ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଜିଜିଏମ୍ଙ୍କୁ ୧୦ ଲକ୍ଷ ଲାଞ୍ଚ ମାମଲା: ଆଇଏଏସ୍ ବିଷ୍ଣୁପଦଙ୍କୁ ସିବିଆଇ ସମନ
ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ‘ବ୍ରିଜ୍ ଆଣ୍ଡ୍ ରୁଫ୍ କର୍ପୋରେସନ୍’ର ଭୁବନେଶ୍ବର ଜିଜିଏମ୍ ଚଞ୍ଚଲ୍ ମୁଖାର୍ଜୀଙ୍କୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦିଆଯିବା ମାମଲା ନାଟକୀୟ ମୋଡ଼ ନେଇଛି। ଏହି ମାମଲାରେ ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀ ଛନ୍ଦି ହୋଇଯାଇଛନ୍ତି। ତାଙ୍କୁ ସିବିଆଇ ସମନ କରିଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଗତ ୧୧ ତାରିଖରେ ତାଙ୍କୁ ସିବିଆଇ ନିକଟରେ ହାଜର ହେବା ଲାଗି ନିର୍ଦ୍ଦେଶ ରହିଥିଲା। ହେଲେ ତାଙ୍କୁ ସିବିଆଇ ଜେରା କରିଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ସବୁଠାରୁ ବଡ଼ କଥା ହେଲା, ନିଜେ ବିଷ୍ଣୁପଦ ସାମ୍ନାକୁ ଆସି ଏହି ଅଭିଯୋଗକୁ ଖଣ୍ଡନ କରିନାହାନ୍ତି କିମ୍ବା ନିଜ ତରଫରୁ କୌଣସି ସଫେଇ ଏଯାଏଁ ଦେଇନାହାନ୍ତି। ଅନ୍ୟପକ୍ଷରେ ସିବିଆଇ କିନ୍ତୁ ଠୋସ୍ ତଥ୍ୟ ଆଧାରରେ ଶ୍ରୀ ସେଠୀଙ୍କୁ ଘେରିବା ଲାଗି ଆଜି ତାଙ୍କର ୩ଜଣ ଡ୍ରାଇଭରକୁ ଝାଳବୁହା ଜେରା କରିଛି। ବାବୁ କେଉଁଆଡ଼େ ଯାଉଥିଲେ, କିଏ କିଏ ବାବୁଙ୍କ ପାଖକୁ ଆସନ୍ତି, ବିଶେଷକରି ଡିସେମ୍ବର ୭ ତାରିଖ ସନ୍ଧ୍ୟାରେ ସେ କେଉଁଠି ଥିଲେ, ଏକଥା ଜାଣିବାକୁ ଚାହୁଛି ସିବିଆଇ। ସିବିଆଇର ଏଭଳି ତନାଘନା ସୂଚାଇ ଦେଉଛି ଯେ ୭ ତାରିଖ ଦିନ ଏମିତି କିଛି ଘଟଣା ଘଟିଛି, ଯାହା ସଂପର୍କରେ ସିବିଆଇକୁ କିଛି ତଥ୍ୟ ମିଳିଛି। ହେଲେ ଏଯାଏଁ ସିବିଆଇ ଶ୍ରୀ ସେଠୀଙ୍କ ସଂପୃକ୍ତି ନେଇ କୌଣସି ପ୍ରେସ ବିଜ୍ଞପ୍ତି ଜାରି କରିନାହିଁ।
ଏସବୁ ଭିତରେ ଶ୍ରୀ ସେଠୀଙ୍କ ସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ସରକାରରେ କମ୍ପନ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାକୁ ଗମ୍ଭୀରତାର ସହିତ ନେଇଥିବା ଜଣାପଡ଼ିଛି। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ କହିଛନ୍ତି ଯେ ଯନ୍ତ୍ରୀ, ମନ୍ତ୍ରୀ, ତନ୍ତ୍ରୀ କିଏ ବି ହୁଅନ୍ତୁ, ଦୁର୍ନୀତି ଯିଏ କରିବ ତାଙ୍କୁ ତ୍ରାହି ନାହିଁ। ସରକାର କାହାକୁ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ। ମନ୍ତ୍ରୀଙ୍କର ଏଭଳି ସୂଚନା ପରେ ସରକାର ଯେ କୌଣସି ମୁହୂର୍ତ୍ତରେ ଶ୍ରୀ ସେଠୀଙ୍କ ସଂପର୍କରେ କିଛି ଅପ୍ରୀତିକର ନିଷ୍ପତ୍ତି ଶୁଣାଇପାରନ୍ତି ବୋଲି କ୍ଷମତା କରି଼ଡରରେ ଚର୍ଚ୍ଚା ହେଉଛି। ଏଠାରେ ଉଲ୍ଲେଖଥାଉକି, ନୂଆ ସରକାର ଆସିବା ପରେ ଶ୍ରୀ ସେଠୀ ହେଉଛନ୍ତି ପ୍ରଥମ ଆଇଏଏସ୍, ଯାହାଙ୍କ ସଂପର୍କରେ ସିବିଆଇ ତନାଘନା ଆରମ୍ଭ କରିଛି। ଏହି ଘଟଣାରେ ଆଉ କିଛି ବଡ଼ବଡ଼ିଆଙ୍କ ସଂପୃକ୍ତି ରହିଥାଇପାରେ ବୋଲି ମଧ୍ୟ କ୍ଷମତା କରିଡରରେ ଆଲୋଚନା ଜୋର ଧରିଛି।