ବାର୍ହା ଶିକାର ପାଇଁ ଖଞ୍ଜା ଯାଇଥିଲା ବୋମା: ବିସ୍ଫୋରଣରେ ଛେଳି ଚରାଳିଙ୍କ ପାଦ ଉଡ଼ିଗଲା

ଆନନ୍ଦପୁର: ବାର୍ହା ଶିକାର ପାଇଁ ଖଞ୍ଜାଯାଇଥିଲା ବୋମା। ସେଥିରେ ଗୋଡ଼ ବାଜିବାରୁ ବିସ୍ଫୋରଣରେ ଜଣେ ଛେଳି ଚରାଳିଙ୍କ ପାଦ ଉଡ଼ିଯାଇଛି। ଆନନ୍ଦପୁର ଥାନା ବାଉଁଶଗଡ଼ ନିକଟସ୍ଥ ଜଙ୍ଗଲରେ ଘଟିଛି ଏହି ଅଘଟଣ। ଆହତ ବ୍ୟକ୍ତି ହେଉଛନ୍ତି ବାଉଁଶଗଡ଼ ଗ୍ରାମର ହୃଦୟ ନାଏକ (୫୪)। ସେ ଆଜି ନିକଟସ୍ଥ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ଅପରାହ୍ଣ ସାଢ଼େ ୩ଟାରେ ତାଙ୍କ ବାମପାଦରେ ବିସ୍ଫୋରଣ ହୋଇଥିଲା। ସ୍ଥାନୀୟ ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନା ପଠାଯାଇଛି।
ଜଙ୍ଗଲରେ ବାର୍ହା ଶିକାର ପାଇଁ ଫାଶ ବସାଯିବା ସହିତ ବୋମା ଖଞ୍ଜା ଯାଇଥିଲା। ତାହା ଫୁଟିବାରୁ ଏହି ଅଘଟଣ ଘଟିଛି ବୋଲି ହୃଦୟଙ୍କ ଭାଇ ବିଜୟ ନାଏକ ଅଭିଯୋଗ କରିଛନ୍ତି। ଆଜିର ଘଟଣା ପରେ ଏହି ଜଙ୍ଗଲରେ ଶିକାରୀ ସକ୍ରିୟ ରହିଥିବା ସ୍ପଷ୍ଟ ହୋଇଛି। ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆନନ୍ଦପୁର ଡିଏଫ୍ଓ ଅଭୟ କୁମାର ଦଳେଇ କହିଛନ୍ତି। ଡିଏଫ୍ଓଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ରେଞ୍ଜର ନବକିଶୋର ନାୟକଙ୍କ ନେତୃତ୍ବରେ ଏହି ଅଞ୍ଚଳରେ ପାଟ୍ରୋଲିଂ କରାଯିବା ସହିତ ଘଟଣାର ଅନୁଧ୍ୟାନ କରାଯାଇଛି।