କଣ୍ଟାବାଞ୍ଜିରେ କପାର ଅଭାବୀ ବିକ୍ରି

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ କପାର ଅଭାବୀ ବିକ୍ରି ଲାଗିରହିଛି। ତୁରେକେଲା ଅଞ୍ଚଳରେ ଚଳିତବର୍ଷ ପ୍ରଚୁର କପା ଚାଷ ହୋଇଛି। ଚାଷୀ ଭଲ ଅମଳ ପାଇଁ ଆଶାବାଦୀ। ସରକାରୀ ହିସାବରେ, ଚଳିତବର୍ଷ ତୁରେକେଲା ବ୍ଲକ୍ର ୧୯ଟି ପଞ୍ଚାୟତରେ ୯୧୧୨ ହେକ୍ଟର କପା ଚାଷ ହୋଇଛି। ଚାଷୀଙ୍କ ହିତ ପାଇଁ ସରକାରୀ ଭାବେ କଣ୍ଟାବାଞ୍ଜି ମାର୍କେଟ୍ ୟାର୍ଡରେ ମଣ୍ଡି ଖୋଲାଯାଇଛି। ସ୍ଥାନୀୟ ଆର୍ଏମ୍ସିଠାରେ ସିସିଆଇ (କଟନ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ) ଚାଷୀଙ୍କଠାରୁ ସରକାରୀ ଦରରେ କପା କିଣିବ ବୋଲି ଧାର୍ଯ୍ୟ ହୋଇଛି। ହେଲେ ଚାଷୀ କପା ବିକ୍ରି କରିବା ଭିତରେ ସ୍ଥାନୀୟ ଦଲାଲମାନେ ଗାଁ ଓ ବିଭିନ୍ନ ଛକରେ କପା କିଣୁଥିବା ଦେଖିବାକୁ ମିଳିଛି।
ଚାଷୀଙ୍କଠାରୁ ଦଲାଲ୍ କ୍ୱିଣ୍ଟାଲ ପିଛା ୫ରୁ ୬ ହଜାର ଟଙ୍କାରେ କପା କିଣି ନେଉଛି। ସରକାରୀ ଭାବେ କିନ୍ତୁ କପାର ମାନ ଅନୁସାରେ ଦର ୪ଟି ସ୍ତରରେ କ୍ୱିଣ୍ଟାଲ୍ ପ୍ରତି ୭,୫୨୧ରୁ ୭,୨୨୦ ଟଙ୍କା ରହିଛି। ତେଣୁ କପା ମଣ୍ଡି ବିଧିବଦ୍ଧ ଭାବେ ଖୋଲା ଯାଇଥିଲେ ହେଁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ବର୍ତ୍ତମାନ ଆର୍ଏମ୍ସିଠାରେ ସିସିଆଇ କପା କିଣୁ ନ ଥିବା ବେଳେ ସ୍ଥାନୀୟ ଦୁଇଟି କପା ମିଲ୍ରେ ସବ୍ୟାର୍ଡ ଖୋଲାଯାଇଛି। କଣ୍ଟାବାଞ୍ଜିର ଜୟଦୁର୍ଗା କପା ମିଲ୍ ଓ ଆଲିସାନ କପା ମିଲ୍ଠାରେ ସିସିଆଇ କପା ସଂଗ୍ରହ କରୁଥିବା ଜଣାପଡ଼ିଛି। କିନ୍ତୁ ସରକାରୀ ବ୍ୟବସ୍ଥାକୁ ଅଣଦେଖା କରି ଦଲାଲ୍ ଚାଷୀଙ୍କଠାରୁ ସ୍ବଳ୍ପ ଦରରେ କପା କିଣୁଛନ୍ତି। ଏପରିକି ନକଲି ଚାଷୀ ସାଜି ସରକାରୀ ଦରରେ କିଣିଥିବା କପାକୁ ସିସିଆଇଠାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି।