ରାଜ୍ୟ

ଜାତୀୟ ହସ୍ତତନ୍ତ ଦିବସ : ବୁଣାକାରଙ୍କ ସମ୍ମାନ ପାଇଁ ଦିନଟିଏ

ଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ। ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଏବେ ହାତବୁଣା ପୋଷାକର ଚାହିଦା ବେଶ୍‌ ବୃଦ୍ଧି ପାଇଛି। ଫ୍ୟାସନ୍‌ ବ୍ରାଣ୍ଡଗୁଡ଼ିକ ମଧ୍ୟ ହ୍ୟାଣ୍ଡଲୁମ୍‌କୁ ପ୍ରାଧାନ୍ୟ ଦେଉଥିବା ଦେଖିବାକୁ ମିଳୁଛି । କେବଳ ବୟସ୍କ ନୁହଁନ୍ତି, ବର୍ତ୍ତମାନର ଯୁବପିଢ଼ି ବି ହସ୍ତତନ୍ତ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି।

ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତକୁ ଆଧୁନିକ ଡିଜାଇନ୍‌ ଓ ନୂତନ ରଙ୍ଗରେ ପ୍ରସ୍ତୁତ କରାଯିବା ପରେ ତାହାର ଚାହିଦା ବଜାରରେ ବଢୁଛି।

ସର୍ବପ୍ରଥମେ ୧୯୦୫ ଅଗଷ୍ଟ ୭ରେ କଲିକତା ଟାଉନ ହଲ୍‌ରେ ବିଦେଶୀ ସାମଗ୍ରୀକୁ ବର୍ଜନ କରିବା ଏବଂ ଭାରତୀୟ ଉତ୍ପାଦ ଉପରେ ନିର୍ଭର କରିବା ପାଇଁ ଆନୁଷ୍ଠାନିକ ଘୋଷଣା କରାଯାଇଥିଲା। ଏହାର ଏକ ଶତାବ୍ଦୀ ପରେ ଦେଶର ସାମାଜିକ ଅର୍ଥନୈତିକ ବିକାଶରେ ହସ୍ତତନ୍ତ ଶିଳ୍ପର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଜୁଲାଇ ୨୦୧୫ ରେ ଅଗଷ୍ଟ ୭ ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ଭାବରେ ଘୋଷଣା କରିଥିଲେ। ଏହି ଦିନଟି ସ୍ବତନ୍ତ୍ର ଭାବେ ହସ୍ତତନ୍ତ ବୁଣାକାରଙ୍କ କଳା କାରିଗରିକୁ ସ୍ବୀକୃତି ଦେବା ପାଇଁ ଉତ୍ସର୍ଗୀକୃତ। ଦେଶର ସମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ବୁଣାକାରଙ୍କ ଅବଦାନ ଅତୁଳନୀୟ। ସେଥିପାଇଁ ସେମାନଙ୍କୁ ସଶକ୍ତ କରିବା ସହ ଏହି ଐତିହ୍ୟକୁ ବଞ୍ଚାଇ ରଖିବା ପାଇଁ ଏହି ଦିବସ ପାଳନ କରାଯାଇଥାଏ।

ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରାର ମୁଖ୍ୟ ଅଙ୍ଗ ହେଉଛି ହସ୍ତତନ୍ତ ଶିଳ୍ପ। ଆମ ରାଜ୍ୟର ବାନ୍ଧକଳା ବିଶ୍ବ ପ୍ରସିଦ୍ଧ। ବ୍ରହ୍ମପୁର ପାଟ ଶାଢ଼ି ଓ ଯୋଡ଼, ବୋମକେଇ ଶାଢ଼ି, ଧଳାପଥର ଶାଢ଼ି, କୋଟପାଡ଼ ଶାଢ଼ି ସମେତ ସମ୍ବଲପୁରୀ ପାଟ ବସ୍ତ୍ର ଆଜି କେବଳ ଦେଶ ମଧ୍ୟରେ ନୁହେଁ, ବିଦେଶରେ ମଧ୍ୟ ବେଶ୍‌ ଜନାଦୃତ। ପିଢ଼ି ପରେ ପିଢ଼ି ଓଡ଼ିଶାର ଅଧିକାଂଶ ଗ୍ରାମ ନିଜ ଅଞ୍ଚଳର ହସ୍ତଶିଳ୍ପ କଳାକୁ କୌଳିକ ବୃତ୍ତି ଭାବେ ଅାପଣେଇ ଆସୁଛନ୍ତି। ଏହି ହସ୍ତତନ୍ତଗୁଡ଼ିକ ନିଜର ସ୍ୱତନ୍ତ୍ରତା, ମୌଳିକତା ତଥା ଗୁଣବତ୍ତା ବଜାୟ ରଖିବା କାରଣରୁ ରାଜ୍ୟର ହସ୍ତତନ୍ତର ଚାହିଦା କ୍ରମଶଃ ବଢ଼଼ିବାରେ ଲାଗିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button