ଆନ୍ତଃଜିଲ୍ଲା ଡକାୟତ ଦଳକୁ ଧରିଲା ତେଲକୋଇ ପୋଲିସ, ୮ ଡକାୟକ ଅଟକ

: ତେଲକୋଇ ପୋଲିସର ସଫଳତା । ଆନ୍ତଃଜିଲ୍ଲା ଡକାୟତ ଦଳକୁ କାବୁ କଲା ପୋଲିସ । ଚୋରିରେ ବ୍ୟବହୃତ ୧୨ ଚକିଆ ଟ୍ରକ ଜବତ । ୮ ଜଣ ଡକାୟତ ଥାନାରେ ଅଟକ । ମଙ୍ଗଳବାର ବିଳମ୍ୱିତ ରାତିରେ ଚୋରି ଜିନିଷ ନେଇ ଯାଉଥୁବା ବେଳେ ରାସ୍ତାରେ ମାଡ଼ି ବସିଲା ପୋଲିସ ।
ସୂଚନା ଅନୁଯାୟୀ, ଆକ୍ସନ ମୋଡ୍ରେ ତେଲକୋଇ ପୋଲିସ । ଏକ ଡକାୟତ ଦଳ ଦୀର୍ଘ ୪ ଦିନଧରି ବିଭିନ୍ନ ଗାଁରେ ଚୋରି କରୁଥିଲା ।
ଏନେଇ ସ୍ଥାନୀୟଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ତେଣୁ ପୋଲିସ ଅଞ୍ଚଳବାସୀଙ୍କ ସହାୟତାରେ ଡକାୟତ ଦଳକୁ ଧରିବା ପାଇଁ ଏକ ଜାଲ ବିଛାଇଥିଲେ । ପୂର୍ବରୁ ସିସିଟିଭିରେ ଚୋରିରେ ସାମିଲ ଥିବା ଟ୍ରକ ନମ୍ବରକୁ ଟ୍ରାକ କରିଥିଲେ । ମଙ୍ଗଳବାର ବିଳମ୍ବିତ ରାତିରେ ବିଭିନ୍ନ ଛକରେ ଗ୍ରାମବାସୀ ଓ ପୋଲିସ ଛକି ବସିଥିଲେ ।
ଏହି ସମୟରେ ଟ୍ରକଟି ବାଲିଶର ଗାଁ ଛକରୁ ଭିମକାଣ୍ଡ ଗାଁ ଅଭିମୁଖେ ଯାଉଥିଲା । ଗାଁ ଲୋକେ ଟ୍ରକକୁ ଅଟକାଇ ଥିଲେ । ସେଠାରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ ଡକାୟତ ଦଳ । ଲୋକଙ୍କ ମାଡରେ ୬ ଜଣ ଡକାୟତ ଗୁରୁତର ହୋଇ ତେଲକୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ ସହ ଆଠ ଜଣଙ୍କୁ ଥାନାରେ ଅଟକ ରଖିଛି । ଅନ୍ୟ ୪ ଜଣ ଡକାୟତ ଘଟଣା ସ୍ଥଳରୁ ଫେରାର ହୋଇଛନ୍ତି । ବୁଧବାର ସକାଳୁ ଗାଁ ଲୋକେ ଡକାୟତଙ୍କୁ ଧରିବା ପାଇଁ କାଜୁ ଜଙ୍ଗଲକୁ ଘେରାଉ କରିଛନ୍ତି ।