ଶ୍ରୀକୃଷ୍ଣଙ୍କ ପାଇଁ ୮୫୧ ପ୍ରକାର ବ୍ୟଞ୍ଜନ

ପୁରୀ: ଭକ୍ତ ସାଜିଥିଲେ ଯଶୋଦା। ମଠ ପାଲଟିଥିଲା ଗୋକୁଳ ଧାମ। ମଠ ମନ୍ଦିରରୁ ଭାସି ଆସୁଥିଲା ସୁସ୍ବାଦୁ ବ୍ୟଞ୍ଜନର ବାସ୍ନା। ପ୍ରଭୁ ଶ୍ରୀକୃଷ୍ଣ ଓ ଦେବୀ ରାଧାଙ୍କ ଉଦ୍ଦେଶ୍ୟରେ ହୋଇଥିଲା ୮୫୧ ପ୍ରକାରର ବ୍ୟଞ୍ଜନ। ଗୌରବିହାର (ମାତା ମଠ) ପରିସରରେ ହୋଇଥିଲା ଭାବଭକ୍ତିର ଏହି ନିଆରା ଆୟୋଜନ। ମାର୍ଗଶୀର ଶୁକ୍ଳ ଦ୍ବାଦଶୀରେ ଶ୍ରୀମନ୍ଦିରରେ ରାଧାକୃଷ୍ଣଙ୍କ ମନ୍ଦିରରେ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିବା ବେଳେ ଗୌରବିହାରରେ ଗୌଡ଼ୀୟ ଭକ୍ତଙ୍କ ଦ୍ବାରା ଏତେ ରକମର ପ୍ରସାଦ ବ୍ୟଞ୍ଜନ ଦେଖିବାକୁ ଭକ୍ତଙ୍କ ଭିଡ଼ ଜମିଥିଲା। ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ଗୌରବିହାରରେ ପ୍ରସ୍ତୁତ ବ୍ୟଞ୍ଜନ ମଧ୍ୟରେ ଥିଲା ୧୪ ପ୍ରକାର ଅନ୍ନ, ୬୦ ପ୍ରକାରର ଡାଲି, ତରକାରୀ, ଖଟା, ଖିରି, ପିଠା, ମିଠା, ୬୫ ପ୍ରକାରର ଚଟଣି, ୭୦ ପ୍ରକାରର ପାମ୍ପଡ଼, ୬୫ ପ୍ରକାର ଭଜା। ଶ୍ରୀରାଧାକୃଷ୍ଣଙ୍କୁ ସମର୍ପିତ ହେବା ପରେ ଭକ୍ତମାନେ ସେବନ କରିଥିଲେ। ଗୌରବିହାରର ମଠାଧୀଶ ତଥା ଶ୍ରୀଗୌରବିହାର ଆଧ୍ୟାତ୍ମିକ ଦାତବ୍ୟ ଟ୍ରଷ୍ଟର ମହନ୍ତ ସୁବଳ ଚରଣ ଦାସ କହିଛନ୍ତି, ପରମ୍ପରା ମୁତାବକ ବ୍ୟଞ୍ଜନ ଦ୍ବାଦଶୀରେ ରାଧାକୃଷ୍ଣଙ୍କୁ ବିଭିନ୍ନ ପ୍ରକାରର ସୁସ୍ବାଦୁ ବ୍ୟଞ୍ଜନ ଭୋଗ ଲାଗି କରାଯିବାର ବିଧି ରହିଛି। ପୌରାଣିକ କିମ୍ବଦନ୍ତି ମୁତାବକ, ମା’ ଯଶୋଦା ଆଜିର ଦିନରେ ବିଭିନ୍ନ ରକମର ବ୍ୟଞ୍ଜନ ପ୍ରସ୍ତୁତ କରି ଶ୍ରୀକୃଷ୍ଣଙ୍କୁ ଖାଇବାକୁ ଦେଇଥିଲେ। ଏହି ଆଧାରରେ ଗୌଡ଼ୀୟ ବୈଷ୍ଣବ ଭକ୍ତମାନେ ନିଜେ ସ୍ବାଦିଷ୍ଟ ଭୋଜନ ପ୍ରସ୍ତୁତ କରି ଭକ୍ତିର ନୈବେଦ୍ୟ ଭେଟି ଦେଇଥାଆନ୍ତି। ସମ୍ପାଦକ ବାବା ଶ୍ୟାମାନନ୍ଦ ଦାସଙ୍କ ସମେତ ସନ୍ଥମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।