ରାଜ୍ୟ

ବାପାଙ୍କ ମୃତ୍ୟୁ ପରେ ଖୋଜା ଚାଲିଛି ପୋତାଧନ: ମିଳିଲା ଉଇ ଲଗା ୩୨ହଜାର ଟଙ୍କା

ନାରାୟଣପାଟଣା: ଘରର ମୁରବି ଚାଲିଗଲେ। କିନ୍ତୁ ଶୋକରେ ବୁଡ଼ିବା ବଦଳରେ ପୁଅଝିଅ ଗୁପ୍ତଧନ ସନ୍ଧାନରେ ଲାଗିପଡ଼ିଲେ। କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ରେ ଏମିତି ଗୋଟିଏ ରୋଚକ ଘଟଣା ଘଟିଛି। ଶେଷ ଖବର ସୁଦ୍ଧା ଉଇ ଲାଗି ନଷ୍ଟ ହୋଇଯାଇଥିବା ପ୍ରାୟ ୩୨ହଜାର ଟଙ୍କାର ନୋଟ୍‌ ମିଳିସାରିଛି। ତଥାପି କିଛି ଅଳଙ୍କାର ବାପା ମାଟିତଳେ ଲୁଚାଇ ରଖିଥିବା ସେମାନେ ସନ୍ଦେହ କରୁଛନ୍ତି।

ବୋରିଗି ପଞ୍ଚାୟତ ଅନ୍ତର୍ଗତ କେଲୁବାଡ଼ି ଗାଁର ସୀତାରାମ ମେଲେକା (୭୦) ଗତକାଲି ହଠାତ୍‌ ଅସୁସ୍ଥ ହୋଇଯାଇଥିଲେ। ବଞ୍ଚିବା ସମ୍ଭାବନା କମ୍‌ ରହିଥିବାରୁ ୩ପୁଅ ଏବଂ ଗୋଟିଏ ବୋଲି ଝିଅକୁ ଡକାଇଥିଲେ। ସଂପର୍କୀୟ ମଧ୍ୟ ଖବର ପାଇ ପହଞ୍ଚିଥିଲେ। ଜୀବନ ସାରା କଷ୍ଟ କରି ଯାହା ରୋଜଗାର କରିଥିଲେ ତାହାକୁ ପୋତି ଦେଇଥିଲେ। ମୃତ୍ୟୁ ପରେ ତାହାକୁ ବାହାର କରିବା ପାଇଁ କହିବା ପରେ ଆଜି ସକାଳେ ଶେଷନିଶ୍ବାସ ତ୍ୟାଗ କରିଥିଲେ ସୀତାରାମ।

ପ୍ରାୟ ୧୨ବର୍ଷ ତଳେ ନିଜ ପୈତୃକ ଘରକୁ ଛାଡ଼ିଥିଲେ ସୀତାରାମ। ଘର ଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ନିଜ ଚାଷ ଜମିରେ କୁଡ଼ିଆ କରି ପତ୍ନୀ ସୋମୀଙ୍କ ସହ ରହୁଥିଲେ। ପୈତୃକ ଘରେ ପୁଅଙ୍କ ସହ ଅନ୍ୟ ପରିବାର ସଦସ୍ୟ ରହୁଥିଲେ। ଏହାପରେ ଯାହା ରୋଜଗାର କରୁଥିଲେ ସେଥିରୁ କିଛି ଟଙ୍କା ସଞ୍ଚୁଥିଲେ। ଏପରିକି ନିଜ ଭତ୍ତା ଟଙ୍କାକୁ ମଧ୍ୟ ସଂଚୟ କରିଥିଲେ। ଅଳ୍ପ ଅଳ୍ପ କରି ଟଙ୍କାକୁ ନିଜ କୁଡ଼ିଆ ପାଖରେ ଗାତ ଖୋଳି ପୋତି ଦେଇଥିଲେ। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ହିଁ ନିଜ ପୋତାଧନ ବିଷୟରେ ପୁଅଝିଅଙ୍କୁ କହିଥିଲେ। ଗାତ ଖୋଳିବାରୁ ଆଜି ୨୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ନୋଟ୍‌ ମାଟି ତଳୁ ବାହାରିଥିଲା। ପାଖାପାଖି ୩୨ହଜାର ଟଙ୍କା ମିଳିଥିବା ଜଣାପଡ଼ିଛି। ତେବେ ନୋଟ୍‌ଗୁଡ଼ିକ ବ୍ୟବହାର କରିବା ଭଳି ଅବସ୍ଥାରେ ନାହିଁ। ଆଉ କିଛି ସୁନା ଓ ଟଙ୍କା ମାଟିତଳେ ରଖିଥିବା ପରିବାର ସଦସ୍ୟ ସନ୍ଦେହ କରୁଛନ୍ତି। ତେବେ ଟଙ୍କା ମାଟି ତଳେ ସ୍ବାମୀ ଲୁଚାଇ ରଖିଥିବା ଦିନେ ବି କହିନାହାନ୍ତି ବୋଲି ପତ୍ନୀ ସୋମୀ କହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button