ରାଜ୍ୟ

ମହାକୁମ୍ଭରେ ଅଗ୍ନିକାଣ୍ଡ: ସିଲିଣ୍ଡର୍‌ ବିସ୍ଫୋରଣ ପରେ ଜଳିଗଲା ଶତାଧିକ ଟେଣ୍ଟ୍‌

ପ୍ରୟାଗରାଜ: ରବିବାର ମହାକୁମ୍ଭମେଳା ଟେଣ୍ଟ୍‌ ସିଟି ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ତୁଳସୀ ମାର୍ଗସ୍ଥିତ ସେକ୍ଟର୍‌ ୧୯ ରେଳପୋଲ ତଳେ ଥିବା ଟେଣ୍ଟ୍‌ ସିଟିରେ ଅପରାହ୍ନ ସାଢ଼େ ୪ଟାରେ ଘଟିଥିବା ଅଗ୍ନିକାଣ୍ଡରେ ଶତାଧିକ ଟେଣ୍ଟ୍‌ ଜଳିଯାଇଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀର ୧୫ଟି ଗାଡ଼ି ତୁରନ୍ତ ନିୟୋଜିତ ହେବାରୁ ନିଆଁକୁ ଶୀଘ୍ର ନିୟନ୍ତ୍ରଣ କରାଯିବା ସମ୍ଭବ ହୋଇଥିଲା। ଗୀତା ପ୍ରେସ, ଗୋରଖପୁରର କ୍ୟାମ୍ପରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ପ୍ରଥମେ ନିଆଁ ଲାଗିଥିଲା ଏବଂ ଏହା ପରେ ନିଆଁ ବ୍ୟାପିବାରୁ ଅନ୍ୟ କେତେକ ଟେଣ୍ଟ୍‌ରେ ମଧ୍ୟ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ପ୍ରୟାଗରାଜରେ ଉପସ୍ଥିତ ଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅଗ୍ନିକାଣ୍ଡ ସଂପର୍କରେ ଯୋଗୀଙ୍କ ସହ କଥା ହୋଇଛନ୍ତି। ଆଶ୍ୱସ୍ତିର ବିଷୟ ହେଉଛି ଯେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି।

ସ୍ଥିତି ତଦାରଖ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ନିଆଁ ତତ୍‌କ୍ଷଣାତ ଅନ୍ୟ ଶିବିରକୁ ମାଡ଼ିଚାଲିଥିଲା ଏବଂ ମାତ୍ର କିଛି ମିନିଟ୍ ମଧ୍ୟରେ ଶତାଧିକ ଟେଣ୍ଟ୍‌ ପୋଡ଼ି ପାଉଁଶ ହୋଇଯାଇଥିଲା। ସେଠାରେ ରଖାଯାଇଥିବା ଅନେକ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଯାଇଛି। ଏକ ରେଳବାଇ ପୋଲ ତଳେ ଥିବା ଟେଣ୍ଟ୍‌ରେ ନିଆଁ ଲାଗିଥିବା ସମୟରେ ପୋଲ ଉପର ଦେଇ ଏକ ଟ୍ରେନ୍‌ ଯାଉଥିଲା। ତେବେ ଏଥିରେ ଟ୍ରେନ୍‌ର କୌଣସି କ୍ଷୟକ୍ଷତି ହୋଇନାହିଁ। ଅଗ୍ନିକାଣ୍ଡ ପରେ ଘଟିଥିବା ଦଳାଚକଟାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଡିଆଇଜି ବୈଭବ କ୍ରିଷ୍ଣା କହିଛନ୍ତି ଯେ ନିଆଁକୁ ତୁରନ୍ତ ଆୟତ୍ତ କରାଯାଇଛି ଏବଂ ଏହାକୁ ନେଇ କୌଣସି ଗୁଜବରେ ବିଶ୍ବାସ କରିବା ଉଚିତ ନୁହେଁ। ଅଗ୍ନିକାଣ୍ଡ ପରେ କିଛି ଲୋକ ସେମାନଙ୍କ ଟେଣ୍ଟ୍‌ରେ ଥିବା ସିଲିଣ୍ଡର ଧରି ବାହାରକୁ ଦୌଡୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଖୁବ୍‌ଶୀଘ୍ର ଅଗ୍ନିଶମ ବାହିନୀ ଓ ଏନ୍‌ଡିଆରଏଫ୍‌ ଘଟଣାସ୍ଥଳରେ ପହଞ୍ଚିବାରୁ ବଡ଼ ଅଘଟଣ ଟଳିଯାଇଛି। ପ୍ରାୟ ୧ ଘଣ୍ଟା ମଧ୍ୟରେ ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କରାଯାଇଥିବା ବେଳେ ଯେଉଁମାନଙ୍କର ଟେଣ୍ଟ୍‌ ପୋଡ଼ିଯାଇଛି ସେମାନଙ୍କ ପାଇଁ ତତ୍କାଳ ନୂତନ ଟେଣ୍ଟ୍‌ ବ୍ୟବସ୍ଥା କରାଯାଇଛି।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button