ଅଷ୍ଟଧାତୁ କନକଦୁର୍ଗାଙ୍କ ସହ ୯ ମୂର୍ତ୍ତି ଚୋରି: ବଢ଼ିଚାଲିଛି ମନ୍ଦିର ଚୋରି, ତଦନ୍ତ ଫଳ ଶୂନ
କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲାର ବିଭିନ୍ନ ମନ୍ଦିରକୁ ଚୋର ଗ୍ୟାଙ୍ଗ୍ ଏବେ ଲଗାତାର ଭାବେ ଟାର୍ଗେଟ୍ କରିଆସୁଛନ୍ତି। ମା’ ତାରାତାରିଣୀଙ୍କ ମନ୍ଦିରରୁ ଚୋରି ଘଟଣା ମନରୁ ନଯାଉଣୁ ଗତ କିଛିଦିନ ମଧ୍ୟରେ ଜିଲ୍ଲାର ଅନେକ ପ୍ରମୁଖ ଦେବଦେବୀ ପୀଠରେ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି। ଆଉ ଏହି ତାଲିକାରେ ଏବେ ଯୋଡ଼ି ହୋଇଛି, କବିସୂର୍ଯ୍ୟନଗର ଉପକଣ୍ଠ ଆଠଗଡ଼ପାଟଣାରେ ଥିବା ପୁରାତନ ମା’କନକଦୁର୍ଗା ମନ୍ଦିର। ଦୁର୍ବୃତ୍ତମାନେ ଗତକାଲି ବିଳମ୍ବିତ ରାତିରେ ମନ୍ଦିର ଭିତରେ ପଶି ଆବହମାନ କାଳରୁ ପୂଜା ପାଇ ଆସୁଥିବା ମା’ କନକଦୁର୍ଗାଙ୍କ ଅଷ୍ଟଧାତୁ ମୂର୍ତ୍ତି ସମେତ ମୋଟ ୯ଟି ମୂର୍ତ୍ତି ଚୋରି କରି ନେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏନେଇ କବିସୂର୍ଯ୍ୟନଗର ଥାନାରେ ଏକ ଏତଲା ଦିଆଯିବା ପରେ ପୁଲିସ ତଦନ୍ତକୁ ତ୍ବରାନ୍ବିତ କରିଛି।
ଆଠଗଡ଼ପାଟଣା ମନ୍ଦିରରେ କଳାକନା ବୁଲାଇଲେ
ବଢ଼ିଚାଲିଛି ମନ୍ଦିର ଚୋରି, ତଦନ୍ତ ଫଳ ଶୂନ
ସବୁଦିନ ଭଳି ଗତକାଲି ବି ପୂଜାରୀ ସନ୍ଧ୍ୟାରେ ମନ୍ଦିରରେ ତାଲା ପକାଇ ଘରକୁ ପଳାଇଥିଲେ। ରାତିରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ପଶିବା ପରେ ଗର୍ଭଗୃହରେ ବିରାଜିତ ମା’ଙ୍କ ଅଷ୍ଟଧାତୁ ମୂର୍ତ୍ତି ଏବଂ ଅନ୍ୟ ପାର୍ଶ୍ବ ଦେବଦେବୀଙ୍କ ମୂଲ୍ୟବାନ ପଥର ମୂର୍ତ୍ତି ନେଇଯାଇଥିଲେ। ଆଜି ସକାଳେ ପୂଜାରୀ ପହଞ୍ଚିବା ପରେ ଏହା ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଅନ୍ୟପକ୍ଷରେ ଆଜି ସଂକ୍ରାନ୍ତି ହେତୁ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। କିନ୍ତୁ ବିନା ଦର୍ଶନରେ ଭକ୍ତ ନିରାଶ ହୋଇ ଫେରିଥିଲେ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି ହୋଇଛି।