ରାଜ୍ୟ

ରାଜସ୍ଥାନରେ ଓଡ଼ିଆ ଛାତ୍ରୀଙ୍କ ମୃତ୍ୟୁ: ଶୁଣିଲାନି ସ୍ଥାନୀୟ ପୁଲିସ, ପାହାଳ ଥାନାରେ ହତ୍ୟା ଅଭିଯୋଗ

ବାଲିଅନ୍ତା ବଜାର (ଭୁବନେଶ୍ବର): ରାଜସ୍ଥାନସ୍ଥିତ ନିଟ୍‌ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଜଣେ ଓଡ଼ିଆ ଛାତ୍ରୀଙ୍କ ମୃତ୍ୟୁକୁ ପରିବାର ଲୋକେ ଗ୍ରହଣ କରିପାରିନାହାନ୍ତି। ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ସନ୍ଦେହ କରିଛନ୍ତି। କିନ୍ତୁ ବାପାମା’ଙ୍କ ଅଭିଯୋଗକୁ ସ୍ଥାନୀୟ ପୁଲିସ ଗ୍ରହଣ କରିନାହିଁ।

ଫଳରେ ବାପାମା’ ହତାଶ ହୋଇ ଓଡ଼ିଶା ଫେରିବା ପରେ ପାହାଳ ଥାନାର ଦ୍ବାରସ୍ଥ ହୋଇଛନ୍ତି।

ପାହାଳ ଥାନା ଅଧୀନ ନହରକଣ୍ଟା ହରିଦାସପୁର ଗ୍ରାମର ସୁରେଶ ଚନ୍ଦ୍ର ସ୍ୱାଇଁଙ୍କ ଏକମାତ୍ର ଝିଅ ଶୁଭଶ୍ରୀ ସ୍ୱାଇଁ (୨୧) ରାଜସ୍ଥାନରେ ପଢ଼ୁଥିଲେ। ସୋମବାର ରାତି ପ୍ରାୟ ୧୦ଟା ବେଳେ ସେ ନିଜ ଆଡ଼ୁ ଫୋନ୍‌ କରି ବାପାମା’ଙ୍କ ସହ କଥା ହୋଇଥ‌ିଲେ। ଶୁଭଶ୍ରୀଙ୍କ କଥାବାର୍ତ୍ତାରେ ସ୍ବାଭାବିକ ଭାବେ ହସଖୁସିର ଝଲକ ଥିଲା। କିନ୍ତୁ ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଶୁଭଶ୍ରୀଙ୍କ ଜଣେ ଓଡ଼ିଆ ରୁମ୍‌ମେଟ୍‌ ଫୋନ୍‌ କରିଥିଲେ। ଶୁଭଶ୍ରୀ ହଠାତ୍ ସଂଜ୍ଞାହୀନ ହୋଇ ପଡ଼ିଛନ୍ତି ବୋଲି ସେ ଫୋନ୍‌ କରି ଜଣାଇଥିଲେ ଏବଂ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ବୋଲି କହିଥିଲେ। ପରଦିନ ସକାଳୁ ପରିବାର ଲୋକେ ବିମାନ ଯୋଗେ ରାଜସ୍ଥାନରେ ପହଞ୍ଚିବା ପରେ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇ ଯାଇଥିବା ଜାଣିଥିଲେ। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। କିନ୍ତୁ ବାପାମା’ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କଲା ପରେ ବି ପୁଲିସ ଏତଲା ଗ୍ରହଣ କଲାନାହିଁ। ଶୁଭଶ୍ରୀଙ୍କ ମୃତ୍ୟୁ ରହସ୍ୟରୁ ପର୍ଦ୍ଦା ହଟାଇବାକୁ ବାପାମା’ ପାହାଳ ଥାନା ପୁଲିସକୁ ନିବେଦନ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button