ ପ୍ରବାହକୁ ସୁରକ୍ଷା ଉପରେ ରାଜ୍ୟ ସରକାରଙ୍କ ପ୍ରାଥମିକତା ହେବା ଉଚିତ। ଏହା ଉପରେ ବିଚାରବିମର୍ଶ କରିବାକୁ ଦିଲ୍ଲୀରେ ଏକ ଦୁଇଦିନିଆ ସମ୍ମିଳନୀ ଆୟୋଜନ କରିବାର ଦାୟିତ୍ୱ ନେବେ ବୋଲି ସେ ଏହି ଅବସରରେ ଘୋଷଣା କରିଛନ୍ତି। ଆଗକୁ ପ୍ରୟାଗରାଜରେ ମହାକୁମ୍ଭ ମେଳା ଅନୁଷ୍ଠିତ ହେବାକୁ ଯାଉଥିବାରୁ ଗଙ୍ଗା ନଦୀ କୂଳରେ ମହାନଦୀ ଉପରେ ଆଲୋଚନା କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣକୁ ସେ ଆହ୍ବାନ ଦେଇଥିଲେ।
ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଯୋଗଦେଇ କହିଲେ ଜାନୁଆରି ମାସରେ ମହାନଦୀ ସମସ୍ୟାକୁ ନେଇ ରାଜ୍ୟସ୍ତରୀୟ ଏବଂ ଫେବ୍ରୁଆରିରେ ଜାତୀୟସ୍ତରୀୟ ସମ୍ମିଳନୀ ଆୟୋଜିତ ହେବ। ମହାନଦୀ ବଞ୍ଚାଅ ଆନ୍ଦୋଳନକୁ ପୁଣିଥରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ନେବାକୁ ପ୍ରୟାସ କରାଯିବ। ମହାନଦୀ ସହିତ ଓଡ଼ିଶାର ଅନ୍ୟ ନଦୀଗୁଡ଼ିକରେ ଦେଖାଦେଇଥିବା ସମସ୍ୟାକୁ ନେଇ ବ୍ୟାପକ ଜନଆନ୍ଦୋଳନ ଗଢି ତୋଳିବାକୁ ପ୍ରୟାସ କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ବିନାୟକ ରଥ, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ରେଭେନ୍ସା ବିଶ୍ବବିଦ୍ୟାଳୟର ପୂର୍ବତନ ସଭାପତି ଅଜୟ ମିଶ୍ର, ମହାନଦୀ ବଞ୍ଚାଅ ଆନ୍ଦୋଳନ ମୁଖପାତ୍ର ପ୍ରସନ୍ନ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।