‘ବିଶ୍ବ’ ଦପ୍ତରରେ ଦ୍ବିତୀୟ ଦିନ ଇଡି ଚଢ଼ଉ
ସମ୍ବଲପୁର: ବିଜେଡି ମୁଖ୍ୟ ସଚେତକ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଭାଇ ସ୍ବର୍ଗତ କ୍ଷୀରୋଦ ମଲ୍ଲିକଙ୍କ ସଂସ୍ଥା ‘ବିଶ୍ବ’ରେ ଆଜି ଦ୍ବିତୀୟ ଦିନ ବି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଚଢ଼ଉ ଜାରି ରହିଛି। ଆଜି କେବଳ ଗୋଟିଏ ଜାଗା ସମ୍ବଲପୁର ସହର ଗୋପାଳମାଲ ଦାନୀପାଲିରେ ଥିବା ‘ବିଶ୍ବ’ର ମୁଖ୍ୟ ଦପ୍ତରରେ ଚଢ଼ଉ ହୋଇଥିଲା। ଏକଦା ହଜାରେ କୋଟି ଉପରେ ବ୍ୟବସାୟ କରୁଥିବା ‘ବିଶ୍ବ’ ଦେବାଳିଆ ସ୍ଥିତିକୁ ଆସିବା ସହ କିଛି ବର୍ଷ ତଳେ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଯେଉଁ ସଂସ୍ଥାରେ ହଜାର ହଜାର କର୍ମଚାରୀ କାମ କରୁଥିଲେ ସେହି ସଂସ୍ଥାର ଅଧ୍ୟକ୍ଷ କ୍ଷୀରୋଦ ମଲ୍ଲିକଙ୍କ ଶେଷ ଜୀବନ ଏକପ୍ରକାର ଦୟନୀୟ ହୋଇଯାଇଥିଲା। କିଛି ମାସ ତଳେ ତାଙ୍କର ପରଲୋକ ଘଟିଛି।
ଏବେ ଅଚାନକ ଏହି ସଂସ୍ଥା ବିରୋଧରେ ପ୍ରାୟ ୨୩୧.୮୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲା ସାମ୍ନାକୁ ଆସିଛି। ଗତକାଲି ରାଜଧାନୀ ଦିଲ୍ଲୀରେ ଗୋଟିଏ ଜାଗା ସହିତ ସମ୍ବଲପୁରର ବିଭିନ୍ନ ସ୍ଥାନରେ ଚଢ଼ଉ ହୋଇଥିଲା। ‘ବିଶ୍ବ’ ଆମେରିକାର ଗୋଟିଏ, ନେଦରଲାଣ୍ଡ୍ସର ୨ଟି ସଂସ୍ଥା ସହିତ ଭାରତର ବିଭିନ୍ନ ଜାତୀୟକରଣ ବ୍ୟାଙ୍କ ଏବଂ ଘରୋଇ ବ୍ୟାଙ୍କ ସର୍ବମୋଟ ୨୮ଟି ସଂସ୍ଥାଠାରୁ ୨୩୧.୮୦ କୋଟି ଟଙ୍କା ଋଣ ନେଇ ପରିଶୋଧ କରିନଥିବା ଅଭିଯୋଗ ହୋଇଛି। କିଛି ବର୍ଷ ପୂର୍ବରୁ ମୁ୍ମ୍ବାର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ମଧ୍ୟ ଏଭଳି ଚଢ଼ଉ ହୋଇଥିଲା।