ରାଜ୍ୟ

ଗଠନ ହେଲା ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ: ଅରୁଣ କୁମାର ପଣ୍ଡା ଅଧ୍ୟକ୍ଷ

ଭୁବନେଶ୍ବର: ଭାରତୀୟ ପ୍ରାଶାସନିକ ସେବାର ଅବସରପ୍ରାପ୍ତ ଅଧିକାରୀ ଅରୁଣ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାର ଆଜି ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ଗଠନ କରିଛନ୍ତି। ଆୟୋଗର ଅନ୍ୟ ସଦସ୍ୟ ଭାବେ ଏକ୍ସଆଇଏମ୍‌ବିର ପ୍ରଫେସର ଅସିତ ରଞ୍ଜନ ମହାନ୍ତି, ପଣ୍ଡିଚେରି ବିଶ୍ବବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରଫେସର ଅମରେଶ ସାମନ୍ତରାୟ ଓ ଟିଆଇଏସ୍‌ଏସ୍‌ର ପ୍ରଫେସର ଡକ୍ଟର ବିଭୂ ପ୍ରସାଦ ନାୟକଙ୍କୁ ନିଯୁକ୍ତ କରାଯାଇଛି। ସଦସ୍ୟ ସଚିବ ଭାବେ ଅର୍ଥ ବିଭାଗର ଅତିରିକ୍ତ ସଚିବ ଡକ୍ଟର ସତ୍ୟ ପ୍ରିୟ ରଥ କାର୍ଯ୍ୟ କରିବେ ବୋଲି ଅର୍ଥ ବିଭାଗ ପକ୍ଷରୁ ସୂଚନା ‌ଦିଆଯାଇଛି। ଆୟୋଗଙ୍କୁ ଛଅ ମାସ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି। ୨୦୨୬ ଏପ୍ରିଲ୍‌ ୧ରୁ ପାଞ୍ଚ ବର୍ଷ ପାଇଁ ଆୟୋଗ ନିଜର ସୁପାରିସ ପ୍ରଦାନ କରିବେ। ଅର୍ଥ ବିଭାଗ ଅନୁସାରେ ବିଜ୍ଞପ୍ତି ପ୍ରକାଶ ପାଇବା

ତାରିଖଠାରୁ ଛଅ ମାସ ପର୍ଯ୍ୟନ୍ତ ଆୟୋଗର ଅଧ୍ୟକ୍ଷ, ସଦସ୍ୟ ଓ ସଦସ୍ୟ ସଚିବ କାର୍ଯ୍ୟ କରିବେ। ଅଧ୍ୟକ୍ଷ ଓ ସଦସ୍ୟମାନେ ଆୟୋଗଙ୍କୁ ସାମୟିକ କିମ୍ବା ପୂର୍ଣ୍ଣକାଳୀନ ସେବା ପ୍ରଦାନ କରିବେ। କିନ୍ତୁ ସଦସ୍ୟ ସଚିବ ନିଜ ଦାୟିତ୍ବ ସହିତ ଆୟୋଗଙ୍କୁ ପୂର୍ଣ୍ଣକାଳୀନ ସେବା ପ୍ରଦାନ କରିବେ। ଷଷ୍ଠ ଅର୍ଥ ଆୟୋଗ ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ, ପୌର ପରିଷଦ ସମ୍ବଳର ଅନୁଶୀଳନ କରି ସେଥି‌ରେ ଉନ୍ନତି ଆଣିବାକୁ ସୁପାରିସ କରିବେ। ରାଜ୍ୟ ସରକାର ଏବଂ ପଞ୍ଚାୟତିରାଜ ଅନୁଷ୍ଠାନ ଓ ପୌର ପରିଷଦର ଆର୍ଥିକ ସ୍ଥିତିକୁ ଆୟୋଗ ଆକଳନ ଓ ଅନୁଶୀଳନ କରିବେ। କେନ୍ଦ୍ରୀୟ ଅର୍ଥ ଆୟୋଗଙ୍କ ଅନୁଶୀଳନ ପାଇଁ ରାଜ୍ୟ ଅର୍ଥ ଆୟୋଗଙ୍କୁ ଐତିହାସିକ ଧାରା ଅନୁସାରେ ଆକଳନ କରିବା ପରିବର୍ତ୍ତେ ରାଜସ୍ବ ଓ ବ୍ୟୟର ଅନୁଶୀଳନ କରିବାକୁ କୁହାଯାଇଛି। ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ଓ ପୌର ପରିଷଦର ରାଜସ୍ବ ସଂଗ୍ରହ, ଟିକସ ଓ ଅଣ ଟିକସ ରାଜସ୍ବ ଉତ୍ସକୁ ମୁଣ୍ଡପିଛା ଆଧାରରେ ଦର୍ଶାଇବାକୁ କୁହାଯାଇଛି। ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ପଞ୍ଚାୟତିରାଜ ସଂସ୍ଥା ଓ ପୌର ପରିଷଦର ହାରାହାରି ବ୍ୟୟକୁ ମୁଣ୍ଡପିଛା ବ୍ୟୟ ଭାବେ ଉପସ୍ଥାପନ କରିବାକୁ କୁହାଯାଇଛି। ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ପଞ୍ଚମ ଆୟୋଗଙ୍କ ସୁପାରିସଗୁଡ଼ିକର କାର୍ଯ୍ୟକାରିତାର ସମୀକ୍ଷା କରିବେ।

ସମ୍ବିଧାନର ୭୩ତମ ଓ ୭୪ତମ ସଂଶୋଧନରେ ତୃଣମୂଳ ସ୍ତରର ଅନୁଷ୍ଠାନଗୁଡ଼ିକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରାଯାଇଥିଲା। ସେମାନଙ୍କ ପାଇଁ ପ୍ରତି ପାଞ୍ଚ ବର୍ଷରେ ରାଜ୍ୟ ଅର୍ଥ ଆୟୋଗ ଗଠନ କରିବାକୁ ସ୍ଥିର ହୋଇଥିଲା ଯାହା ରାଜ୍ୟ ସରକାରଙ୍କ ଟିକସ ଓ ଶୁଳ୍କରେ ପଞ୍ଚାୟତିରାଜ ଅନୁଷ୍ଠାନ ଓ ପୌର ପରିଷଦଗୁଡ଼ିକର ଭାଗ କେତେ ରହିବ ତାହା ସୁପାରିସ କରିଥାଏ। ପରବର୍ତ୍ତୀ ପାଞ୍ଚଟି ଆର୍ଥିକ ବର୍ଷ ପାଇଁ ଏହି ସୁପାରିସ କରାଯାଏ। ଉଭୟ କେନ୍ଦ୍ର ଓ ରାଜ୍ୟରେ ସମାନ ସମୟରେ ଅର୍ଥ ଆୟୋଗ ଗଠନ କରିବା କଥା। କେନ୍ଦ୍ରୀୟ ଅର୍ଥ ଆୟୋଗଙ୍କ ସୁପାରିସ ପୂର୍ବରୁ ରାଜ୍ୟ ଅର୍ଥ ଆୟୋଗ ନିଜର ପ୍ରସ୍ତାବ ପଠାଇବାର ବ୍ୟବସ୍ଥା ଥିଲେ ମଧ୍ୟ ରାଜ୍ୟଗୁଡ଼ିକ ସେହି ନିୟମକୁ ଠିକ୍ ଭାବେ ପାଳନ କରୁନାହାନ୍ତି। କେନ୍ଦ୍ର ସରକାର ନିତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଡକ୍ଟର ଅରବିନ୍ଦ ପାନାଗାରିୟାଙ୍କ ଅଧ୍ୟକ୍ଷତାରେ ଷୋଡ଼ଶ ଅର୍ଥ ଆୟୋଗ ଗଠନ କରିଥିବା ବେଳେ ଓଡ଼ିଶା ଏବେ ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ଗଠନ କରୁଛି। କିନ୍ତୁ କେତେକ ରାଜ୍ୟ ତୁଳନାରେ ଓଡ଼ିଶା ଉନ୍ନତ ସ୍ଥିତିରେ ରହିଛି। କେନ୍ଦ୍ରୀୟ ଅର୍ଥ ଆୟୋଗରେ ଓଡ଼ିଶାରୁ ଇନଷ୍ଟିଚ୍ୟୁଟ୍‌ ଅଫ୍ ଇକୋନମିକ୍ ଗ୍ରୋଥ୍‌ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ମନୋଜ ପଣ୍ଡା ରହଛନ୍ତି। ଏହା ପୂର୍ବରୁ ୨୦୧୮ରେ ରାଜ୍ୟ ସରକାର ଡକ୍ଟର ଆର୍‌ ଏନ୍ ସେନାପତିଙ୍କ ଅଧ୍ୟକ୍ଷତାରେ ପଞ୍ଚମ ଅର୍ଥ ଆୟୋଗ ଗଠନ କରିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button