ରାଜ୍ୟ

ଚତୁର୍ଥ ସ୍ତମ୍ଭ ନୁହେଁ, ତୃତୀୟ ନୟନ ହୁଅ: ସୌମ୍ୟରଞ୍ଜନ

ବ୍ରହ୍ମପୁର: ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି ସାମ୍ବାଦିକମାନେ କହିବାରେ ଅଭ୍ୟସ୍ତ ହୋଇଗଲେଣି। କିନ୍ତୁ ଗଣମାଧ୍ୟମ ଚତୁର୍ଥ ସ୍ତମ୍ଭ ହେବା ଉଚିତ ନୁହେଁ। ଚତୁର୍ଥ ସ୍ତମ୍ଭ ହେଲେ ସାମ୍ବାଦିକମାନେ ବିଚାରପତିମାନଙ୍କ ସହ ତୁଳନୀୟ ହେବେ କି? ସାମ୍ବାଦିକ କ’ଣ ଆଇଏଏସ୍‌, ମନ୍ତ୍ରୀ ଏବଂ ବିଧାୟକଙ୍କ ସହିତ ତୁଳନୀୟ ହେବେ? ଚତୁର୍ଥ ସ୍ତମ୍ଭର ଯେଉଁ ମାନ୍ୟତା ମିଳିଛି, ତାହା ହେଉଛି ଉଦାରବାଦୀ ଗାଣତାନ୍ତ୍ରିକ ବ୍ୟବସ୍ଥାର ଏକ କଳ୍ପନା। ଯେଉଁଥିରେ ଶାସନ କ୍ଷମତାରେ ଥିବା ବ୍ୟକ୍ତିମାନେ ସାମ୍ବାଦିକଙ୍କୁ ତାଙ୍କର ଡାହାଣ ପାଖରେ ରଖିବାକୁ ଚେଷ୍ଟା କରନ୍ତି। ଗଣମାଧ୍ୟମର ଆଉ ସ୍ବାଧୀନତା ନାହିଁ। ଏ ପ୍ରକାର ଆକର୍ଷଣରୁ ଆମକୁ ମୁକ୍ତ ରହିବାକୁ ପଡ଼ିବ। ଏଣିକି ସାମ୍ବାଦିକମାନେ ଚତୁର୍ଥ ସ୍ତମ୍ଭ ହେବା ବଦଳରେ ତୃତୀୟ ନୟନ ହୁଅନ୍ତୁ ବୋଲି ‘ସମ୍ବାଦ’ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି।

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ୫୦ବର୍ଷ ପୂର୍ତ୍ତି ଅବସରରେ କ୍ୟାମ୍ପସ୍‌ ପରିସରସ୍ଥ ବିଜୁ ପଟ୍ଟନାୟକ ଅଡିଟୋରିୟମ୍‌ରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ତଥା ତିନିଦିନିଆ ଆଲୁମ୍‌ନି ମିଟ୍‌ ଆୟୋଜିତ ହୋଇଯାଇଛି। ଏହି ଅବସରରେ ‘ମିଡିଆ ଆଟ୍‌ କ୍ରସ୍‌ରୋଡ଼୍‌: ଆଇଡେଣ୍ଟିଟି, ଇନ୍‌କ୍ଲୁଜନ୍‌ ଆଣ୍ଡ୍‌ ରିପ୍ରେଜେଣ୍ଟେସନ୍‌ ଇନ୍‌ ଦ ଡିଜିଟାଲ୍‌ ଏଜ୍‌’ ଶୀର୍ଷକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣ ଜୟନ୍ତୀ ସମାରୋହର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ‌ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ତୃତୀୟ ନୟନ ହେଉଛନ୍ତି ଶିବ। ଗଣମାଧ୍ୟମର ପ୍ରତିନିଧି ଯଦି ତୃତୀୟ ନୟନ ହୋଇ ପାରିବେ ଓ ବ୍ୟବସ୍ଥା ସମ୍ପର୍କରେ ଠିକ୍‌ ଭାବେ ଉପସ୍ଥାପନ କରିବେ, ତେବେ ଆମ ସମାଜ ଓ ବୃତ୍ତି ପାଇଁ ବେଶ୍‌ ହିତକର ହେବ। ଶିବଙ୍କ ସହିତ ତୃତୀୟ ନୟନର ସମ୍ପର୍କ ଅନ୍ୟ କେଉଁ କାରଣରୁ ରହିଥାଉ ନା କାହିଁକି, ଆମ ପାଇଁ ଏହା ଗୁରୁତ୍ବପୂର୍ଣ୍ଣ। ଶିବଙ୍କ ଅନ୍ୟ ନାମ ହେଲା କୃତିବାସ, ଏହାର ଅର୍ଥ ଅଳ୍ପ ପୋଷାକ। ଅନ୍ୟ ନାମ ହେଲା ଆଶୁତୋଷ, ଏହାର ଅର୍ଥ ଅଳ୍ପକେ ସନ୍ତୋଷ। ଯଦି ଜଣେ ସାମ୍ବାଦିକ ନିଜ ଆତ୍ମାକୁ ଶାନ୍ତି ଦେବା ସହିତ ନିଜକୁ ସନ୍ତୁଷ୍ଟ କରିବାକୁ ଚାହୁଛନ୍ତି ତେବେ ଅଳ୍ପରେ ସନ୍ତୋଷ ହେବା ଅଭ୍ୟାସ ଆପଣାନ୍ତୁ। ଏହା ହେଲେ ଜଣେ ସାମ୍ବାଦିକ ନିଜକୁ ଦକ୍ଷ ଭାବେ ଗଢ଼ି ପାରିବ।

ବ୍ୟବସ୍ଥା ଓ ଗଣମାଧ୍ୟମର ଭୂମିକା ବିଷୟରେ ବୁଝାଇବାକୁ ଯାଇ ଶ୍ରୀ ପଟ୍ଟନାୟକ କହିଥିଲେ, ସରକାରଙ୍କ ଦୁଇଟି ନୟନ ରହିଛି, ଗୋଟିଏ ପ୍ରଶାସକ ଓ ଅନ୍ୟଟି ଦଳ। ସରକାର ସେହି ଦୁଇଟି ଆଖି ମଧ୍ୟରେ ସୀମିତି ରହୁଛନ୍ତି। ଏହି ଦୁଇଟି ଆଖି ସବୁ ସମୟରେ ସରକାରଙ୍କୁ ଭଲ ଦୃଶ୍ୟ ଦେଖାଇବେ। ଏହି ସମୟରେ ସାମ୍ବାଦିକମାନେ ତୃତୀୟ ଆଖି ହୋଇ ସମାଜର ପ୍ରକୃତ ସତ୍ୟ ଓ ସମସ୍ୟା ସାମ୍ନାକୁ ଆଣିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ତଥା ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ମୁଖ୍ୟ ପୃଷ୍ଠପୋଷକ ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟବକ୍ତା ଭାବେ ମଣିପାଲ୍‌ ବିଶ୍ବବିଦ୍ୟାଳୟର ପ୍ରଫେସର ବି.ପି. ସଂଜୟ ଯୋଗ ଦେଇ କହିଥିଲେ, ଗଣମାଧ୍ୟମରେ ବୈପ୍ଳବିକ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ଗଣମାଧ୍ୟମ ଯେଉଁ ସ୍ତରରେ ରହିଛି, ତା’ର ଭବିଷ୍ୟତ କ’ଣ ରହିବ ତାହା ଆମକୁ ନିର୍ଣ୍ଣୟ କରିବାକୁ ହେବ। ଡିଜିଟାଲ୍‌ ଯୁଗରେ ମୁଦ୍ରିତ ଗଣମାଧ୍ୟମ ଯଦି ତା’ର ବିଶ୍ବସନୀୟତା ବଜାୟ ରଖିବ, ତେବେ ଯେଉଁ ଦିଗରେ ଗଲେ ମଧ୍ୟ ସଫଳତା ମିଳିବ।

ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପିଜି କାଉନ୍‌ସିଲ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, କୁଳସଚିବ ସଚ୍ଚିଦାନନ୍ଦ ନାୟକ, ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ମୁଖ୍ୟ ଡ.ବନ୍ଦିତା କୁମାରୀ ପଣ୍ଡା, ଆଲୁମ୍‌ନି ସମ୍ପାଦକ ପ୍ରଫେସର ଗଣେଶ ସେଠୀ, ଆଲୁମ୍‌ନି ସଭାପତି ତଥା ଅବସରପ୍ରାପ୍ତ ପ୍ରଫେସର ଜେ.ଶେଷଗିରି ରାଓ, ଆଲୁମ୍‌ନି ଉପସଭାପତି ତଥା ବ୍ରହ୍ମପୁର ଆକାଶବାଣୀର ପୂର୍ବତନ କାର୍ଯ୍ୟକ୍ରମ ମୁଖ୍ୟ ଡ.ହୃଷୀକେଶ ପାଣିଗ୍ରାହୀ ଯୋଗ ଦେଇଥିଲେ। କୁଳପତି ଶ୍ରୀମତୀ ଦାଶ ଗଣମାଧ୍ୟମ‌ର ବର୍ତ୍ତମାନ ଓ ଭବିଷ୍ୟତ ଉପରେ ସୂଚନା ଦେଇଥିଲେ। ବିଭାଗୀୟ ଛାତ୍ର ସ୍ବସ୍ତି ସୁନ୍ଦର ସିୟ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଜୟନ୍ତ କୁମାର ପଣ୍ଡା ଧନ୍ୟବାଦ ଦେଇଥିଲେ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button