ରାଜ୍ୟ

ରାଉରକେଲାରୁ ୨ ବନ୍ଧୁକ ବେପାରୀ ଗିରଫ: ଜବତ କାର୍‌ରୁ ମିଳିଲା ଗୁଳିଭର୍ତ୍ତି ପିସ୍ତଲ, ୩ ସ୍ମାର୍ଟଫୋନ୍

ରାଉରକେଲା: ସ୍ମାର୍ଟସିଟି ରାଉରକେଲାରେ ଦିନକୁ ଦିନ ଅପରାଧ ବଢ଼ିଚାଲିଛି। ନିୟମିତ ବ୍ୟବଧାନରେ ଏଠାରେ ଚୋରି, ଡକାୟତି, ହତ୍ୟା ଭଳି ଅପରାଧ ଘଟୁଥିବାବେଳେ ଏବେ ସହରର ବିଭିନ୍ନ ସ୍ଥାନରେ ବନ୍ଧୁକ କାରବାର ମଧ୍ୟ ଚାଲିଲାଣି। ଏଭଳି ଏକ ଯୋଜନା ଚାଲିଥିବାବେଳେ ସେକ୍ଟର୍‌-୩ ପୁଲିସ ୨ ଜଣଙ୍କୁ କାବୁ କରିଛି। ଅଭିଯୁକ୍ତମାନେ ହେଲେ ସେକ୍ଟର-୬ ଅଞ୍ଚଳର ବିକି ଚୌଧୁରୀ(୨୪) ଏବଂ ସୁମିତ ରଞ୍ଜନ ରାଉତ(୨୩)। ସେମାନଙ୍କଠାରୁ ଗୋଟିଏ ଗୁଳି ଭର୍ତ୍ତି ଦେଶୀ ପିସ୍ତଲ ସହ ୩ଟି ସ୍ମାର୍ଟଫୋନ୍‌ ଏବଂ ଏକ ବାଦାମୀ ରଙ୍ଗର ୱାଗନର୍‌ କାର୍‌ (ଓଡି-୧୪ଏକ୍ସ-୧୮୭୨) ଜବତ ହୋଇଛି। ଏ ନେଇ ସୋମବାର ସେକ୍ଟର-୩ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜୋନ୍‌-୧ ଡିଏସ୍‌ପି ପୁଷ୍ପାଞ୍ଜଳି ନିଙ୍ଗୀ ଏବଂ ଥାନା ଅଧିକାରୀ ପ୍ରତିଭା ମଞ୍ଜରୀ ସାହୁ ସୂଚନା ଦେଇଛନ୍ତି।

ପୁଲିସ ସୂଚନାନୁଯାୟୀ, ରବିବାର ସନ୍ଧ୍ୟାରେ ସେକ୍ଟର-୩ ଥାନା ଅଞ୍ଚଳରେ ପୁଲିସ ପାଟ୍ରୋଲିଂ କରୁଥିଲା। କିଛି ଦୁର୍ବୃତ୍ତ ଏକ ବାଦାମୀ ରଙ୍ଗର କାର୍‌ରେ ମାରଣାସ୍ତ୍ର ଧରି ସେକ୍ଟର-୬ରୁ ସେକ୍ଟର-୨ ଆଡ଼କୁ ଯାଇଥିବା ପୁଲିସକୁ ଖବର ମିଳିଥିଲା। ରାତି ପ୍ରାୟ ୯ଟା ୧୫ରେ ପୁଲିସ ସେକ୍ଟର-୪ ଚିପ୍‌ ଟାଇପ୍‌ ମାର୍କେଟ୍‌ ନିକଟସ୍ଥ ହନୁମାନ ମନ୍ଦିର ନିକଟରେ ଉକ୍ତ କାର୍‌କୁ ଠାବ କରିଥିଲା। କାର୍‌ ଖାନ୍‌ତଲାସି ବେଳେ ୨ ଜଣ ଯୁବକଙ୍କ ସହ ଗୋଟିଏ ଦେଶୀ ପିସ୍ତଲକୁ ଜବତ କରିଥିଲା ପୁଲିସ। ପିସ୍ତଲ କେଉଁଠୁ ଓ କେମିତି ଆଣିଲ ବୋଲି ପଚରାଯିବାରୁ ଉଭୟ ସେ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ସେମାନଙ୍କୁ ଥାନାକୁ ଆଣି ଅଧିକ ପଚରାଉଚରା କରିବାରୁ ଜଣାପଡ଼ିଲା ଯେ ବିକି ଚୌଧୁରୀ ଉକ୍ତ ପିସ୍ତଲ ନିଜ ଭିଣୋଇ ଆକାଶ ପ୍ରଧାନଙ୍କଠାରୁ ମାସେ ପୂର୍ବରୁ ଆଣିଥିଲା। ପିସ୍ତଲର ଲାଇସେନ୍ସ ନଥିବାରୁ ପୁଲିସ ଦୁହିଁଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ, ବିକି ଚୌଧୁରୀର ଭିଣୋଇ ଆକାଶ ପ୍ରଧାନ ଜଣେ ହତ୍ୟା ଅପରାଧୀ। ସେ ୨୦୨୧ ମସିହା ଅକ୍ଟୋବର ୧୫ ତାରିଖରେ ସେକ୍ଟର-୭ ଥାନା ଅଞ୍ଚଳରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ ଯାଇଥିଲା। ଉକ୍ତ ହତ୍ୟା ଘଟଣାରେ ତା’ସହ ଆଉ ୨ ଜଣ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଅଭିଯୁକ୍ତ ଆକାଶ ପରେ ଜାମିନ୍‌ରେ ଆସି ଆପରାଧିକ କାର୍ଯ୍ୟକଳାପ ଜାରି ରଖିଛି। ସହରରୁ ଫେରାର ଥିବା ହତ୍ୟା ଅଭିଯୁକ୍ତ ଆକାଶ ପ୍ରଧାନ ଅନେକ ସମୟରେ ଲୁଚିଲୁଚି ରାଉରକେଲା ଆସି ନିଜ ଶଳା ବିକିକୁ ପିସ୍ତଲ ବିକ୍ରି କରିବାକୁ ଦେଇଥିଲା। ତାକୁ ଧରିବାକୁ ପୁଲିସ ଉଦ୍ୟମ ଜାରି ରଖିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button