ରାଜ୍ୟ

ଆଜିଠୁ କମିପାରେ ଥଣ୍ଡା, କାଁଭାଁ ବର୍ଷା: ୧୦ଂ ତଳେ ୧୫ ସହର

ଭୁବନେଶ୍ବର: ସାରା ରାଜ୍ୟରେ ଶୀତ ପ୍ରବାହ ଜାରି ରହିଛି। ଉପକୂଳରୁ ଉପାନ୍ତ ହେଉ ଅଥବା ଉତ୍ତରରୁ ଦକ୍ଷିଣ ଓଡ଼ିଶା, ସବୁଠି ରାତିର ପାରଦ ତଳମୁହାଁ। ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହୁଥିବାରୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଏଥିସହ ଚଳିତବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଘୁ.ଉଦୟଗିରିରେ ୪.୮ ଡିଗ୍ରି ରେକର୍ଡ ହୋଇଛି। ରାଜ୍ୟର ୧୫ଟି ପାଣିପାଗ ଷ୍ଟେସନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରିରୁ କମ୍‌ ରହିଥିଲା। କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାରେ ୫.୩, ରାଉରକେଲାରେ ୫.୭, ଫୁଲବାଣୀରେ ୭, ଝାରସୁଗୁଡାରେ ୭.୧, ଦାରିଙ୍ଗବାଡ଼ିରେ ୭.୫, ଭବାନୀପାଟଣାରେ ୭.୮, ଅନୁଗୁଳରେ ୮, ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ୮.୩, ସମ୍ବଲପୁର ଜିଲ୍ଲାର ଚିପିଲିମାରେ ୮.୪, କେନ୍ଦୁଝରରେ ୮.୮, ସୁନ୍ଦରଗଡ଼ରେ ୯, ଜଗତ୍‌ସିଂହପୁରରେ ୯.୫, ଢେଙ୍କାନାଳ ଓ କୋରାପୁଟରେ ୯.୬ ଡିଗ୍ରି ଲେଖାଏଁ ରହିଥିଲା। ଭୁବନେଶ୍ବରରେ ୧୦.୯ ଡିଗ୍ରି ଓ କଟକରେ ୧୧ ଡିଗ୍ରି ରହିଥିଲା। ସୋମବାର ସନ୍ଧ୍ୟାଠାରୁ ସମାନ ସ୍ଥିତି ଲାଗିରହିଛି। ୧୭ ତାରିଖଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ। ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଜାରି ରହିଥିବା ଥଣ୍ଡାକୁ ନଜରରେ ରଖି ମଙ୍ଗଳବାର ପର୍ଯ୍ୟନ୍ତ ଝାରସୁଗୁଡ଼ା, ଅନୁଗୁଳ, ଜଗତ୍‌ସିଂହପୁର ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ କୋରାପୁଟ ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ହେବାକୁ ଥିବାରୁ ଚେତାବନୀ ଦିଆଯାଇଛି। ସୋମବାରଠାରୁ ୩ରୁ ୫ ଡିଗ୍ରି ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି। ଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି। ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବାକୁ ନ ଥିଲେ ମଧ୍ୟ ୧୭ ତାରିଖଠାରୁ ମେଘୁଆ ପାଗ ସହ କେ‌ତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ୧୭ ଓ ୧୮ ତାରିଖରେ ଗଜପତି, ଗଞ୍ଜାମ ଜିଲ୍ଲା ଏବଂ ୧୯ ତାରିଖରେ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଗଞ୍ଜାମ, ଗଜପତି, ରାୟଗଡା ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାର କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଦ୍ବାରା ୧୯ ଓ ୨୦ ତାରିଖରେ ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିବ। ସ୍ଥାନେ ସ୍ଥାନେ ହାଲୁକା ବର୍ଷା ହୋଇପାରେ। ତେବେ ୧୭ ତାରିଖ ରାତିରୁ ରାଜ୍ୟର ସମସ୍ତ ଅଞ୍ଚଳରେ ତାପମାତ୍ରା ବଢ଼ିବ। ତିନି ଦିନ ମଧ୍ୟରେ ପ୍ରାୟ ୪ରୁ ୬ ଡିଗ୍ରି ବଢ଼ିବାକୁ ଥିବାରୁ ଶୀତ କମିବ। ୨୧ ତାରିଖଠାରୁ ସର୍ବନିମ୍ନ ତାପମାତ୍ରା ପୁଣି କମିବ। ଭୁବନେଶ୍ବର ସମେତ ଉପକୂଳରେ ୧୭ ତାରିଖ ରାତିରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିବାକୁ ଥିବା ବେଳେ ୧୮ ରାତିରେ ଆଉ ୩ ଡିଗ୍ରି ବୃଦ୍ଧି ପାଇବ। ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ ୧୭ ତାରିଖ ରାତିରେ ତାପମାତ୍ରା ଦୁଇ ଡିଗ୍ରି ବଢ଼ିବ, ୧୯ ତାରିଖ ରାତିରେ ଆଉ ଦୁଇ ଡିଗ୍ରି ଏବଂ ୨୦ ତାରିଖ ରାତିରେ ଗୋଟିଏ ଡିଗ୍ରି ବଢ଼ିବା ହେତୁ ଶୀତ କମିବ। ତେବେ ୨୧ ତାରିଖ ରାତିରେ ୨ରୁ ୩ ଡିଗ୍ରି କମିବାର ସମ୍ଭାବନା ଥିବାରୁ ପୁଣି ଶୀତ ଲେଉଟିବ। କୁହୁଡ଼ିର ସମ୍ଭାବନା ରହିଛି। ଉତ୍ତର ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ୧୭ରୁ ୨୦ ତାରିଖ ମଧ୍ୟରେ ରାତିର ତାପମାତ୍ରା ଦୁଇ ଡିଗ୍ରି ବଢ଼ିବା ହେତୁ ଶୀତ କମିବ ବୋଲି ସେ କହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button