୨୪୩ ଭେଣ୍ତିଆଙ୍କୁ ବାର୍ଦ୍ଧକ୍ୟ ଭତ୍ତା: ବର୍ଷକରେ ବୟସ ବଢ଼ିଗଲା ୧୮ବର୍ଷ
କେନ୍ଦ୍ରାପଡ଼ା: ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍ରେ ଭେଣ୍ତିଆଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଦିଆଯିବା ଘଟଣା ପଦାକୁ ଆସିଥିବା ବେଳେ ଏବେ ଅନୁରୂପ କେଳେଙ୍କାରୀ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ରୁ ଆସିଛି। ଆଳି ବ୍ଲକ୍ର ଅର୍ଗଳ ପଞ୍ଚାୟତରେ ଶତାଧିକ ଲୋକଙ୍କ ବୟସ ଜାଲିଆତି କରାଯାଇ ଭତ୍ତା ପ୍ରଦାନ କରାଯାଇଛି। କାହାକୁ ୪୦ବର୍ଷ ତ ଆଉ କାହାକୁ ୪୫ବର୍ଷ ହୋଇଛି। ଅଥଚ, ଜାଲିଆତି କରାଯାଇ ସେମାନଙ୍କ ବୟସକୁ ୬୦ରୁ ଅଧିକ ଦର୍ଶାଇ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଇଛି। ପୂର୍ବ ବିଜେଡି ସରକାର ଅମଳରେ ହୋଇଥିବା ଏହି ଭତ୍ତା ଦୁର୍ନୀତିର ପୂରା ତଥ୍ୟ ସହିତ ବିଜେପି ସାମ୍ବାଦିକ ସମ୍ମିଳନୀ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛି। ତେବେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଯୋଗୁଁ ବ୍ଲକ୍ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ସନ୍ଦେହ ଉପୁଜିଛି।
ବର୍ଷକରେ ବୟସ ବଢ଼ିଗଲା ୧୮ବର୍ଷ
ଅଭିଯୋଗ ପାଇ ଚୁପ୍ ବସିଛି ପ୍ରଶାସନ
‘ଆଳିରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୨୦ ହଜାର ଟପିବ’
ବିଞ୍ଝାରପୁର ବ୍ଲକ୍ରେ ୮୯୪ଜଣ ଅଯୋଗ୍ୟଙ୍କୁ ୯୦ଲକ୍ଷ ଟଙ୍କାର ଭତ୍ତା ପ୍ରଦାନ କରାଯାଇଥିବା ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। କେନ୍ଦ୍ରାପଡ଼ାରେ କିନ୍ତୁ ଆଳି ବ୍ଲକ୍ର କେବଳ ଗୋଟିଏ ଅର୍ଗଳ ପଞ୍ଚାୟତରେ ୨୪୩ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ କରାଯାଇଥିବା ଅଭିଯୋଗ ବିଜେପି ନେତା କୃଷ୍ଣଚନ୍ଦ୍ର ପଣ୍ତା ଆଣିବା ପରେ ସାମାଜିକ ସୁରକ୍ଷା ଯୋଜନା ହୋଇଥିବା ବଡ଼ଧରଣର କେଳେଙ୍କାରୀର ଆଭାସ ମିଳିଛି। ଭତ୍ତା ପାଇବା ପାଇଁ ପ୍ରକୃତ ବୟସକୁ ବଢ଼ାଇ ୬୦ରୁ ଅଧିକ ଦର୍ଶାଯାଇଛି। ଆଉ ଏଥିପାଇଁ ଜାଲ୍ ସ୍କୁଲ୍ ସାର୍ଟିଫିକେଟ୍ର ସାହାରା ନିଆଯାଇଛି। ଭୋଟର ପରିଚୟପତ୍ର ସ˚ଶୋଧନ ସମୟରେ ଜାଲିଆତି କରାଯାଇ ୪୦ବର୍ଷର ଭେଣ୍ତିଆଙ୍କ ବୟସ ବଢ଼ାଇ ୬୦ରୁ ଅଧିକ ଦର୍ଶାଯାଇ ଯୋଗ୍ୟ କରାଯାଇଛି। ହେଲେ ଏହି କେଳେଙ୍କାରୀ ପୁରୁଣା ଭୋଟର ପରିଚୟପତ୍ର ଯାଞ୍ଚରୁ ଧରାପଡ଼ିଯାଇଛି। ଉଦାହରଣ ଭାବେ ଅର୍ଗଳର ବୁଥ୍ ନମ୍ବର ୫୧ର ରମେଶ ଗାହାଣ, ସର୍ବେଶ୍ବର କୁଅଁର, ଆରତି କୁହଁର ଏବ˚ ବୁଥ୍ ନମ୍ବର ୫୫ର ଶାନ୍ତିଲତା ସୂତାରଙ୍କୁ ନିଆଯାଉ। ପୁରୁଣା ଭୋଟର ପରିଚୟପତ୍ର ଅନୁସାରେ ୨୦୨୩ ମସିହାରେ ରମେଶଙ୍କ ବୟସ ଥିଲା ୪୭। କିନ୍ତୁ ସ˚ଶୋଧନ ପରେ ୨୦୨୪ରେ ହେଇଗଲା ୬୫। ଅନୁରୂପ ଜାଲିଆତି ଅନ୍ୟମାନଙ୍କ କ୍ଷେତ୍ରରେ ବି କରାଯାଇଛି। ସର୍ବେଶ୍ବର ଓ ଆରତୀ ସମ୍ପର୍କରେ ସ୍ବାମୀ-ସ୍ତ୍ରୀ। ୨୦୨୩ରେ ସ୍ବାମୀଙ୍କ ବୟସ ୪୫ ଓ ସ୍ତ୍ରୀର ୩୮ ଥିଲା। ମାତ୍ର ସ˚ଶୋଧନ ପରେ ୨୦୨୪ରେ ସ୍ବାମୀ ବୟସ ୬୭ ଓ ସ୍ତ୍ରୀର ୬୬ ହୋଇଯାଇଛି। ସେହିପରି ଶାନ୍ତିଲତାଙ୍କ ବୟସ ଗତବର୍ଷ ୪୪ବର୍ଷ ଥିବା ବେଳେ ଚଳିତବର୍ଷ ଏହା ୬୨ବର୍ଷ ହୋଇଯାଇଛି। ହାଣ୍ତିରୁ ଗୋଟିଏ ଭାତ ଚିପିବା ନ୍ୟାୟରେ କେବଳ ଅର୍ଗଳ ପଞ୍ଚାୟତରେ ବୟସ ଜାଲିଆତି ବଳରେ ଯଦି ଦୁଇ ଶହରୁ ଅଧିକ ଅଯୋଗ୍ୟଙ୍କୁ ଭତ୍ତା ଦିଆଯାଇପାରୁଛି, ତା’ହେଲେ ପୂରା ବ୍ଲକ୍ର ଏଭଳି ଅଯୋଗ୍ୟଙ୍କ ସ˚ଖ୍ୟା କେତେ ଅଧିକ ହୋଇଥିବ ବୋଲି ପ୍ରଶ୍ନ ଉଠୁଛି।
ବିଜେପି ନେତା ଶ୍ରୀ ପଣ୍ତା କହିଛନ୍ତି ଭୋଟର ପରିଚୟପତ୍ର ସ˚ଶୋଧନ ବେଳେ ଏହି ଜାଲିଆତି କରାଯାଇଛି। ପୂରା ବ୍ଲକ୍ରେ ଅଯୋଗ୍ୟ ଭତ୍ତା ହିତାଧିକାରୀଙ୍କ ସ˚ଖ୍ୟା ୨୦ ହଜାରରୁ ଅଧିକ ହେବ। ଭୋଟ ପାଇବା ଆଶାରେ ବିଜେଡି ଏପରି କରିଥିଲା। ଆମେ ଅର୍ଗଳ ପଞ୍ଚାୟତକୁ ଉଦାହରଣ ଭାବେ ନେଇ ଯାଞ୍ଚ କରିଥିଲୁ। ଏହି ପଞ୍ଚାୟତରେ ୩୦୩ ନୂଆ ହିତାଧିକାରୀ ଭତ୍ତା ପାଇବାକୁ ଯୋଗ୍ୟ ବୋଲି ତାଲିକା ପ୍ରକାଶ ପାଇଥିଲା। ପ୍ରକାଶିତ ତାଲିକାରୁ ଯାଞ୍ଚ କରିବା ପରେ ସେଥିରୁ ୨୪୩ ଜଣଙ୍କ ବୟସ ୨୦୨୪ ମସିହାରେ ବି ୬୦ ହୋଇ ନାହିଁ। ୪୦/୫୦ ବର୍ଷର ଲୋକଙ୍କୁ ୬୫/୭୦ବର୍ଷ ଦର୍ଶାଯାଇ ଭତ୍ତା ଦିଆଯାଇଛି। ନିର୍ଦ୍ଦିଷ୍ଟ କେତୋଟି ସ୍କୁଲ୍ ନାଁରେ ଜାଲ୍ ସାର୍ଟିଫିକେଟ୍ ବାହାର କରାଯାଇ ଏପରି କରାଯାଇଥିବା ନେଇ ସଂପୂର୍ଣ୍ଣ ତଥ୍ୟ ବ୍ଲକ୍ ପ୍ରଶାସନକୁ ଦେଇଛୁ। କିନ୍ତୁ ଏଯାଏ କାର୍ଯ୍ୟାନୁଷ୍ଠାନ ନ ହେବା ଆଶ୍ଚର୍ଯ୍ୟଜନକ।