ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଜିଜିଏମ୍ଙ୍କୁ ୧୦ ଲକ୍ଷ ଲାଞ୍ଚ ମାମଲା: ସିବିଆଇର ମାରାଥନ୍ ଜେରା, ଚଢ଼ଉ

ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଜିଜିଏମ୍ଙ୍କୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଖୋଳତାଡ଼ ଜାରି ରଖିଛି ସିବିଆଇ। ଆଜି ପୁଣି ଥରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଭୁବନେଶ୍ବରରେ ଥିବା ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ ଅଫିସ ସମେତ ପେଣ୍ଟା ଏ ଷ୍ଟୁଡିଓ ଅଫିସରେ ଯାଞ୍ଚ୍ କରିଛି। ପେଣ୍ଟା ଏ ଷ୍ଟୁଡିଓର ନିର୍ଦ୍ଦେଶକ ସନ୍ତୋଷ ମହାରଣାଙ୍କ ବାସଭବନ, ଆଦିତ୍ୟ ଦେବ ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥା ଉପରେ ମଧ୍ୟ ସିବିଆଇ ଚଢ଼ଉ କରିଛି। ଚଢ଼ଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ବ୍ୟାଙ୍କ ଷ୍ଟେଟମେଣ୍ଟ୍ ଯାଞ୍ଚ କରିଛି ସିବିଆଇ। ଆଦିତ୍ୟ ଦେବ ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ର ପରିଚଳନା ନିର୍ଦ୍ଦେଶକ ଦେବଦତ୍ତ ମହାପାତ୍ରଙ୍କ ସମ୍ପର୍କୀୟଙ୍କୁ ସିବିଆଇ ଅଧିକାରୀ ପଚରାଉଚରା କରିଛନ୍ତି। ଆଜି ଏହି ସଂସ୍ଥାର ଜଣେ ମହିଳା କର୍ମଚାରୀଙ୍କୁ ସିବିଆଇ ଅଫିସରେ ପଚରାଉଚରା କରାଯାଇଥିଲା। ମାତ୍ର ସେ ଏ ସମ୍ପର୍କରେ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି। ସେପଟେ ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ୍ର ଜିଜିଏମ୍ ଚଞ୍ଚଳ ମୁଖାର୍ଜୀ, ଆଦିତ୍ୟ ଦେବ ଇନ୍ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ର ଶ୍ରୀ ମହାପାତ୍ର ଏବଂ ପେଣ୍ଟା ଏ ଷ୍ଟୁଡିଓର ଶ୍ରୀ ମହାରଣାଙ୍କୁ ସିବିଆଇ ଅଧିକାରୀମାନେ ମାରାଥନ୍ ଜେରା କରିଛନ୍ତି।
ଅପରପକ୍ଷରେ ସନ୍ତୋଷ ମହାରଣାଙ୍କ ବାପା ମନମୋହନ ମହାରଣା ଘଟଣା ପରଠାରୁ ଫେରାର ରହିଛନ୍ତି। ଆସନ୍ତାକାଲି ଚଞ୍ଚଳଙ୍କ ପାଇଁ ତାଙ୍କ ଓକିଲ ରାଜେଶ ମିଶ୍ର ଜାମିନ ଆବେଦନ କରିବେ। ଆଜି ସେ ସିବିଆଇ କାର୍ଯ୍ୟାଳୟରେ ଚଞ୍ଚଳଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି। ସେପଟେ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ସିବିଆଇ ନିକଟରେ ସେ କେବେ ହାଜର ହେବେ ସେ ନେଇ ଚର୍ଚ୍ଚା ଲାଗି ରହିଛି। ଏବେ ଏକ ଚିଠି ସିବିଆଇର ତଦନ୍ତ ପରିସରକୁ ଆସିଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗର ପ୍ରମୁଖ ସଚିବ ଶ୍ରୀ ସେଠୀ ଗତ ୧୯ ଅକ୍ଟୋବର ୨୦୨୪ରେ ଆଶ୍ରମ ସ୍କୁଲକୁ ହାଇସ୍କୁଲ ଏବଂ ହାଇସ୍କୁଲକୁ ଉଚ୍ଚମାଧ୍ୟମିକ ସ୍କୁଲକୁ ଉନ୍ନୀତ କରିବା ପ୍ରସଙ୍ଗରେ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନିର ସିଏମ୍ଡିଙ୍କୁ ଚିଠି ଲେଖିଥିଲେ। ସ୍କୁଲର ଅପଗ୍ରେଡେସନ୍ ପ୍ରକଳ୍ପ ପାଇଁ ୩୭ କୋଟି ଟଙ୍କା ବ୍ୟୟ ଅଟକଳ ଥିଲା। ସ୍କୁଲର ଅପଗ୍ରେଡେସନ୍ ସହ ଲାଞ୍ଚ ମାମଲାର କିଛି ସମ୍ପର୍କ ଅଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ପୂର୍ବରୁ ସିବିଆଇ ଶ୍ରୀ ସେଠୀଙ୍କ ତିନିଜଣ ଡ୍ରାଇଭରଙ୍କୁ ଜେରା କରିଥିଲା। ସେ କୁଆଡ଼େ କେତେବେଳେ ଯାଆନ୍ତି, ଆସନ୍ତି ଓ ଗତ ୭ ତାରିଖରେ ୧୦ ଲକ୍ଷର ଡିଲ୍ ବେଳେ ଶ୍ରୀ ସେଠୀ କେଉଁଠି ଥିଲେ ସେ ବାବଦରେ ସିବିଆଇ ଠୋସ ତଥ୍ୟ ଖୋଜୁଛି। ସେପଟେ ଶ୍ରୀ ସେଠୀଙ୍କ ପକ୍ଷରୁ ତାଙ୍କ ଓକିଲ ସୋମବାର ଆଗୁଆ ଜାମିନ ଆବେଦନ କରିବେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ରାଜଧାନୀର ଏକ ତାରକା ହୋଟେଲର ବରିଷ୍ଠ ଅଧିକାରୀ ଆଜି ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଥିଲେ। ୧ଘଣ୍ଟା ଧରି ଜେରାରେ ସିବିଆଇ ତାଙ୍କଠାରୁ ୭ ତାରିଖ ଡିଲ୍ ରାତିର ସତ କାଢ଼ିବାକୁ ଉଦ୍ୟମ କରୁଛି। ଆସନ୍ତାକାଲି ଅଭିଯୁକ୍ତ ଚଞ୍ଚଳ ମୁଖାର୍ଜୀ, ଦେବଦତ୍ତ ମହାପାତ୍ର ଓ ସନ୍ତୋଷ ମହାରଣାଙ୍କ ଦ୍ବିତୀୟ ପର୍ଯ୍ୟାୟ ୫ ଦିନିଆ ରିମାଣ୍ଡ ଶେଷ ହେଉଛି। ସୋମବାର ସେମାନଙ୍କୁ ଭୁବନେଶ୍ବର ସିବିଆଇ କୋର୍ଟରେ ହାଜର କରାଯିବ। ଲାଞ୍ଚ ମାମଲାରେ ବହୁ ବଡ଼ବଡ଼ିଆଙ୍କ ଲିଙ୍କ୍ ସାମନାକୁ ଆସିଥିବାରୁ ତିନି ଅଭିଯୁକ୍ତଙ୍କୁ ତୃତୀୟ ପର୍ଯ୍ୟାୟ ଜେରା ପାଇଁ ସିବିଆଇ ଯୋଜନା କରୁଛି।




