ମହିଳା ହିଂସା ଦଣ୍ଡବିଧାନ ହାର ନୈରାଶ୍ୟଜନକ: ମୁଖ୍ୟମନ୍ତ୍ରୀ
କଟକ: ମହିଳା ହିଂସା ବିରୋଧରେ ଆମ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛି। ଦୁର୍ଭାଗ୍ୟବଶତଃ ମହିଳା ହିଂସାରେ ଦଣ୍ଡବିଧାନ ହାର ସର୍ବଭାରତୀୟ ସ୍ତରରେ ଓଡ଼ିଶାର ସ୍ଥିତି ଥିଲା ନୈରାଶ୍ୟଜନକ। ଏହାର ପ୍ରମୁଖ କାରଣ ହେଉଛି ବୃତ୍ତିଗତ ଢଙ୍ଗରେ ଅନୁସନ୍ଧାନ ନହେବା ଏବଂ ରାଜନୈତିକ ଇଚ୍ଛାଶକ୍ତିର ଘୋର ଅଭାବ ରହିବା। ଏହି ଦଣ୍ଡବିଧାନ ହାରକୁ ଜାତୀୟସ୍ତରକୁ ନେବାକୁ ପଡ଼ିବ। ସରକାର ନିଜ ସ୍ତରରେ ଅଧିକ ମହିଳା କୋର୍ଟ ପ୍ରତିଷ୍ଠା କରୁଛନ୍ତି। ଚାରିଟି ଜିଲ୍ଲାରେ ମହିଳା କୋର୍ଟ ସ୍ଥାପନ ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଛି ବୋଲି ଓଡ଼ିଶା ପୁଲିସର ୬୯ତମ ବୃତ୍ତିଗତ ପ୍ରତିଯୋଗିତାର ଉଦ୍ଯାପନୀ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍ଯାପିତ
ଦଳଗତ ପ୍ରଦର୍ଶନ କ୍ଷେତ୍ରରେ କ୍ରାଇମ୍ବ୍ରାଞ୍ଚ୍ ଚାମ୍ପିଅନ୍
କନ୍ଧମାଳକୁ ରନର୍ସ ଟ୍ରଫି
ଗୃହ ବିଭାଗରେ ୧୦ ହଜାର ପଦବି ପୂରଣ ହେବ
କଟକସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ ୧୩ ତାରିଖରୁ ଆୟୋଜିତ ବୃତ୍ତିଗତ ପ୍ରତିଯୋଗିତାର ସୋମବାର ଉଦ୍ଯାପନୀ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ଆଗାମୀ ଦିନରେ ପୁଲିସର ବ୍ୟବହାର ପାଇଁ ଗାଡ଼ିସଂଖ୍ୟା ବୃଦ୍ଧି କରାଯିବ। ପୁଲିସ ବାହିନୀକୁ ଆହୁରି ସଶକ୍ତ କରାଯିବ। ଗୃହ ବିଭାଗରେ ଆହୁରି ୧୦ ହଜାର ପଦବି ଖୁବ୍ଶୀଘ୍ର ପୂରଣ କରାଯିବ। ଥାନାଗୁଡ଼ିକୁ ୯ ହଜାର ବାଇକ୍ ଯୋଗାଇବାକୁ ବ୍ୟବସ୍ଥା କରାଯାଉଛି। ପ୍ରତ୍ୟେକ ଥାନାକୁ ୬ଟି ଲେଖାଏଁ ବାଇକ୍ ଦିଆଯିବ। ନିକଟରେ ବିଧାନସଭାରେ ପାରିତ ହୋଇଥିବା ଅତିରିକ୍ତ ବଜେଟ୍ରେ ଏଥିପାଇଁ ୩୫ କୋଟି ଟଙ୍କାର ବିଶେଷ ବ୍ୟବସ୍ଥା କରାଯାଇଛି। ପୁଲିସ ବାହିନୀକୁ ସହଯୋଗ କରିବା ପାଇଁ ଗୃହରକ୍ଷୀ ପଦବି ପୂରଣ କରାଯିବ। ଗଲା ସରକାର ତାକୁ ବନ୍ଦ କରିଥିଲେ। ଆମ ସରକାର ଏହି ଅଙ୍କୁଶକୁ ହଟାଇବା ସହିତ ଖାଲିଥିବା ୨୪୦୦ରୁ ଅଧିକ ଏବଂ ଆବଶ୍ୟକତା ଅନୁଯାୟୀ ୨୫ଶହରୁ ଅଧିକ ନୂଆ ପଦବି ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛି। ମୋଟ ୫ ହଜାର ପଦବି ପୂରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ମାଝୀ କହିଛନ୍ତି। ଆଜିକାଲି ଦେଶରେ ଅନେକ ଲୋକ ସାଇବର୍ ଅପରାଧର ଶିକାର ହେଉଛନ୍ତି। ସାଇବର ଠକେଇ, ଡିଜିଟାଲ୍ ଆରେଷ୍ଟ, ଇନ୍ଭେଷ୍ଟମେଣ୍ଟ ଠକେଇ ସମସ୍ତଙ୍କ ପାଇଁ ବଡ଼ ଆହ୍ବାନ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ପୁଲିସ ବିଭାଗର ସାଇବର୍ ସେଲ୍କୁ ସୁଦୃଢ଼ କରିବା ପାଇଁ ସଂକଳ୍ପବଦ୍ଧ। ଯେଉଁ ଜିଲ୍ଲାରେ ସାଇବର୍ ଥାନା ନାହିଁ, ସେଠାରେ ଥାନା ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ବ୍ୟତୀତ ଭୁବନେଶ୍ବରରେ ସାଇବର୍ ଅପରାଧର ତଦନ୍ତ ପାଇଁ ରାଜ୍ୟସ୍ତରୀୟ ଏକ ସାଇବର୍ ଅପରାଧ ଶାଖା ସୃଷ୍ଟି କରାଯିବ। ଯାହାର ଦାୟିତ୍ବରେ ଜଣେ ବରିଷ୍ଠ ପୁଲିସ ଅଧିକାରୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଉଦ୍ଯାପନୀ ଉତ୍ସବରେ ସ୍ବାଗତ ଭାଷଣ ପ୍ରଦାନ କରି ଡିଜିପି ଯୋଗେଶ ବାହାଦୂର ଖୁରାନିଆ ପୁଲିସର ଅନୁସନ୍ଧାନ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ବାରୋପ କରିଛନ୍ତି। ଏଥିସହ ପୁଲିସର ବୃତ୍ତିଗତ ଦକ୍ଷତା, ଫରେନ୍ସିକ ତଦନ୍ତ ଏବଂ ସାଇବର ଅପରାଧ କ୍ଷେତ୍ରରେ ଅଧିକ ବୈଷୟିକ ଦକ୍ଷତା ହାସଲର ଆବଶ୍ୟକତା ରହିଛି ବୋଲି ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ୩୪ଟି ପୁଲିସ ଜିଲ୍ଲାରୁ ୩୧୩ ପ୍ରତିଯୋଗୀ ସାମିଲ ହୋଇଥିଲେ। ଏଥିରେ ୪୧ ଇନ୍ସପେକ୍ଟର, ୪୪ ଏସ୍ଆଇ, ୬୩ ଏଏସ୍ଆଇ,୧୪୨ କନେଷ୍ଟବଳ ଓ ୩୭ ଟି ପୁଲିସ କୁକୁର (କେ-୯ ସ୍କ୍ବାଡ୍) ସାମିଲ ହୋଇଥିଲେ। ଦଳଗତ ପ୍ରଦର୍ଶନ କ୍ଷେତ୍ରରେ କ୍ରାଇମବ୍ରାଞ୍ଚ ଏହି ପ୍ରତିଯୋଗିତାରେ ଚାମ୍ପିଅନ୍ ହୋଇ ୨୫ହଜାର ଟଙ୍କା ଓ ଫଳକ ପାଇଥିବା ବେଳେ କନ୍ଧମାଳକୁ ରନର୍ସ ଟ୍ରଫି ସହ ୧୫ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ସେହିପରି କେନ୍ଦୁଝର ତୃତୀୟ ସ୍ଥାନରେ ରହିଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଭାସୀ ଜରିଆରେ ପୁରୀ ଜିଲ୍ଲାର ତିନୋଟି ଥାନା ଅସ୍ତରଙ୍ଗ, ବଳଙ୍ଗା ଓ ଡେଲାଙ୍ଗର ନବୀକରଣ କାର୍ଯ୍ୟକୁ ଉଦ୍ଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।