ବିଷମକଟକରେ ଏନ୍ଫୋର୍ସମେଣ୍ଟ୍ ଟିମ୍ର ଚଢ଼ଉ: ୧୦୦୦ ପ୍ୟାକେଟ୍ ଧାନ ଜବତ
ବିଷମକଟକ: ମଣ୍ଡି ଖୋଲିବା ପୂର୍ବରୁ ଏନ୍ଫୋର୍ସମେଣ୍ଟ୍ ଟିମ୍ର ଚଢ଼ଉ। ବିଷମକଟକ ବ୍ଲକ୍ ଦୁର୍ଗୀ ଅଞ୍ଚଳର ଗୋଟିଏ ରାଇସ୍ ମିଲ୍ ଏବଂ ଟିଡିସିସି ଗୋଦାମରୁ ୧୦୦୦ ପ୍ୟାକେଟ୍ ଧାନ ଜବତ କରାଯାଇଛି। ସ୍ଥାନ ଅଭାବରୁ ଚାଷୀ ଏହି ଧାନ ଗଚ୍ଛିତ ରଖିଥିବା ଯୁକ୍ତି ରଖିଛନ୍ତି। ତେବେ ଆବଶ୍ୟକ କାଗଜପତ୍ର ଦେଖାଇପାରି ନାହାନ୍ତି। କାଗଜପତ୍ର ଦେଖାଇଲେ ଜବତ ଧାନ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।
ଆସନ୍ତା ମଙ୍ଗଳବାର ବିଷମକଟକ ବ୍ଲକରେ ମଣ୍ଡି ଖୋଲିବ। ତେଣୁ ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ଏନ୍ଫୋର୍ସମେଣ୍ଟ୍ ଟିମ୍ ସତର୍କ ନଜର ରଖିଥିଲା। କୌଣସି ସୂତ୍ରରୁ ଧାନ ହେରଫେର ନେଇ ଖବର ମିଳିବାରୁ ଆଜି ସକାଳେ ଦୁର୍ଗୀ ମାଣିକେଶ୍ବର ଧାନ ମିଲ୍ରେ ଟିମ୍ ଚଢ଼ଉ କରିଥିଲା। ୪୦୦ ପ୍ୟାକେଟ୍ ଧାନ ରହିଥିବା ଦେଖିବା ପରେ ଜବତ କରିଥିଲା। ଉକ୍ତ ଧାନ ପ୍ୟାକେଟ୍ ନିଜର ବୋଲି ଜଣେ ଚାଷୀ କହିଥିଲେ। ଏପରିକି ଚାଷ ଜମିର ପଟ୍ଟା ଦେଖାଇଥିଲେ। କିନ୍ତୁ ଧାନ ରଖିବା ନିମନ୍ତେ ଉକ୍ତ ମିଲ୍ ସହ ଭଡ଼ା ସଂପର୍କିତ କୌଣସି ଚୁକ୍ତିନାମା ଦେଖାଇ ପାରିନଥିଲେ। ତେଣୁ ଉକ୍ତ ଧାନକୁ ସତ୍ୟନାରାୟଣ ରାଇସ୍ ମିଲ୍ ଜିମାରେ ଦିଆଯାଇଛି। ଚୁକ୍ତିନାମା ଦେଖାଇଥିଲେ ଚାଷୀଙ୍କୁ ଧାନ ଫେରସ୍ତ କରାଯିବ ବୋଲି ଏସିଏସ୍ଓ ଦେବବ୍ରତ ମହାପାତ୍ର ସୂଚନା ଦେଇଛନ୍ତି।
ସେହିପରି ଦୁର୍ଗୀ ପଞ୍ଚାୟତର ଭାଲେରି ଗାଁସ୍ଥିତ ଟିଡିସିସି ଗୋଦାମରେ ଟିମ୍ ଚଢ଼ଉ କରି ୬୦୦ ପ୍ୟାକେଟ୍ ଧାନ ଠାବ କରିଥିଲା। ଉକ୍ତ ଧାନ ସେହି ଗାଁର କେ.କୁମା ରାଓ, ଟୁନା କୁଣ୍ଡିକା, ଏଙ୍କେନା କୁମୁରୁକା, ବିଦୁ ବାତ୍ରା, ଶିବଶଙ୍କର ସାହୁ, ଜି.ଚନ୍ଦ୍ରଶେଖର ଏବଂ ପଞ୍ଚାନନ ସାହୁ ନିଜର ବୋଲି ଦର୍ଶାଇଥିଲେ। ଲଘୁଚାପ ଜନିତ ବର୍ଷା ସମୟରେ ଓଦା ହୋଇଯିବା ଭୟରେ ଧାନକୁ ଟିଡିସିସି ଗୋଦାମରେ ରଖିଥିବା କହିଥିଲେ। ସରକାରୀ ଗୋଦାମ ହୋଇଥିଲା ବେଳେ ବର୍ତ୍ତମାନ ଲ୍ୟାମ୍ପସ୍ ଅଧୀନରେ ରହିଛି। ତେଣୁ ଧାନ ରଖିବାକୁ କେମିତି ଅନୁମତି ଦିଆଗଲା ବୋଲି ପ୍ରଶ୍ନ ଉଠିଛି। ସତ୍ୟାସତ୍ୟ ଜାଣିବା ପାଇଁ ଟିମ୍ ତଦନ୍ତ ଜାରି ରଖିଛି। ଗୋଦାମରୁ ଜବତ ଧାନ ବିଷମକଟକ ଲ୍ୟାମ୍ପସ୍ ଏମ୍ଡିଙ୍କ ଜିମାରେ ଦିଆଯାଇଛି। ଏନ୍ଫୋର୍ସମେଣ୍ଟ୍ ଟିମ୍ରେ ବିଷମକଟକ ତହସିଲଦାର କେ.ଭେଙ୍କେଟେଶ୍ୱର ରେଡ୍ଡି, ବିଡିଓ ସଦାଶିବ ନାୟକ, ଯୋଗାଣ ଅଧିକାରୀ ଦେବଦତ୍ତ ଲେଙ୍କା ପ୍ରମୁଖ ସାମିଲ ଥିଲେ।