ଓଡ଼ିଆ ଜାତିର ସ୍ବାଭିମାନ ପାଇଁ ପଣ୍ଡିତ ନୀଳମଣିଙ୍କ ସଂଘର୍ଷ ଅବିସ୍ମରଣୀୟ: ବିଶ୍ବଭୂଷଣ
ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଅବଦାନ ଅବିସ୍ମରଣୀୟ। ସେ ଓଡ଼ିଆ ଜାତିର ସ୍ବାଭିମାନକୁ ଏକ ଉଚ୍ଚତର ସୋପାନକୁ ନେଇଥିଲେ। ଓଡ଼ିଆ ଜାତିର ଅଖଣ୍ଡତା ଓ ସାର୍ବଭୌମତ୍ବ ବଜାୟ ରଖିବା ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସୂଚନା ଲୋକସମ୍ପର୍କ ବିଭାଗ ଓ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିମାନେ କହିଛନ୍ତି। ଆଜି ସନ୍ଧ୍ୟାରେ ଜୟଦେବ ଭବନଠାରେ ଅନୁଷ୍ଠିତ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବେ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଯୋଗଦେଇ ଓଡ଼ିଆ ଜାତିର ସ୍ବାଭିମାନ ପାଇଁ ପଣ୍ଡିତ ନୀଳମଣିଙ୍କ ସଂଘର୍ଷ ସମ୍ପର୍କରେ ମତ ରଖିଥିଲେ। ଭାଷାର ଅବକ୍ଷୟକୁ ରୋକିବା ପାଇଁ ଆଗାମୀ ପିଢ଼ି ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ପଥ ଅନୁସରଣ କରନ୍ତୁ ବୋଲି ପରାମର୍ଶ ଦେଇଥିଲେ।
‘ଭାଷା, ସଂସ୍କୃତି ଓ ସମ୍ବାଦପତ୍ର ସମ୍ପାଦନା କ୍ଷେତ୍ରରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ବିକଳ୍ପ ନାହିଁ’
ମୁଖ୍ୟବକ୍ତା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ଏକ ଗରିବ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରି ପଣ୍ଡିତ ନୀଳମଣି ମାତ୍ର ୨୦ବର୍ଷ ବୟସରେ ସଂସ୍କୃତ, ଓଡ଼ିଆ ଓ ଇଂରାଜୀ ଭାଷାରେ ଦକ୍ଷ ହୋଇପାରିଥିଲେ। ଭାଷା, ସଂସ୍କୃତି ଓ ସମ୍ବାଦପତ୍ର ସମ୍ପାଦନା କ୍ଷେତ୍ରରେ ପଣ୍ଡିତ ବିଦ୍ୟାରତ୍ନଙ୍କ ବିକଳ୍ପ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ମତ ରଖିଥିଲେ। ବିଶିଷ୍ଟ ଅତିଥି ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ ଭବିଷ୍ୟତ ପିଢ଼ିମାନେ ଆମର ଗୌରବମୟ ଇତିହାସର ଅନୁଧ୍ୟାନ କଲେ ପଣ୍ଡିତ ନୀଳମଣିଙ୍କ ଭଳି ବହୁ ମହାପୁରୁଷଙ୍କ ସମ୍ବନ୍ଧରେ ଜାଣି ପାରିବେ।
ପାଠ୍ୟକ୍ରମରେ ଏହି ମହାପୁରଷଙ୍କୁ ସ୍ଥାନ ଦେବାକୁ ଶ୍ରୀ ଶତପଥୀ ଦାବି କରିଥିଲେ। ସମ୍ମାନିତ ଅତିଥି ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ କହିଥିଲେ ଯେ ସାମ୍ବାଦିକତା କ୍ଷେତ୍ରରେ ବିଶେଷ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଣ୍ଡିତ ନୀଳମଣିଙ୍କ ନାମରେ ପୁରସ୍କାର ପ୍ରଦାନ କରାଯାଉ। ଏଥିସହ ମହାନଦୀ ଉପରେ ବଡ଼ମ୍ବା ଓ ଗୋପୀନାଥପୁରକୁ ସଂଯୋଗ କରୁଥିବା ଟି- ବ୍ରିଜ୍କୁ ବିଦ୍ୟାରତ୍ନ ନାମରେ ନାମିତ କରିବାକୁ ଦାବି କରିଥିଲେ। ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ସରୋଜ ସାମଲ କାର୍ଯ୍ୟକ୍ରମରେ ସଭାପତିତ୍ବ କରିବା ସହ ସ୍ବାଗତ ଭାଷଣରେ ପଣ୍ଡିତ ନୀଳମଣିଙ୍କ ସମ୍ପର୍କରେ ସାରଗର୍ଭକ ମତ ରଖିଥିଲେ। ଭାଷ୍ୟକାର କୃଷ୍ଣକେଶବ ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ।