ରାଜ୍ୟ

ସବୁ ଦଳର ବିଧାୟକଙ୍କ ସ୍ବର ସମାନ: ଆମ ଦରମା, ପେନ୍‌ସନ୍ ବଢ଼ାଅ

ଭୁବନେଶ୍ବର: ବଜାର ଦରଦାମ ବଢ଼ିଲାଣି। ଦରମା ଓ ପେନ୍‌ସନରେ ଚଳି ହେଉନି। ନିର୍ବାଚନମଣ୍ଡଳୀରେ ଲୋକଙ୍କ ଆବଶ୍ୟକତା ପୂରଣ କରି ହେଉନି। ତେଣୁ ତୁରନ୍ତ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ୍ ବଢ଼ାଅ। ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ବି ୫ କୋଟି କର। ଆଜି ବିଧାନସଭାରେ ଏହି ଦାବି ଜୋର୍‌ଦାର ଉଠିଥିଲା। ସବୁ ଦଳର ବିଧାୟକଙ୍କ ସ୍ବର ସମାନ ଥିଲା। ଶୂନ୍ୟକାଳରେ ପ୍ରଥମେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ, ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନ୍‌ସନ ବଢ଼ାଇବା ପାଇଁ ଗତ ବିଧାନସଭାରେ ଅମର ଶତପଥୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଢ଼ା ହୋଇଥିଲା। ଦରମା ଓ ପେନ୍‌ସନ ବଢ଼ାଇବାକୁ ଏହି କମିଟି ସୁପାରିସ କରିଥିଲା। ବିଧାୟକଙ୍କର ଅଢ଼େଇ ଲକ୍ଷ ଟଙ୍କା ଏବଂ ପୂର୍ବତନ ବିଧାୟକଙ୍କ ପେନ୍‌ସନ ୭୦ ହଜାର କରିବା ପାଇଁ କୁହାଯାଇଥିଲା। ବିଭିନ୍ନ ରାଜ୍ୟର ବିଧାୟକଙ୍କ ଦରମା ତୁଳନାରେ ଆମ ରାଜ୍ୟରେ ବହୁତ କମ୍ ରହିଛି। ସୁପାରିସକୁ ସରକାର କାର୍ଯ୍ୟକାରୀ କରନ୍ତୁ, ନଚେତ ନୂଆ କମିଟି ଗଢ଼ି ଏ ଦିଗରେ ପଦକ୍ଷେପ ନିଆଯାଉ। ସେହିପରି ବର୍ତ୍ତମାନ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି(ଲାଡ୍) ବାର୍ଷିକ ୩ କୋଟି ରହିଛି। ଏହା ଯଥେଷ୍ଟ ନୁହେଁ। ଏହାକୁ ଅତି କମ୍‌ରେ ୫ କୋଟି କରାଯାଉ। ଏହାକୁ ସମର୍ଥନ କରି ବିଜେଡି ସଭ୍ୟ ପ୍ରତାପ କେଶରୀ ଦେବ କହିଥିଲେ, ସବୁ ବିଧାୟକଙ୍କର ଏହି ସମାନ ଦାବି ରହିଛି। ବିଧାୟକମାନେ ନିଜ ଏରିଆକୁ ଥରେ ଗଲେ କେତେ ଖର୍ଚ୍ଚ ହେଉଛି ତାହା ସମସ୍ତେ ଜାଣନ୍ତି।

ସବୁ ଦଳର ବିଧାୟକଙ୍କ ସ୍ବର ସମାନ
ଏମ୍ଏଲ୍ଏ ଲାଡ୍ ୫ କୋଟି ଦାବି
ପୂର୍ବତନ ବିଧାୟକଙ୍କ ପେନ୍‌ସନ୍‌ ବଢ଼ା‌ଇବାକୁ ଦାବି

ବିଜେପି ସଭ୍ୟ ଭାସ୍କର ମଢ଼େଇ କହିଥିଲେ, ବର୍ତ୍ତମାନ ବିଧାୟକମାନଙ୍କ ଯନ୍ତ୍ରଣା ବଢ଼ିଯାଇଛି। ବିଶ୍ବକର୍ମା ପୂଜା ଠାରୁ ଆରମ୍ଭ କରି ରଥଯାତ୍ରା ପର୍ଯ୍ୟନ୍ତ ସବୁ ପର୍ବପର୍ବାଣୀରେ କେତେ ଟଙ୍କା ପୂଜା କମିଟିକୁ ଦେବାକୁ ପଡ଼ୁଛି, ତାହାର ହିସାବ ନାହିଁ। ଅଷ୍ଟମପ୍ରହରୀ, ମନ୍ଦିର ପ୍ରତିଷ୍ଠା ଆଦି ଅନେକ କାର୍ଯ୍ୟକ୍ରମ ରହିଛି। ପୂର୍ବତନ ବିଧାୟକଙ୍କ ଦୁଃଖ ଦେଖି ହେବନି। ସନାତନ ବିଜୁଳି କହିଥିଲେ, ବିଧାୟକମାନଙ୍କର ବିପି, ଡାଇବେଟିସ୍, ହାର୍ଟ, କିଡ୍‌ନି ସବୁ ସମସ୍ୟା ରହିଛି। ପୂର୍ବତନ ବିଧାୟକଙ୍କର ସ୍ବାସ୍ଥ୍ୟ ସମସ୍ୟା ଆହୁରି ଗୁରୁତର। ଯେତିକି ଟଙ୍କା ମିଳୁଛି ତାହା ଯଥେଷ୍ଟ ନୁହେଁ। ସୀମାରାଣୀ ନାଏକ କହିଥିଲେ, ଏବେ କୌଣସି କାର୍ଯ୍ୟକ୍ରମକୁ ଗଲେ ଏକ ହଜାର ଟଙ୍କା ଦେଲେ ଲୋକ ନେଉନାହାନ୍ତି। ଅତି କମ୍‌ରେ ପାଞ୍ଚ ହଜାର ଟଙ୍କା ଦେବାକୁ ପଡ଼ୁଛି।
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ମଧ୍ୟ ସମାନ ଦାବି ଉଠାଇଥିଲେ। ସେହିପରି ତାରା ପ୍ରସାଦ ବାହିନୀପତି କହିଥିଲେ, ବିଧାୟକମାନଙ୍କୁ ନିଜ ଅଞ୍ଚଳରେ ବହୁତ ଖର୍ଚ୍ଚ କରିବାକୁ ପଡ଼ୁଛି। ପିଲାଙ୍କ ପାଠପଢ଼ା ଠାରୁ ଆରମ୍ଭ କରି ଖେଳକୁଦ, ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ପାଇଁ ଟଙ୍କା ଦେବାକୁ ପଡ଼ୁଛି। ତେଣୁ ତୁରନ୍ତ ଦରମା, ପେନସନ୍ ଓ ଏମ୍ଏଲ୍ଏ ଲାଡ୍ ଉପରେ ପଦକ୍ଷେପ ନିଆଯାଉ।

ଦଳ, ମତ ନିର୍ବିଶେଷରେ ସମସ୍ତ ବିଧାୟକ ଟେବୁଲ୍ ବାଡ଼େଇ ଏହି ଦାବିକୁ ସମର୍ଥନ କରିଥିଲେ। ବାଚସ୍ପତି କହିଥିଲେ, ପ୍ରାୟ ସବୁ ବିଧାୟକଙ୍କ ଉଦ୍‌ବେଗକୁ ମୁଁ ଅନୁଭବ କରୁଛି। ସମୟର ଆବଶ୍ୟକତାକୁ ଅନୁଭବ କରି ଦରମା, ପେନସନ୍‌, ଏମ୍ଏଲ୍ଏ ଲାଡ୍ ବୃଦ୍ଧି ପାଇଁ ସରକାର ପଦକ୍ଷେପ ନିଅନ୍ତୁ। ଏ ସମ୍ପର୍କରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ।
ବିଧାୟକଙ୍କ ଦାବି ଉପରେ ତର୍ଜମା ପାଇଁ ସନ୍ଧ୍ୟାରେ ବାଚସ୍ପତି ଏକ ଉପଦେଷ୍ଟା କମିଟି ଗଠନ କରିଥିଲେ। ବିଧାୟକ ଭାସ୍କର ମଢ଼େଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ପ୍ରମିଳା ମଲ୍ଲିକ, ପ୍ରତାପ କେଶରୀ ଦେବ, ସନାତନ ବିଜୁଳି, ସୀମାରାଣୀ ନାଏକ, ରାମଚନ୍ଦ୍ର କାଡ଼ାମ, ତାରାପ୍ରସାଦ ବାହିନୀପତି, ଲକ୍ଷ୍ମଣ ମୁଣ୍ଡା, ପ୍ରକାଶ ସୋରେନ୍, ପୂର୍ଣ୍ଣଚନ୍ଦ୍ର ସେଠୀ ଓ ନିହାର ମହାନନ୍ଦ ସଦସ୍ୟ ରହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button