ରାଜ୍ୟ

ସ୍କୁଲ ରୂପାନ୍ତରଣର ଅସଲ ରୂପ… ଖର୍ଚ୍ଚ ୫୨୭ କୋଟି, ୫୦୦ ଶ୍ରେଣୀଗୃହ ବାକି

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ବିଦ୍ୟାଳୟ ରୂପାନ୍ତରଣ ପାଇଁ ୫୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଏବେ ବି ବିଭିନ୍ନ ବିଦ୍ୟାଳୟରେ ୫୦୦ଟି ଶ୍ରେଣୀଗୃହର ଆବଶ୍ୟକତା ଥିଲେ ମଧ୍ୟ ତାହା ନିର୍ମାଣ ହୋଇପାରିନାହିଁ। ଶ୍ରେଣୀଗୃହ ନିର୍ମାଣକୁ ପ୍ରାଥମିକତା ଦିଆନଯାଇ ରଙ୍ଗମରା, ଘାସ ଗାଲିଚା, ଷ୍ଟିକରିଂ ଆଦିରେ ଅନୁଦାନ ଖର୍ଚ୍ଚ କରାଯାଇଛି। ଫଳରେ ଶ୍ରେଣୀଗୃହ ଅଭାବରୁ ବିଭିନ୍ନ ବିଦ୍ୟାଳୟରେ ପାଠପଢ଼ା ବାଧାପ୍ରାପ୍ତ ହେଉଛି।

ବିଧାନସଭାରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ପ୍ରଶ୍ନରେ ମିଳିଥିବା ଉତ୍ତର ଅନୁସାରେ, କେନ୍ଦୁଝର ଜିଲ୍ଲାରେ ୪୫୨ଟି ଉଚ୍ଚବିଦ୍ୟାଳୟର ରୂପାନ୍ତରଣ ହୋଇଛି। ଏଥିପାଇଁ ଡିଏମ୍‌ଏଫ୍‌ରୁ ୫୨୭ କୋଟି ୮୮ ଲକ୍ଷ ୬୨ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ୨୦୨୦-୨୧ରେ ୧୨୪ କୋଟି, ୨୦୨୧-୨୨ରେ ୨୫୦ କୋଟି, ୨୦୨୨-୨୩ରେ ୬୨ କୋଟି, ୨୦୨୩-୨୪ରେ କୋଟିଏ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଛି। ୪ ବର୍ଷରେ ୫୨୭ କୋଟିରୁ ଅଧିକ ଟଙ୍କା ରୂପାନ୍ତରଣ ପାଇଁ ଖର୍ଚ୍ଚ ହୋଇଥିବାବେଳେ ଆଜି ବି ଜିଲ୍ଲାର ୩୨୭ଟି ସରକାରୀ ବିଦ୍ୟାଳୟ (ପ୍ରାଥମିକ ବିଦ୍ୟାଳୟ, ଉପ୍ରା ବିଦ୍ୟାଳୟ, ଉଚ୍ଚବିଦ୍ୟାଳୟ)ରେ ୪୯୪ଟି ଶ୍ରେଣୀଗୃହର ଆବଶ୍ୟକତା ରହିଛି।

ରଙ୍ଗ, ଷ୍ଟିକରିଂ, ଗାଲିଚାରେ ଖର୍ଚ୍ଚ ହୋଇଛି ଅଧିକ ଅର୍ଥ

ବିଦ୍ୟାଳୟ ରୂପାନ୍ତରଣ ପାଇଁ ଅର୍ଥ ଖର୍ଚ୍ଚ ବେଳେ ଶ୍ରେଣୀଗୃହ ନିର୍ମାଣ ଉପରେ ଗୁରୁତ୍ବ ଦିଆଯାଇ ନଥିଲା। କାନ୍ଥରେ ରଙ୍ଗ ମରାଯିବା ସହ ପାଚେରି ନିର୍ମାଣ, ଫାଟକ ନିର୍ମାଣ, ଘାସ ଗାଲିଚା ତିଆରି, କବାଟରେ ଷ୍ଟିକର ମରା ଆଦି କାମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଗଲା। ରୂପାନ୍ତରଣ ପାଇଁ ବିଦ୍ୟାଳୟ ପିଛା କୋଟିଏରୁ ଦେଢ଼କୋଟି ପର୍ଯ୍ୟନ୍ତ ଖର୍ଚ୍ଚ କରାଯିବା ସତ୍ତ୍ବେ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ହେଉଥିବା ଶ୍ରେଣୀଗୃହ ତିଆରି ହୋଇପାରିଲା ନାହିଁ। ଚମ୍ପୁଆ ବ୍ଲକ୍‌ ଜାମୁଦଲକ ପଞ୍ଚାୟତ ସାତହଳିଆ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୦୭ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ଶ୍ରେଣୀଗୃହ ନାହିଁ। ଘସିପୁରା ବ୍ଲକ୍‌ ଚଉମୁହିଁ କଲୋନି ପ୍ରାଥମିକ ବିଦ୍ୟାଳୟରେ ୧୦୧ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଗୋଟିଏ ଶ୍ରେଣୀଗୃହରେ ୫ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯାଉଛି। ବରାଙ୍ଗ ପ୍ରାଥମିକ ବିଦ୍ୟାଳୟରେ ୧୧୫ଜଣ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଗୋଟିଏ ଶ୍ରେଣୀଗୃହ ରହଛି। କେନ୍ଦୁଝର ସଦର ବ୍ଲକ୍‌ କବିତ୍ରା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୧୬୭ଜଣ ଛାତ୍ରଛାତ୍ରୀ ପଢ଼ୁଥିବାବେଳେ ମାତ୍ର ଗୋଟିଏ ଭଲ ଶ୍ରେଣୀଗୃହ ରହିଛି। ଅନ୍ୟ ଶ୍ରେଣୀଗୃହଗୁଡ଼ିକ ବିପଦସଙ୍କୁଳ ରହିଛି। ବାଉରୀପଦା ପଞ୍ଚାୟତ ପୋଟଳ ପ୍ରାଥମିକ ବିଦ୍ୟାଳୟରେ ୫୩ଜଣ ଛାତ୍ରଛାତ୍ରୀ ପଢ଼ୁଥିବା‌ବେଳେ ଏଠାରେ ଗୋଟିଏ ବି ଭଲ ଶ୍ରେଣୀଗୃହ ନଥିବା ଜଣାପଡ଼ିଛି। କେନ୍ଦୁଝରଗଡ଼ ପୌରପାଳିକାର ସୁଲେଇଖମାର ପ୍ରାଥମିକ ବିଦ୍ୟାଳୟରେ ୪୫ଜଣ ଛାତ୍ରଛାତ୍ରୀ ବିପଦସଙ୍କୁଳ ଘରେ ବସି ପାଠ ପଢ଼ୁଛନ୍ତି। ଜିଲ୍ଲାରେ ଏଭଳି ଅନେକ ବିଦ୍ୟାଳୟ ରହିଛି। ୫୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ସତ୍ତ୍ବେ ବିଦ୍ୟାଳୟ ଗୁଡ଼ିକରେ ଶ୍ରେଣୀଗୃହ ଅଭାବ ଅନେକଙ୍କୁ ବିସ୍ମିତ କରିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button