ରାଜ୍ୟ

ଅସମ୍ଭାଳ ଜାଡ଼: ୧୦ ଡିଗ୍ରି ତଳେ ୧୧ ସହର

ଭୁବନେଶ୍ବର: ଥଣ୍ଡାରେ ଥରୁଛି ସାରା ରାଜ୍ୟ। ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ, ସବୁଠି ପାରଦ ଖସିବାରେ ଲାଗିଛି। ଭୁବନେଶ୍ବର, କଟକ, ପାରାଦୀପ ସମେତ ଉପକୂଳ ଓଡ଼ିଶାରେ ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୪ ଡିଗ୍ରି ତଳେ ରହିଛି। ଗତକାଲି ରାତିରେ ଝାରସୁଗୁଡ଼ାରେ ପାରଦ ସ୍ବାଭାବିକଠାରୁ ୬.୫ ଡିଗ୍ରି ତଳେ ରହିଥିଲା। ଯେତେବେଳେ କି ଅନୁଗୁଳଠାରେ ସ୍ବାଭାବିକଠାରୁ ୪.୪ ଡିଗ୍ରି, ପାରାଦୀପଠାରେ ୪.୨ ଡିଗ୍ରି, ବାଲେଶ୍ବରରେ ୩.୧ ଡିଗ୍ରି, କଟକ ଓ ଭୁବନେଶ୍ବରରେ ୩ ଡିଗ୍ରି, ଗୋପାଳପୁରରେ ୨.୭ ଡିଗ୍ରି, କେନ୍ଦୁଝରରେ ୨.୬ ଡିଗ୍ରି, ଚାନ୍ଦବାଲି ଓ ଭବାନୀପାଟଣାରେ ୨.୫ ଡିଗ୍ରି ଲେଖାଏଁ, କୋରାପୁଟରେ ସ୍ବାଭାବିକଠାରୁ ୨ ଡିଗ୍ରି ତଳେ ରେକର୍ଡ କରାଯାଇଛି। ଘୁ.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୬ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ରାଉରକେଲା ଓ ଝାରସୁଗୁଡ଼ାରେ ୬.୮, କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାରେ ୭.୬, ସୁନ୍ଦରଗଡ଼ ଜିଲ୍ଲା କିରେଇରେ ୭.୮, ସମ୍ବଲପୁର ଜିଲ୍ଲା ଚିପିଲିମାରେ ୮.୨, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୮.୫, କେନ୍ଦୁଝରରେ ୯.୨, ଭବାନୀପାଟଣା ଓ ସୁନ୍ଦରଗଡ଼ରେ ୯.୪ ରହିଥିଲା। କେତେକ ସ୍ଥାନରେ ତୁଷାରପାତ ହୋଇଥିବା ଜଣାପଡ଼ିଛି। ପାରଦ ଖସିବା ସହ ରାଉରକେଲା, ଫୁଲବାଣୀ, ଭବାନୀପାଟଣା ସହରରେ ଘନ କୁହୁଡ଼ି ଯୋଗୁଁ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଥଣ୍ଡା ଲାଗିରହିବ। ୧୫ ଓ ୧୬ ତାରିଖରେ ସର୍ବନିମ୍ନ ତାପମାତ୍ରାରେ କିଛି ପରିବର୍ତ୍ତନ ହେବ ନାହିଁ। ମାତ୍ର ପରବର୍ତ୍ତୀ ତିନି ଦିନ ମଧ୍ୟରେ ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ସୋମବାର ଓ ମଙ୍ଗଳବାର ରାତିରେ କେତେକ ସ୍ଥାନରେ ପାରଦ ୬ ଡିଗ୍ରି ତଳକୁ ଖସିଯିବାର ଆଶଙ୍କା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, କୋରାପୁଟ, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ବୌଦ୍ଧ ଜିଲ୍ଲାରେ ରାତିରେ ତାପମାତ୍ରା ୧୦ ଡିଗ୍ରି ତଳେ ରହିବା ସହ ସ୍ଥାନେ ସ୍ଥାନେ ୫ ଡିଗ୍ରିକୁ ଖସି ଆସିପାରେ। ଉପକୂଳ ଓଡ଼ିଶାରେ ପାରଦ ୧୦ରୁ ୧୫ ଡିଗ୍ରି ଭିତରେ ରହିବ। କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ସୁନ୍ଦରଗଡ଼ରେ ଘନ କୁହୁଡ଼ି ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button