ରାଜ୍ୟ

ଖୁବ୍‌ଶୀଘ୍ର ଆସିବ ନୂଆ ରାଜସ୍ବ ଆଇନ: ମନ୍ତ୍ରୀ

ସମ୍ବଲପୁର: ଓଡ଼ିଶାର ରାଜସ୍ବ ବିଭାଗରେ ବ୍ୟାପକ ସଂସ୍କାର ଅଣାଯିବ। ରାଜ୍ୟରେ ନୂଆ ରାଜସ୍ବ ଆଇନ୍ ଆସିବ। ଆଇନରେ ଥିବା ‘ରିଲିଫ୍‌’ ଶବ୍ଦ ବ୍ୟବହାର କରାଯିବ ନାହିଁ। ‘ରିଲିଫ୍’ ଶବ୍ଦ ଦୟାଭାବ ସୂଚାଉଛି। ତେଣୁ ତାହା ପରିବର୍ତ୍ତେ ବିପର୍ଯ୍ୟୟ ଅଧିକାର ଆଇନରେ ପରିବର୍ତ୍ତିତ ହେବ ବୋଲି ଆଜି ସମ୍ବଲପୁରଠାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶା ଲ୍ୟାଣ୍ଡ ସେଟେଲମେଣ୍ଟ୍‌ ଆକ୍ଟର ଧାରା ୩ରେ ସଂଶୋଧନ କରାଯିବ। ଏଥିପାଇଁ ବିଧିବଦ୍ଧ ଘୋଷଣା କରାଯାଇଛି। ଯେଉଁମାନେ ଚାହିବେ, ୩୦ ଦିନ ମଧ୍ୟରେ ଆପତ୍ତି କରିପାରିବେ। ପୂର୍ବରୁ କେବଳ ଭୂମିହୀନମାନଙ୍କୁ ଘରଡିହ ଜମି ଯୋଗାଇ ଦିଆଯାଉଥିଲା। ଏବେ ଯେଉଁମାନଙ୍କ ପାଖରେ ୪ ‌ଡେସିମିଲ୍‌ ଜମିରୁ କମ୍ ରହିଛି, ତାଙ୍କୁ ମଧ୍ୟ ଭୂମିହୀନ ଭାବେ ଗଣନା କରାଯିବ। ଯଦି ଜଣେ ବ୍ୟକ୍ତିଙ୍କ ପାଖରେ ଗୋଟିଏ ଡେସିମଲ୍‌ ଜମି ରହିଛି, ତାଙ୍କୁ ଆଉ ୩ ଡେସିମିଲ୍‌ ଜମି ଯୋଗାଇ ଦିଆଯିବ।

ଆଉ ବ୍ୟବହାର ହେବନି ‘ରିଲିଫ୍‌’ ଶଦ୍ଦ
ଏଣିକି ଜମି ବିକି ପାରିବେନି ଭୂମିହୀନ
ଆର୍‌ଆଇ, ଅମିନଙ୍କୁ ମିଳିବ ଲାପ୍‌ଟପ୍‌

ଯଦି ସେ ସେହି ଗୋଟିଏ ଡେସିମିଲ୍‌ ଜମି ସରକାରଙ୍କୁ ଦେଇଦିଅନ୍ତି, ତାହା ହେଲେ ତାଙ୍କୁ ଅନ୍ୟତ୍ର ଗୋଟିଏ ଜାଗାରେ ୪ ଡେସିମିଲ୍‌ ଜମି ଦିଆଯିବ। ପୂର୍ବରୁ ବସୁ୍ନ୍ଧରା ଯୋଜନାରେ ଯେଉଁମାନଙ୍କୁ ଜମି ମିଳୁଥିଲା, ସେମାନେ ୧୦ ବର୍ଷ ପରେ ବିକ୍ରି କରିପାରୁଥିଲେ। ଏବେ କିନ୍ତୁ ଯେଉଁ ଭୂମିହୀନମାନଙ୍କୁ ଜମି ଦିଆଯିବ, ସେମାନେ ଆଉ ତାହା ବିକ୍ରି କରିପାରିବେ ନାହିଁ। ସେମାନଙ୍କ ସନ୍ତାନମାନେ କିନ୍ତୁ ଉତ୍ତରାଧିକାରୀ ସୂତ୍ରରେ ସେହି ଜମିର ପଟ୍ଟା ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ରାଜସ୍ବ ସେବାରେ ଯେହେତୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି, ତେଣୁ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାରମାନଙ୍କ ସହିତ ବ୍ୟାପକ ଆଲୋଚନା କରାଯାଇଛି। ଆଗାମୀ ଦିନରେ ରାଜସ୍ୱ ବିଭାଗକୁ ସଂପୂର୍ଣ୍ଣ ଦୁର୍ନୀତିମୁକ୍ତ କରିବା ପାଇଁ ଆଧୁନିକୀକରଣ ବ୍ୟବସ୍ଥା ଗ୍ରହଣ କରାଯାଉଛି। ରାଜସ୍ବ ନିରୀକ୍ଷକ ଓ ଅମିନମାନଙ୍କ କାମକୁ ସୁବିଧା କରିବା ପାଇଁ ସମସ୍ତଙ୍କୁ ଲାପ୍‌ଟପ୍‌ ଯୋଗାଇ ଦେବାର ପ୍ରସ୍ତାବ ରହିଛି ବୋଲି ସେ କହିଥି‌ଲେ।

ସମୀକ୍ଷା ବୈଠକରେ ଧାନକ୍ରୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ଧାନ ସଂଗ୍ରହ ସମୟରେ ଚାଷୀମାନଙ୍କୁ ସୁବିଧା ଯୋଗାଣ, କୃଷକଙ୍କୁ ଯଥାସମୟରେ ସର୍ବନିମ୍ନ ସହାୟକ ରାଶି ପ୍ରଦାନ, ମଣ୍ଡିରେ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ, ରାଜସ୍ୱ ବିଭାଗୀୟ ଗରିବକଲ୍ୟାଣ ଯୋଜନା ଯଥା ବସୁନ୍ଧରା ଯୋଜନା, ଶିକ୍ଷାନୁଷ୍ଠାନମାନଙ୍କୁ ଜମି ପଟ୍ଟା ପ୍ରଦାନ, ଜନଜାତିମାନଙ୍କୁ ଜଙ୍ଗଲ ଜମି ଉପରେ ଅଧିକାର ପ୍ରଦାନ ଆଦି ବିଷୟ ଉପରେ ଆଲୋଚନା ହୋଇଥିଲା। ବୈଠକରେ ମନ୍ତ୍ରୀ ଶ୍ରୀ ପୂଜାରୀ ଧାନ ବିକ୍ରୟ କେନ୍ଦ୍ରକୁ ଆଧୁନିକୀକରଣ କରିବା, ସ୍ଥାୟୀ ଗୋଦାମ ନିର୍ମାଣ, ଚାଷୀମାନଙ୍କ ପାଇଁ ପ୍ରତୀକ୍ଷା କକ୍ଷ, ପାନୀୟଜଳ, ଶୌଚାଳୟ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଉପରେ ଗୁରୁ୍ତ୍ବାରୋପ କରିଥିଲେ। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ସମେତ ପ୍ରାଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button