ରାଜ୍ୟ

୮ ମାସରେ ୬୫ ହାତୀଙ୍କ ମୃତ୍ୟୁ: ବିଦ୍ୟୁତ୍‌ରେ ଟଳିପଡ଼ିଲେଣି ୨୩

ଭୁବନେଶ୍ବର: ଓଡ଼ିଶା ଜଙ୍ଗଲରେ ହାତୀଙ୍କ ପାଇଁ ଘାତକ ସାଜିଛି ବିଦ୍ୟୁତ୍‌। ପ୍ରତି ବର୍ଷ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ହାତୀମାନଙ୍କ ଜୀବନ ଯାଉଛି। ୮ରୁ ୧୦ ବର୍ଷ ତଳେ ବର୍ଷକୁ ୪ରୁ ୬ଟି ହାତୀ ବିଦ୍ୟୁତ୍‌ ଆଘାତରେ ମରୁଥିବା ବେଳେ ଏବେ କିନ୍ତୁ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ଲଗାତାର ୪ ବର୍ଷ ଧରି ବିଦ୍ୟୁତ୍‌ ଆଘାତରେ ହାତୀ ମୃତ୍ୟୁ ଦୁଇ ଅଙ୍କରେ ପହଞ୍ଚୁଛି। ୨୦୨୧-୨୨ରେ ୧୩ଟି ହାତୀ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ। ସେଥିମଧ୍ୟରୁ ୪ଟି ଆକସ୍ମିକ ଭାବେ ବିଦ୍ୟୁତ୍‌ ଆଘାତ ଏବଂ ବାକି ୯ଟି ହାତୀଙ୍କୁ ସୁଚିନ୍ତିତ ଭାବେ ହତ୍ୟା କରାଯାଇଥିଲା। ୨୦୨୨-୨୩ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ହାତୀ ମୃତ୍ୟୁ ସବୁ ରେକର୍ଡ ଭାଙ୍ଗିଥିଲା। ଆକସ୍ମିକ ଭାବେ ଦୁଇ ଓ ସୁଚିନ୍ତିତ ଭାବେ ୨୪ଟି ହାତୀଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ। ହାତୀ ମୃତ୍ୟୁ ମଧ୍ୟ ଏହି ବର୍ଷ ସବୁ ରେକର୍ଡ ଭାଙ୍ଗି ୯୨ରେ ପହଞ୍ଚିଥିଲା। ୨୦୨୩-୨୪ରେ ୧୫ଟି ହାତୀଙ୍କର ବିଦ୍ୟୁତ୍‌ ସଂସ୍ପର୍ଶରେ ଜୀବନ ଗଲା। ସେଥିମଧ୍ୟରୁ ଆକସ୍ମିକ ଭାବେ ଦୁଇଟି ଓ ୨୧ଟି ହାତୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଗଲା। ତେବେ ୨୦୨୪-୨୫ ତଥା ଚଳିତ ଆର୍ଥିକ ବର୍ଷ ସରିବାକୁ ଆଉ ୪ ମାସ ରହିଥିବା ବେଳେ ବିଦ୍ୟୁତ୍‌ ଆଘାତରେ ହାତୀ ମୃତ୍ୟୁଙ୍କ ସଂଖ୍ୟା ୨୩ରେ ପହଞ୍ଚିଲାଣି। ଦୁଇଟି ହାତୀ ଆକସ୍ମିକ ଭାବେ ମରିଥିବା ବେଳେ ୨୧ଟି ହାତୀଙ୍କୁ ବିଦ୍ୟୁତ୍‌ ତାର ଲଗାଯାଇ ହତ୍ୟା କରାଯାଇଛି।

ବିଦ୍ୟୁତ୍‌ରେ ଟଳିପଡ଼ିଲେଣି ୨୩
ରେ‌ଢ଼ାଖୋଲ ହାତୀ ମୃତ୍ୟୁର କାର୍ଯ୍ୟାନୁଷ୍ଠାନ କେବେ?

କେବଳ ସେତିକି ନୁହେଁ, ୨୦୨୪-୨୫ ଆର୍ଥିକ ବର୍ଷର ଏବେ ସୁଦ୍ଧା ୬୫ଟି ହାତୀଙ୍କ ଜୀବନ ଗଲାଣି। ବିଦ୍ୟୁତ୍‌ ଆଘାତରେ ମରିଥିବା ୨୩ ହାତୀଙ୍କୁ ବାଦ୍‌ ଦେଲେ ଟ୍ରେନ୍‌ ଦୁର୍ଘଟଣାରେ ୩ଟି ମରିଛନ୍ତି। ହର୍ପିସ୍‌ ଭୂତାଣୁ ଆକ୍ରାନ୍ତରେ ତିନି, ଅନ୍ୟାନ୍ୟ ରୋଗରେ ୧୨, ବୟସାଧିକ କାରଣରୁ ୧୧, ନିଜ ନିଜ ଭିତରେ ଲଢ଼େଇ କରି ୪ଟି ହାତୀଙ୍କ ଜୀବନ ଯାଇଛି। ୯ଟି ହାତୀଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଯଦି ୨୦୨୧-୨୨ରୁ ବର୍ତ୍ତମାନ ପର୍ଯ୍ୟନ୍ତ ମରିଥିବା ହାତୀଙ୍କୁ ହିସାବକୁ ନେବା ‌ତେବେ ସଂଖ୍ୟା ୩୦୯ରେ ପହଞ୍ଚିଲାଣି। ୨୦୨୧-୨୨ରେ ୮୬, ୨୦୨୨-୨୩ରେ ୯୨, ୨୦୨୩-୨୪ରେ ୬୬ ଓ ଚଳିତ ଆର୍ଥିକ ବର୍ଷରେ ୬୫ଟି ହାତୀଙ୍କ ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ଅର୍ଥାତ୍‌ ୪୪ ମାସରେ କେବଳ ବିଦ୍ୟୁତ୍‌ ଆଘାତରେ ୭୭ଟି ହାତୀଙ୍କ ଜୀବନ ଯାଇଛି। ହାତୀ ବିଶେଷଜ୍ଞଙ୍କ କହିବା କଥା, ଚଳିତ ଆର୍ଥିକ ବର୍ଷ ସରିବାକୁ ଆଉ ମାତ୍ର ୪ ମାସ ରହିଛି। ଯଦି ଏବେ ସୁଦ୍ଧା ୬୫ଟି ହାତୀଙ୍କ ଜୀବନ ଗଲାଣି ତାହା ହେଲେ ବର୍ଷ ଶେଷ ବେଳକୁ ଆଉ କେତେ ହାତୀଙ୍କ ଜୀବନ ଯିବ ତାହା ଆକଳନ କରିବା ସମ୍ଭବପର ନୁହେଁ। ଚିନ୍ତାର ବିଷୟ ହେଉଛି ଯେ ଧାନ ପାଚିଲା ବେଳେ ଅର୍ଥାତ୍‌ ଚଳିତ ମାସରେ ହାତୀଗୁଡ଼ିକ ମୁଖ୍ୟତଃ ଜନବସତି ମୁହାଁ ହୋଇଥାନ୍ତି। ଏହି ସମୟରେ ହାତୀ-ମଣିଷ ଲଢ଼େଇ ଶୀର୍ଷରେ ରୁହେ। ‌

ସେହି ଦୃଷ୍ଟିରୁ ଆଗକୁ ଆହୁରି ଅନେକ ହାତୀ ମରିବାର ଆଶଙ୍କା ରହିଛି। ଏଥରକ ହାତୀ ମୃତ୍ୟୁ ରେକର୍ଡ ଭାଙ୍ଗିପାରେ। ଆଗରୁ ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର ବନଖଣ୍ଡରେ ଅଧିକ ସଂଖ୍ୟାରେ ହାତୀ ମରୁଥିଲେ। ମାତ୍ର ଏବେ ରେଢ଼ାଖୋଲ ଓ ଆଠମଲ୍ଲିକରେ ଯେଉଁଭଳି ହାତୀଙ୍କ ମୃତ୍ୟୁ ହେଉଛି ତାହା ଅତ୍ୟନ୍ତ ଦୁଃଖର ବିଷୟ। ‌ରେଢ଼ାଖୋଲରେ ମରିଥିବା ୩ଟି ହାତୀ ମୃତ୍ୟୁର ଠିକ୍‌ ଭାବେ ତଦନ୍ତ କରାଯାଇ ନାହିଁ। ଲୋକ ଦେଖାଣିଆ ଭାବେ ୪ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ବଡ଼ ବଡ଼ିଆ ଅଧିକାରୀମାନଙ୍କ ବି‌ରୋଧରେ କେବେ କାର୍ଯ୍ୟାନୁଷ୍ଠାନ ହେବ? ଗତ ସପ୍ତାହରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଗଣମାଧ୍ୟମକୁ କହିଥିଲେ, ରେଢ଼ା‌ଖୋଲ ଘଟଣାରେ ଡିଏଫ୍‌ଓଙ୍କୁ ତାଗିଦ କରାଯାଇଛି। ସେ ନିଜର କାର୍ଯ୍ୟ ଠିକ୍‌ ଭାବେ ତୁଲାଇ ନାହାନ୍ତି। ତେଣୁ ତାଙ୍କୁ ବଦଳି କରିବାକୁ ଯୋଜନା ଚାଲିଛି। ତଳ ସ୍ତରରେ ସମ୍ପୃକ୍ତ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ରେଞ୍ଜରଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି ହୋଇଥିବା ବେଳେ ପିସିସିଏଫ ସ୍ତରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଇତିମଧ୍ୟରେ ୭ ଦିନ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button