ସମସ୍ତଙ୍କୁ ହସାଉଥିବା ବ୍ୟକ୍ତି, ଶେଷ ଜୀବନରେ କାନ୍ଦିବା ଅଭିଶାପ ସଦୃଶ: କଳାକାର ହସିଲେ ଓଡ଼ିଶା ହସିବ
ଭୁବନେଶ୍ୱର: ଜୀବନସାରା ସମସ୍ତଙ୍କୁ ହସାଉଥିବା ବ୍ୟକ୍ତି ଯଦି ଶେଷ ଜୀବନରେ କାନ୍ଦେ ତେବେ ତାହା ଅଭିଶାପ ସଦୃଶ। ଏଭଳି ଜଣେ କଳାକାର ନିଜ ଶେଷ ଜୀବନ ଯେଭଳି ହସି ହସି କାଟିବ ଏଥିପାଇଁ ଆମେ ସମସ୍ତେ ସଂକଳ୍ପବଦ୍ଧ ହେବା ଆବଶ୍ୟକ। ସରକାର କଳାକାରଙ୍କ ପାଇଁ ବହୁତ କିଛି କରୁଛନ୍ତି। କଳାକାରଙ୍କ ପାଇଁ ଭତ୍ତାର ବ୍ୟବସ୍ଥା ମଧ୍ୟ ରହିଛି। ହେଲେ ସେଥିରେ ବି ରାଜନୀତି ହେବାରୁ କିଛି କଳାକାର ଭତ୍ତାରୁ ବଞ୍ଚିତ ହୋଇ ଯାଉଛନ୍ତି। ମୁଁ ଏହି ମଞ୍ଚ ମାଧ୍ୟମରେ ସରକାରଙ୍କୁ ନିବେଦନ କରିବି ଯେ ଯେଉଁ କଳାକାରମାନେ ଭତ୍ତା ପାଇ ପାରୁନାହାନ୍ତି ସରକାର ବେସରକାରୀ ସଂସ୍ଥାଗୁଡ଼ିକର ସାହାଯ୍ୟ ନେଇ ସେମାନଙ୍କୁ ପ୍ରଦାନ କରନ୍ତୁ। କଳାକାର ହସିଲେ ସାରା ଓଡ଼ିଶା ହସିବ ବୋଲି କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ। ହରିଭାଇ କମେଡି କ୍ଲବ ପକ୍ଷରୁ ଜୟଦେବ ଭବନ ପରିସରରେ ଅନୁଷ୍ଠିତ କମେଡି ସୋ ଓ ସମ୍ୱର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆସନ୍ତା ପାଞ୍ଚଟି କାର୍ଯ୍ୟକ୍ରମ ପାଇଁ ସହାୟତା କରିବେ ବୋଲି ସେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।
କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ହରିହର ମହାପାତ୍ର ଓ ସମ୍ପାଦିକା ମନୋଲିସା ମହାପାତ୍ରଙ୍କ ସହ ଅନ୍ୟାନ୍ୟ ଅତିଥି ଭାବେ ବରିଷ୍ଠ ସାମ୍ୱାଦିକ ପ୍ରଦୋଷ ପଟ୍ଟନାୟକ, ଭୂମିକା ଆଇ ହସ୍ପିଟାଲର ଚେୟାରମ୍ୟାନ ଭୀଷ୍ମ ପ୍ରସାଦ ରଥ, ଡିସିବି ବ୍ୟାଙ୍କର ଜୋନାଲ ମୁଖ୍ୟ ଦୁର୍ଗା ପ୍ରସାଦ ରଥ, ମେଟ୍ରୋ ଗ୍ରୁପର ଅଧ୍ୟକ୍ଷ ପୀୟୁଷ ମହାନ୍ତି, ଶିଳ୍ପପତି ସୁନିଲ ମାର୍କେ ପ୍ରମୁଖ ଯୋଗଦେଇ କଳାକାରଙ୍କୁ ସହଯୋଗ ଓ ପ୍ରୋତ୍ସାହିତ କରିବା ପାଇଁ ଏଭଳି ଉଚ୍ଚକୋଟୀର କାର୍ଯ୍ୟକ୍ରମ କରିଥିବାରୁ ହରିଭାଇ କମେଡି କ୍ଲବକୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଯାତ୍ରା ଓ ରଙ୍ଗମଞ୍ଚର କଳାକାର ବାସନ୍ତୀ ପଟ୍ଟନାୟକ ଓ ପଦ୍ମନାଭ ପଣ୍ଡାଙ୍କୁ ସମ୍ୱର୍ଦ୍ଧିତ କରାଯିବା ସହିତ ମାସିକ ୧୦୦୦ଟଙ୍କା ପେନସନ ପ୍ରଦାନ କରାଯିବ ବୋଲି ଘୋଷଣା ହୋଇଥିଲା। କ୍ଲବ ପକ୍ଷରୁ ଏକ ନାଟକ ମଞ୍ଚସ୍ଥ ହୋଇଥିଲା।