ରାଜ୍ୟ

ଓଡ଼ିଶାକୁ ଘେରିବ ଗ୍ରାଣ୍ଡ୍‌ ରିଙ୍ଗରୋଡ୍, ଖର୍ଚ୍ଚ ହେବ ୧୩ ହଜାର ୫୪୪ କୋଟି ଟଙ୍କା

ଭୁବନେଶ୍ୱର,୧୭/୧୦: ଓଡ଼ିଶାକୁ ଘେରିବ ଗ୍ରାଣ୍ଡ୍ ରିଙ୍ଗରୋଡ । ୪ ପଟେ ଲମ୍ବିବ ଏକ୍ସପ୍ରେସ୍ ୱେ । ୪ ଥାକିଆ ମୁଖ୍ୟ ରାସ୍ତା ସହ ଦୁଇ ପାଶ୍ୱର୍ରେ ଦୁଇ ଥାକିଆ ଲେଖାଏଁ ସର୍ଭିସ୍ ରାସ୍ତା ନିର୍ମାଣ ହେବ । ଯେଉଁଠି ରାସ୍ତା ଅଛି, ତାହାକୁ ସମ୍ପ୍ରସାରଣ କରାଯିବ, ବାକି ନୂଆ କରି ତିଆରି ହେବ । ଓଡ଼ିଶାର ଚାରିଦିଗକୁ ଲମ୍ବିବ ଏହି ରାସ୍ତା ।

ରାଜ୍ୟ ପୂର୍ତ୍ତ ବିଭାଗ ପ୍ରସ୍ତାବିତ ଗ୍ରାଣ୍ଡ୍ ରିଙ୍ଗରୋଡ ପ୍ରକଳ୍ପ ନେଇ ପ୍ରାଥମିକ ସର୍ବେକ୍ଷଣ କରିଛି । ଲମ୍ବା ବିଚାର ବିମର୍ଷ ପରେ ରାଜ୍ୟ ସରକାର ଏହି ପ୍ରକଳ୍ପ ଆଗେଇବାକୁ ସବୁଜ ସଙ୍କେତ ଦେଖାଇଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ଦିଗରେ ସକରାତ୍ମକ ଆଭିମୁଖ୍ୟ ଗ୍ରହଣ କରି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହ ଆଲୋଚନା ବି କରିଛନ୍ତି ।

ପ୍ରସ୍ତାବିତ ଯୋଜନା ଅନୁସାରେ ବ୍ରହ୍ମପୁର-ଜୟପୁରକୁ ୨୮୭ କିଲୋମିଟର ରିଙ୍ଗରୋଡ ୪ ଲେନ୍ ହେବ । ଉଭୟ ପାଶ୍ୱର୍ରେ ୨ ଲେନ୍ ଲେଖାଏଁ ସର୍ଭିସ୍ ରାସ୍ତା ରହିବ । ସମ୍ପୂର୍ଣ୍ଣ ନୂଆ ରାସ୍ତା ନିର୍ମାଣ ହେବ । ଏହି ରାସ୍ତା ବ୍ରହ୍ମପୁରରୁ ଦିଗପହଣ୍ଡି, ମୋହନା, ପଦ୍ମପୁର, ରାୟଗଡ଼ା, କାଶୀପୁର, ଲକ୍ଷ୍ମୀପୁର, ଦଶମନ୍ତପୁର, ଜୟପୁରକୁ ଯିବ । ଏଥିପାଇଁ ପ୍ରାୟ ୮୯୭୯ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି ।

ପ୍ରସ୍ତାବିତ ଦ୍ୱିତୀୟ ଯୋଜନାଟି ହେଲା, ଜୟପୁର-ରାଉରକେଲା ରିଙ୍ଗରୋଡ୍ ପ୍ରସ୍ତାବ । ଏହି ପ୍ରସ୍ତାବିତ ଯୋଜନାରେ ୬୩୮ କିଲୋମିଟର ରାସ୍ତାକୁ ସମ୍ପ୍ରସାରଣ ଓ ଉନ୍ନତିକରଣ କରାଯିବ । ଏଥିରେ ୧୮୧ କିମି ଜାତୀୟ ରାଜପଥ ଓ ୪୫୭ କିମି ପୂର୍ତ୍ତ ବିଭାଗ ରାସ୍ତା ରହିଛି । ୧୮୧ କିମି ଏନ୍ଏଚ୍କୁ ପ୍ରଶସ୍ତ କରି ୪ ଲେନ୍ କରାଯିବ ।

ଏହି ରାସ୍ତା ଜୟପୁର, ବୋରିଗୁମ୍ମା, ନବରଙ୍ଗପୁର, ଆମପାଣି, ବୃନ୍ଦାବାହାଲ, ନୂଆପଡ଼ା, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଦେଇ ରାଉରକେଲା ଛୁଇଁବ । ଏଥିପାଇଁ ୨୫୦୦ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ପ୍ରସ୍ତାବିତ ତୃତୀୟ ରିଙ୍ଗରୋଡ୍ ପ୍ରକଳ୍ପ ରାଉରକେଲାରୁ ଜଳେଶ୍ୱରକୁ ଲମ୍ବିବ । ୩୯୧ କିମି ରାସ୍ତାକୁ ପ୍ରଶସ୍ତ କରି ୪ ଲେନ୍ କରାଯିବ । ଏଥିପାଇଁ ପ୍ରାୟ ୨୦୬୫ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ଏଥିମଧ୍ୟରେ ୨୧୫ କିମି ଜାତୀୟ ରାଜପଥ, ୧୬୨ କିମି ପୂର୍ତ୍ତ ରାସ୍ତା ଓ ଅନ୍ୟ ବିଭାଗର ୩ କିମି ରାସ୍ତା ରହିଛି । ୧୧ କିଲୋମିଟର ସମ୍ପୂର୍ଣ୍ଣ ନୂଆ ସଡ଼କ ନିର୍ମାଣ ହେବ ।

ଜଳେଶ୍ୱରରୁ ବ୍ରହ୍ମପୁରକୁ ୪୨୨ କିମି ରିଙ୍ଗରୋଡ୍ ପ୍ରସ୍ତାବ ବି ରହିଛି ସରକାରଙ୍କ ଯୋଜନାରେ । ୧୬ ନମ୍ବର ଜାତୀୟ ରାଜପଥରେ ଏହି ରାସ୍ତା ରହିଛି । ହେଲେ ବର୍ତ୍ତମାନ ଏହାକୁ ଆହୁରି ପ୍ରଶସ୍ତ କରାଯିବ । ୪ରୁ ୬ ଲେନ୍ ଚଉଡ଼ା କରାଯିବା ଯୋଜନା ଅଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଏ ନେଇ ଆଲୋଚନା ବି ହୋଇଛି ।

ନୂଆ ସରକାର ବର୍ତ୍ତମାନ ଭବିଷ୍ୟତକୁ ଆଖିରେ ରଖି ରାଜ୍ୟରେ ସଡ଼କ ପଥର ବୈପ୍ଳବିକ ପରିବର୍ତ୍ତନ ପାଇଁ ନକ୍ସା ପ୍ରସ୍ତୁତ କରିଛନ୍ତି । ଏଥିରେ ଓଡ଼ିଶା ମଝି ଦେଇ ମେରୁଦଣ୍ଡ ଏକ୍ସପ୍ରେସ ଯୋଜନା ସହ ଏହାକୁ ସଂଯୋଗ କରିବା ଭଳି ୪ଟି କରିଡର ଯୋଜନା ବି ରହିଛି । ଏହାସହ ପୂରା ଓଡ଼ିଶାକୁ ଘେରିବା ଭଳି ରିଙ୍ଗରୋଡ୍ ପ୍ରସ୍ତାବ ବି ରହିଛି । ପୂର୍ତ୍ତ ବିଭାଗ ଏସବୁ ଯୋଜନାକୁ ସାକାର କରିବା ପାଇଁ ଘନଘନ ତର୍ଜମା ଚଳାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button