ଆୟତ୍ତକୁ ଆସୁନି ଆଳୁ ଦର: ବିଧାନସଭାରେ ସରକାରଙ୍କୁ ଘେରିଲେ ବିରୋଧୀ
ଭୁବନେଶ୍ବର: ବଜାରରେ ଆଳୁ ଦରରେ ଲଗାମ ରହୁନି। ଖାଉଟିମାନେ ହନ୍ତସନ୍ତ ହେଉଛି। ଆଜି ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀ ଦଳ ସରକାରଙ୍କୁ ଘେରିଛନ୍ତି। ଆଳୁ ସଙ୍କଟରେ ସରକାର ସମ୍ପୂର୍ଣ୍ଣ ଦାୟୀ ବୋଲି ଆରୋପ ଲଗାଇଛନ୍ତି। ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଲେ, ଆଳୁ ଦର ଏବେ ଖାଉଟିଙ୍କୁ ବାଧୁଛି। ମନ୍ତ୍ରୀ କୋଉ ଦୋକାନରୁ ୩୦ ଟଙ୍କାରେ ଆଳୁ କିଣୁଛନ୍ତି? ବଜାରରେ ଏତିକି ଟଙ୍କାରେ କେଉଁଠି ଆଳୁ ମିଳୁ ନାହିଁ। ଗରିବ ଲୋକଙ୍କ ଆଳୁ ନିତିଦିନିଆ ଖାଦ୍ୟ। ଉତ୍ତରପ୍ରଦେଶରୁ ଟ୍ରେନରୁ ଆଳୁ ଆସୁଛି ଯେ ଓଡ଼ିଶାରେ ପହଞ୍ଚି ପାରୁନି। ଡବଲ୍ ଇଞ୍ଜିନ କାହିଁକି ଆଳୁ ଟ୍ରେନ୍କୁ ଟାଣିପାରୁନି। ସରକାର ଆଳୁ ପାଇଁ କ’ଣ ଠୋସ୍ ବ୍ୟବସ୍ଥା କରୁଛନ୍ତି? ଯୋଗାଣ ମନ୍ତ୍ରୀ ତ ନାନାବାୟା ଗୀତ ଶୁଣାଉଛନ୍ତି। ଉତ୍ତରପ୍ରଦେଶରୁ ଆଳୁ ଆସିଲେ ବସ୍ତା ପିଛା ୮/୧୦ କେଜି ନଷ୍ଟ ହେଉଛି ବୋଲି ବ୍ୟବସାୟୀମାନେ କହୁଛନ୍ତି। ଏ ଦିଗରେ ସରକାର କ’ଣ ବ୍ୟବସ୍ଥା କରୁଛନ୍ତି?
ମନ୍ତ୍ରୀ ନାନା ବାୟା ଗୀତ ଶୁଣାଉଛନ୍ତି
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଲେ, ଆଳୁର ଅହେତୁକ ଦରବୃଦ୍ଧି ହୋଇଛି। ମନ୍ତ୍ରୀ କେତେବେଳେ କହୁଛନ୍ତି ଟ୍ରେନ୍ରେ ତ କେତେବେଳେ କହୁଛନ୍ତି ଟ୍ରକ୍ରେ ଆଳୁ ଆସୁଛି। କିନ୍ତୁ ଓଡ଼ିଶାରେ ପହଞ୍ଚିପାରୁନି। ଖାଉଟିମାନେ ହନ୍ତସନ୍ତ ହେଉଛନ୍ତି। ସରକାର ଶସ୍ତା ମନ୍ତବ୍ୟ ନଦେଇ ଆଳୁ ଦର କମାଇବାରେ ବ୍ୟବସ୍ଥା କରନ୍ତୁ। ଗଣେଶ୍ବର ବେହେରା କହିଲେ, ବଜାରରେ କୌଣସି ସ୍ଥାନରେ ୩୦ ଟଙ୍କାରେ ଆଳୁ ମିଳୁନି। ୩୦୦ ଟ୍ରକ୍ ଆଳୁ ଆସୁଛି ବୋଲି ମନ୍ତ୍ରୀ କହୁଛନ୍ତି। ତାହା ଆଦୌ ଯଥେଷ୍ଟ ନୁହେଁ। ପୁଣି ଉତ୍ତର ପ୍ରଦେଶ ଆଳୁକୁ ନେଇ ଉଭୟ ବ୍ୟବସାୟୀ ଓ ଖାଉଟି ଅସନ୍ତୁଷ୍ଟ ଅଛନ୍ତି। ସେହି ଆଳୁର ସ୍ବାଦ ନାହିଁ। ପୁଣି ଏତେ ବାଟରୁ ଆଳୁ ଆସୁଥିବାରୁ ନଷ୍ଟ ହେଉଛି। ପଶ୍ଚିମବଙ୍ଗରୁ ଆଳୁ ଯୋଗାଣ ସ୍ବାଭାବିକ କରିବା ପାଇଁ ସରକାର ବାଟ ଫିଟାନ୍ତୁ। ଧ୍ରୁବ ସାହୁ କହିଲେ, କେବଳ ଆଳୁ ନୁହେଁ, ସବୁ ଖାଉଟି ସାମଗ୍ରୀ ଆକାଶଛୁଆଁ ହେଲାଣି। ମନ୍ତ୍ରୀଙ୍କ ବିବୃତିରେ ତାଳମେଳ ରହୁନି। ଗୌତମବୁଦ୍ଧ ଦାସ କହିଲେ, ଯୋଗାଣ ମନ୍ତ୍ରୀ ଏମିତି ବୟାନ ଦେଉଛନ୍ତି ଯେ ଲୋକ ତାଙ୍କୁ ଆଳୁ ମନ୍ତ୍ରୀ ଡାକୁଛନ୍ତି। ପାଖରେ ପାଇଲେ ଚୋପା ଛଡ଼ାଇ ଦେବେ ବୋଲି କହୁଛନ୍ତି। କ୍ରମାଗତ ଭାବେ ସେ ମିଛ କହି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଜୁଲାଇ ମାସରେ ଆଳୁ ସମସ୍ୟା ହୋଇଥିଲା। ଯଦି ସେତେବେଳେ ଦୂରଦୃଷ୍ଟି ରଖି ସମାଧାନ କରିଥା’ନ୍ତେ, ତେବେ ଏବେ ଏହି ସ୍ଥିତି ସୃଷ୍ଟି ହୋଇ ନଥା’ନ୍ତା। ଆଳୁ ସଙ୍କଟ ପାଇଁ ଏ ସରକାର ସମ୍ପୂର୍ଣ୍ଣ ଦାୟୀ। ଶାସକ ଦଳ ସଭ୍ୟ ସିଦ୍ଧାନ୍ତ ମହାପାତ୍ର ପାଲଟା ଆକ୍ରମଣ କରି କହିଥିଲେ, ଯଦି ପୂର୍ବ ସରକାର ଟିକେ ଦୂରଦୃଷ୍ଟି ରଖି ଭାବିଚିନ୍ତି ଆଳୁ ମିସନ୍ କରିଥା’ନ୍ତେ ଏବଂ ଶୀତଳ ଭଣ୍ଡାର ଠିକ୍ ଭାବେ କରିଥା’ନ୍ତେ, ତେବେ ଓଡ଼ିଶାକୁ ଆଜି ଦଶା ଭୋଗିବାକୁ ପଡ଼ି ନଥା’ନ୍ତା। ଆଳୁରେ ଓଡ଼ିଶା ସ୍ବାବଲମ୍ବୀ ହୋଇପାରିଥା’ନ୍ତା।
ପଶ୍ଚିମବଙ୍ଗ: ୪୮୦ ଶୀତଳଭଣ୍ଡାରରେ ତାଲା, ବ୍ୟବସାୟୀଙ୍କ କଥା ଶୁଣିଲେନି ମମତା
ଚନ୍ଦନେଶ୍ୱର: ନିଜ ରାଜ୍ୟର ବ୍ୟବସାୟୀଙ୍କ ଅନୁରୋଧକୁ କର୍ଣ୍ଣପାତ କଲେନି ପଶ୍ଚିମବଙ୍ଗ ସରକାର। ଏହାର ପ୍ରତିବାଦରେ ସୋମବାରଠାରୁ ପଶ୍ଚିମବଙ୍ଗର ୪୮୦ଟି ଶୀତଳଭଣ୍ଡାରକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ଦେଇଛନ୍ତି ବ୍ୟବସାୟୀ ସଂଘ। ଫଳରେ ଆଳୁ ଯୋଗାଣ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହେବା ସହିତ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଆଳୁ କଟକଣାକୁ ନେଇ ପଶ୍ଚିମବଙ୍ଗ ସରକାର ଓ ବ୍ୟବସାୟୀଙ୍କ ମଧ୍ୟରେ ଶୀତଳଯୁଦ୍ଧ ବି ଆରମ୍ଭ ହୋଇଯାଇଛି। ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତିକ୍ରମେ ଗତ ଗୁରୁବାରଠାରୁ ଆଳୁ ଯୋଗାଣ ବନ୍ଦ ରହିଛି। କେବଳ ଓଡ଼ିଶା କାହିଁକି, ତ୍ରିପୁରା, ଆସାମ, ବିହାର, ଝାଡ଼ଖଣ୍ଡ ପ୍ରଭୃତି ରାଜ୍ୟକୁ ଆଳୁ ଯୋଗାଣ ଉପରେ କଟକଣା ଲାଗୁ କରାଯାଇଛି। ଫଳରେ, ରାଜ୍ୟ ସୀମାରୁ ଆଳୁ ବୋଝେଇ ଟ୍ରକ୍ ପଶ୍ଚିମବଙ୍ଗ ଫେରିଯାଇଛି। ପଶ୍ଚିମବଙ୍ଗ ସରକାରଙ୍କ ଏହିଭଳି ନିଷ୍ପତ୍ତିକୁ ନେଇ ଆଳୁ ବ୍ୟବସାୟୀ ତଥା ଶୀତଳଭଣ୍ଡାର ମାଲିକମାନେ ଅସନ୍ତୋଷ ପ୍ରକାଶ କରିଆସୁଛନ୍ତି। ଗତକାଲି ହୁଗୁଳି ଜିଲ୍ଲାର ତାରକେଶ୍ୱରଠାରେ ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସଂଘର ବୈଠକ ବସି ସରକାରଙ୍କୁ ଆଳୁ ଉପରୁ କଟକଣା ହଟାଇବା ପାଇଁ ଅନୁରୋଧ କରିଥିଲେ। ନଚେତ୍ ସୋମବାରରୁ ପଶ୍ଚିମବଙ୍ଗର ସମସ୍ତ ଶୀତଳଭଣ୍ଡାରରୁ ଆଳୁ ଯୋଗାଣ ବନ୍ଦ କରାଯିବ ବୋଲି ଚେତାବନୀ ଦେଇଥିଲେ। ମାତ୍ର, ବ୍ୟବସାୟୀଙ୍କ କଥାକୁ ପଶ୍ଚିମବଙ୍ଗ ସରକାର ଗୁରୁତ୍ବ ନ ଦେବାରୁ ଆଜିଠାରୁ ସମସ୍ତ ଶୀତଳଭଣ୍ଡାର ବନ୍ଦ ରଖାଯାଇଛି ବୋଲି ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସଂଘର ସଭାପତି ଲାଲୁ ମୁଖାର୍ଜୀ ଓ କୋଷାଧ୍ୟକ୍ଷ ଅମିୟ ବାଇରୀ ପ୍ରକାଶ କରିଛନ୍ତି।