ବିଏମ୍ସିରେ ବିଜେଡି କର୍ପୋରେଟର୍ ଦୁଇଫାଳ: ଆଇନର ଆଶ୍ରୟ ନେବାକୁ ଚେତାବନୀ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମରେ ବିଜେଡି କର୍ପୋରେଟରଙ୍କ ମଧ୍ୟରେ ଚାଲିଥିବା ଗୋଷ୍ଠୀକନ୍ଦଳ ଏତେମାତ୍ରାରେ ବଢ଼ିଯାଇଛି ଯେ ଏହା ନିୟନ୍ତ୍ରଣ ବାହାରକୁ ଯାଇ ପଦାରେ ପଡ଼ିଛି। ବିଏମ୍ସିରେ ଚାଲିଥିବା ଦୁର୍ନୀତିକୁ ନେଇ ସଂଖ୍ୟାଧିକ ବିଜେଡି କର୍ପୋରେଟର୍ ଆଜି ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ ମେୟର ସଂଘମିତ୍ରା ଦଳେଇ ଓ କମିସନର ଭବାନୀ ପ୍ରସାଦ ମିଶ୍ରଙ୍କୁ ଟାର୍ଗେଟ୍ କରିଛନ୍ତି।
ବ୍ରହ୍ମପୁର ମହାନଗର ନିଗମରେ ବିଜେଡିର ୩୬ଜଣ କର୍ପୋରେଟର୍ ରହିଥିବା ବେଳେ ସେଥିରୁ ୨୨ଜଣ ମେୟରଙ୍କ କାର୍ଯ୍ୟକଳାପକୁ ବିରୋଧ କରୁଛନ୍ତି। ବ୍ରହ୍ମପୁରର ଦୁଇ ପୂର୍ବତନ ବିଧାୟକ ଏବଂ ତାଙ୍କ ସମର୍ଥିତ କର୍ପୋରେଟର୍ଙ୍କ ମଧ୍ୟରେ ବହୁଦିନ ଧରି ଛକାପଞ୍ଝା ଲାଗିରହିଛି। ରାମଲିଙ୍ଗେଶ୍ୱର ଉଦ୍ୟାନ ଫି’ ଆୟରୁ ଟ୍ରଷ୍ଟିଙ୍କୁ ପ୍ରଦାନ ଓ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ନଦେବାକୁ ନେଇ ୨୦ରୁ ଅଧିକ କର୍ପୋରେଟର୍ ଗତ ୩ ତାରିଖଦିନ ଜିଲ୍ଲାପାଳଙ୍କୁ ଭେଟିଥିଲେ। ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ମେୟର ଶ୍ରୀମତୀ ଦଳେଇ ଏହାକୁ ଅଜ୍ଞାନୀଙ୍କ କାମ ବୋଲି କହିଥିଲେ। ମେୟରଙ୍କ ଏଭଳି ବକ୍ତବ୍ୟକୁ ନେଇ ଆଜି ବିପକ୍ଷ କର୍ପୋରେଟର୍ମାନେ ସାମ୍ବାଦିକ ସମ୍ମିଳନୀ କରି ବିଷୋଦ୍ଗାର କରିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ମେୟରଙ୍କ ବିରୋଧରେ ବିଷୋଦ୍ଗାର
ଆଇନର ଆଶ୍ରୟ ନେବାକୁ ଚେତାବନୀ
ଏମାନଙ୍କ ଅଭିଯୋଗ ହେଲା, କର୍ପୋରେଟଙ୍କ ବିନା ଜ୍ଞାତସାରରେ ରାମଲିଙ୍ଗେଶ୍ବର ଉଦ୍ୟାନ ଫି’ର ୬୩ ଲକ୍ଷ ଟଙ୍କା ଟ୍ରଷ୍ଟିଙ୍କୁ ପ୍ରଦାନ କରିଛନ୍ତି। ଏହାର ସତ୍ୟାସତ୍ୟ ପ୍ରକାଶ ନହେଲେ ଆଇନର ଆଶ୍ରୟ ନେବୁ ବୋଲି କର୍ପୋରେଟରମାନେ ଚେତାବନୀ ଦେଇଛନ୍ତି। କମିସନର ବାହ୍ୟଚାପରେ ରହିବା ସହ ମେୟର କର୍ପୋରେଟରଙ୍କୁ ଅନ୍ଧାରରେ ରଖିବା ଜନସ୍ବାର୍ଥ ବିରୋଧୀ ବୋଲି କର୍ପୋରେଟର୍ ଦୁର୍ଗା କୁମାର ଲାୟକ, ଅଶ୍ବିନୀ ପଟ୍ଟନାୟକ, ସମୀର ମିଶ୍ର, କାମୁଲା ଶ୍ରୀନିବାସ, ଧୀରେଶ ସାବତ, ସୂର୍ଯ୍ୟକାନ୍ତ ସୁବୁଦ୍ଧି ପ୍ରମୁଖ ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗରେ ଉଚ୍ଚ ନ୍ୟାୟାଳୟଙ୍କ ଏମ୍.ଏ (ମିସ୍ଲାନିୟସ୍ ଆପ୍ଲିକେସନ୍) ସଂଖ୍ୟା- ୪୮୩/ ୨୦୦୨ର ଅନ୍ତରୀଣ ଆଦେଶରେ କେଉଁ ସାଲରେ କାମଚଳା ଟ୍ରଷ୍ଟି କାର୍ଯ୍ୟ କରୁଛନ୍ତି ତାହା କମିସନରଙ୍କ ଜ୍ଞାତସାରରେ ରହିଛି କି? ଟଙ୍କା ପ୍ରଦାନ ବେଳେ ଆଇନ ମନ୍ତ୍ରୀଙ୍କ ଆଦେଶ ଡିଭିଜନ୍ କେସ୍ ସଂଖ୍ୟା -୧୪/୨୦୧୫ର ସବୁ ସର୍ତ୍ତ ପାଳନ କରାଯାଇଛି କି ବୋଲି ଏମାନେ ପ୍ରଶ୍ନ କରିଛନ୍ତି।
ରାମଲିଙ୍ଗେଶ୍ୱର ଉଦ୍ୟାନ ଓ ବିଏମ୍ସି ମଧ୍ୟରେ ହୋଇଥିବା ଚୁକ୍ତିନାମା ସହ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଆନେକ୍ସଚର୍ ରୂପେ ସଂଯୋଗ ରହିବା କଥା, ମାତ୍ର ପଞ୍ଜୀକରଣ ସମୟରେ ଏହା କରାଯାଇନାହିଁ ବୋଲି କର୍ପୋରୋଟର୍ମାନେ ପ୍ରକାଶ କରିଛନ୍ତି। ଆଇନ୍ ବିଭାଗ, ଦେବୋତ୍ତର ବିଭାଗର ସମସ୍ତ ନିୟମ ମୋଡ଼ିମକଚି ଅର୍ଥ ପ୍ରଦାନ କରାଯାଇଥିବା କର୍ପୋରେଟରମାନେ ଅଭିଯୋଗ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ କର୍ପୋରେଟର ମଳୟ ବିଷୋୟୀ, ସୋନାଲି ଗନ୍ତାୟତ, ଶ୍ବେତରେଖା ତ୍ରିପାଠୀ, ସନ୍ତୋଷ ସେଠୀ, ପଦ୍ମିନୀ ମିଶ୍ର, କାଦମ୍ବରୀ ଦାସଙ୍କ ସମେତ ମହିଳା କର୍ପୋରେଟରଙ୍କ ପ୍ରତିନିଧିତ୍ବ କରୁଥିବା ଦୁର୍ଗାପ୍ରସାଦ ପଣ୍ଡା, ଦଣ୍ଡପାଣି ନାୟକ ଓ ବି ଶ୍ରୀନିବାସ ପ୍ରମୁଖ ଉପସ୍ଥିତ ଥିଲେ।