ରାଜ୍ୟ

ବର୍ଷସରିଲା, ୩୩% ପିଲାଙ୍କୁ ମିଳିନି ୟୁନିଫର୍ମ: ଏସ୍‌ଏଚ୍‌ଜିଙ୍କ ନାଁରେ କାମ କରୁଛନ୍ତି ଦୋକାନୀ

ରାଉରକେଲା: ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ପିଲାଙ୍କୁ ସରକାର ମାଗଣାରେ ପୋଷାକ ଯୋଗାଇ ଦେଉଛନ୍ତି। ହେଲେ ସୁନ୍ଦରଗଡ଼ ଜିଲ୍ଲାରେ ବିଭାଗୀୟ ଅଧିକାରୀ ଓ ପୋଷାକ ବଣ୍ଟନ କାମ ହାତେଇଥିବା ସ୍ବୟଂ ସହାୟକ ଗୋଷ୍ଠୀର ଅବହେଳାରୁ ପିଲାମାନଙ୍କୁ ଠିକ୍‌ ସମୟରେ ପୋଷାକ ମିଳିନାହିଁ। ଅଗଷ୍ଟରେ ପୋଷାକ ମିଳିବା ପରିବର୍ତ୍ତେ ନଭେମ୍ବର ଓ ଡିସେମ୍ବରରେ ଦିଆଯାଉଛି। ତାହା ପୁଣି ଏସ୍‌ଏଚ୍‌ଜି ନୁହେଁ ଦୋକାନୀମାନେ ଯୋଗାଉଛନ୍ତି। ଶିକ୍ଷାବର୍ଷ ଶେଷ ହେବାକୁ ଆଉ ମାତ୍ର ୩ ମାସ ବାକି। ଆଜି ପର୍ଯ୍ୟନ୍ତ ୬୭% ପିଲାଙ୍କୁ ପୋଷାକ ମିଳିଛି। ୩୩% ପିଲାଙ୍କୁ ପୋଷାକ ମିଳିପାରି ନାହିଁ। ଚଳିତ ଶିକ୍ଷାବର୍ଷ ‌ଶେଷସୁଦ୍ଧା ପୋଷାକ ମିଳିବ କି ନାହିଁ, କାହାରି ପାଖରେ ଉତ୍ତର ନାହିଁ।

ସୁନ୍ଦରଗଡ଼ ଜିଲ୍ଲାର ସରକାରୀ ସ୍କୁଲ୍‌ ଗୁଡ଼ିକରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ମୋଟ ୧ ଲକ୍ଷ ୬୭ ହଜାର ୫୬୪ ପିଲା ପାଠ ପଢ଼ୁଛନ୍ତି। ଏମାନଙ୍କ ପୋଷାକ ପାଇଁ କେନ୍ଦ୍ର ସରକାର ୧୦ କୋଟି ୫ ଲକ୍ଷ ୩୮ ହଜାର ୪୦୦ ଟଙ୍କା ଓ ରାଜ୍ୟ ସରକାର ୬ କୋଟି, ୭୦ ଲକ୍ଷ ୨୫ ହଜାର ୬୦୦ ଟଙ୍କା ମଞ୍ଜୁର କରିଛନ୍ତି। ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଜିଲ୍ଲାର ୧୭ ବ୍ଲକ, ୩ଟି ପୌରପାଳିକା ଓ ଗୋଟିଏ ମହାନଗର ନିଗମରେ ପୋଷାକ ଯୋଗାଇବା ଦାୟିତ୍ବ ୨୭୪ ଏସ୍‌ଏଚ୍‌ଜି ଓ ୮୬ଟି କ୍ଷୁଦ୍ର ଉଦ୍ୟୋଗଙ୍କୁ ଦିଆଯାଇଛି। ହେଲେ କାମ ନେଇଥିବା ୨୭୪ ଏସ୍‌ଏଚ୍‌ଜି ମଧ୍ୟରୁ ଅଧିକାଂଶଙ୍କର ନିଜସ୍ବ ଉତ୍ପାଦନ ୟୁନିଟ୍‌ ନାହିଁ। ମୋଟା ଅଙ୍କର କମିସନ୍‌ ହାତେଇ ଏମାନେ କପଡ଼ା ବ୍ୟବସାୟୀଙ୍କୁ ପୋଷାକ ଯୋଗାଇବା କାମ ଦେଇଛନ୍ତି। ଜିଲ୍ଲା ପ୍ରତ୍ୟେକ ବ୍ଲକର ୨/୩ ଜଣ ଲେଖାଏଁ ହୋଲ୍‌ସେଲ୍‌ କପଡ଼ା ବ୍ୟବସାୟୀ ବିଦ୍ୟାଳୟଗୁଡ଼ିକୁ ପୋଷାକ ଯୋଗାଉଛନ୍ତି। ନୂଆଗାଁ ବ୍ଲକ୍‌ର ପ୍ରାୟ ୧୧ ହଜାର ପିଲାଙ୍କୁ ରାଉରକେଲା, ବିଶ୍ରା ଓ ହାତୀବାରି ବ୍ୟବସାୟୀ ପୋଷାକ ଯୋଗାଇ ଦେଇଛନ୍ତି। ବିଦ୍ୟାଳୟ ପରିଚାଳନା କମିଟି (ଏସ୍‌ଏମ୍‌ସି) ଏସ୍‌ଏଚ୍‌ଜିଗୁଡ଼ିକୁ ଜିଏସ୍‌ଟି ବିଲ୍‌ ମାଗିବା ପରେ ଏଭଳି ଘଟଣା ସାମ୍ନାକୁ ଆସିଛି। କେବଳ ନୂଆଗାଁ ବ୍ଲକ୍‌ ନୁହେଁ, ବିଶ୍ରା, ଗୁରୁଣ୍ଡିଆ, ଲାଠିକଟା, କୋଇଡ଼ା, ବଣାଇ, ବଡଗାଁ, କୁତ୍ରା, ରାଜଗାଙ୍ଗପୁର ଆଦି ବ୍ଲକ ସହ ରାଉରକେଲା ମହାନଗର ନିଗମ, ବୀରମିତ୍ରପୁର, ରାଜଗାଙ୍ଗପୁର ଓ ସୁନ୍ଦରଗଡ଼ ପୌରପାଳିକାରେ ମଧ୍ୟ ସମାନ ଅଭିଯୋଗ ହୋଇଛି।

ଏସ୍‌ଏଚ୍‌ଜିଙ୍କ ସହ ଭିତିରି ସଲାସୁତୁରା କରି କାମ ନେଇଥିବା ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଇ ବିଭାଗ ଚୁପ୍‌ ବସିଛି। ସେପଟେ ୨୦୨୨-୨୩ ଶିକ୍ଷାବର୍ଷର ପିଲାସଂଖ୍ୟା ଅନୁଯାୟୀ ଏସ୍‌ଏମ୍‌ସି ଆକାଉଣ୍ଟକୁ ଆସିଥିବା ଅର୍ଥକୁ ନେଇ ମଧ୍ୟ ଶିକ୍ଷକମାନେ ଅଡ଼ୁଆରେ ପଡ଼ିଛନ୍ତି। କେଉଁ ବିଦ୍ୟାଳୟ ପାଇଁ ପିଲାସଂଖ୍ୟାଠୁ ଅଧିକ ଟଙ୍କା ଏସ୍‌ଏମ୍‌ସି ଆକାଉଣ୍ଟକୁ ଆସିଛି ତ’ ଆଉ କେଉଁ ବିଦ୍ୟାଳୟକୁ ଯେତିକି ପିଲା ଅଛନ୍ତି, ତା’ଠୁ କମ୍‌ ଟଙ୍କା ଏସ୍‌ଏମ୍‌ସି ଆକାଉଣ୍ଟକୁ ଆସିଛି। ଜିଲ୍ଲାର ପ୍ରାୟ ଅଧିକାଂଶ ବିଦ୍ୟାଳୟରେ ଏଭଳି ସମସ୍ୟା ସୃଷ୍ଟି ହୋଇଥିବାରୁ ପିଲାମାନଙ୍କୁ ପୋଷାକ ଯୋଗାଇ ଦିଆଯାଇପାରିନି। ଏସ୍‌ଏଚ୍‌ଜିଗୁଡ଼ିକ ନିଜେ ପୋଷାକ ତିଆରି ନକରି ଦୋକାନୀମାନଙ୍କୁ ଦେଇଦେବା ଓ ପିଲାସଂଖ୍ୟା ଅନୁଯାୟୀ ଅର୍ଥ ଆସି ନଥିବାରୁ ୩୩% ପିଲା ଆଜି ପର୍ଯ୍ୟନ୍ତ ପୋଷାକ ପିନ୍ଧି ପାରିନାହାନ୍ତି। ବ୍ଲକ ଶିକ୍ଷାଅଧିକାରୀ ଓ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟରେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ସୁନ୍ଦରଗଡ଼ ଜିଲ୍ଲାର ପିଲାମାନେ ବିନା ୟୁନିଫର୍ମରେ ବିଦ୍ୟାଳୟକୁ ଯାଉଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button