ଦେଶ- ବିଦେଶରାଜ୍ୟ

ଉତ୍ତରପ୍ରଦେଶରୁ ଆଳୁ ଆସିବା ପ୍ରକ୍ରିୟା ତ୍ୱରାନ୍ୱିତ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ଆଳୁ ସଙ୍କଟର ସମାଧାନ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆଣିବା ବ୍ୟବସ୍ଥା କରାଯିବ । ଏ ସଂକ୍ରାନ୍ତରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଅତିଥି ଭବନ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ ଉତ୍ତର ପ୍ରଦେଶରୁ ଧୀରେ ଧୀରେ ଆଳୁ ଆସିବା ପ୍ରକ୍ରିୟା ତ୍ୱାରନ୍ୱିତ ହୋଇଛି ଏବଂ ଏହା ଆଗାମୀ ଦିନରେ ବୃଦ୍ଧି ହେବ । ରାଜ୍ୟର ଅନେକ ସ୍ଥାନରେ ଉତ୍ତରପ୍ରଦେଶ ଆଳୁ ଉପଲବ୍ଧ ହେଉଛି । ଉତ୍ତରପ୍ରଦେଶରୁ ଆଳୁ ଭର୍ତ୍ତି ଟ୍ରକ ଗୁଡିକ ରାଜ୍ୟର ବିଭିନ୍ନ ବ୍ୟବସାୟିକ ସ୍ଥଳୀରେ ପହଞ୍ଚୁଥିବାରୁ ଉଭୟ ବ୍ୟବସାୟୀ ଓ ଖାଉଟି ମାନଙ୍କ ପାଇଁ ଆଶ୍ୱସ୍ତି ଆଣି ଦେଇଛି । ଏହି ଆଳୁ ଉଚ୍ଚ ମାନଯୁକ୍ତ ଓ ଓଡିଶା ବଜାରକୁ ସୁହାଇବ ।

ଖାଉଟି ମାନଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ମନ୍ତ୍ରୀ ଶ୍ରୀ ପାତ୍ର ଉଲ୍ଲେଖ କରିଥିଲେ । ଆଳୁ ଯୋଗାଣକୁ ନେଇ ପଶ୍ଚିମବଙ୍ଗ ସରକାର ଅନେକ ସମୟରେ ଏଭଳି ମନମୁଖୀ କାର୍ଯ୍ୟ କରୁଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରୁଛନ୍ତି । ଏତଦବ୍ୟତୀତ ନାଫେଡ୍ ମାଧ୍ୟମରେ ଉତ୍ତରପ୍ରଦେଶ ଓ ଅନ୍ୟାନ୍ୟ ରାଜ୍ୟରୁ ଆଳୁ ଆଣି ଓଡ଼ିଶାରେ ଉପଲବ୍ଧ କରେଇବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି । ଏଥି ନିମନ୍ତେ ଗୋଦାମ ମାଲିକ ଓ ବ୍ୟବସାୟୀମାନେ ସହଯୋଗ କରିବାକୁ ବୈଠକରେ ପରମର୍ଶ ଦିଆଯାଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ କହିଲେ ଯେ ଅନାବଶ୍ୟକ ଭାବେ ଦରଦାମ ବୃଦ୍ଧି କରୁଥିବା ଅସାଧୁ ବେପାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦରଦାମ ବୃଦ୍ଧି ନିୟନ୍ତ୍ରଣ ନେଇ ବିଭାଗ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି । ଉକ୍ତ ବୈଠକରେ ବିଭାଗୀୟ ବରିଷ୍ଠ ଅଧିକାରୀ, ନାଫେଡ ଅଧିକାରୀ, ରାଜ୍ୟ ବ୍ୟବସାୟୀ ଓ ଶୀତଳ ଭଣ୍ଡାର ସଂଘର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button