ଚନ୍ଦ୍ରବାବୁଙ୍କ ସରକାର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଜଗନ ମୋହନ ରେଡ୍ଡୀ
ନୂଆଦିଲ୍ଲୀ: ଚନ୍ଦ୍ରବାବୁ ନାଇଡୁ ସରକାରଙ୍କ ଉପର ଖୁବ ବର୍ଷିଛନ୍ତି ଓ୍ବାଇଏସଆର କଂଗ୍ରେସର ମୁଖ୍ୟ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ୪୯ ଜଣ ସାମାଜିକ ଗଣମାଧ୍ୟମ କାର୍ଯ୍ୟକର୍ତ୍ତାଙ୍କ ଗିରଫଦାରୀକୁ ସେ ଜୋରଦାର ବିରୋଧ କରିଛନ୍ତି । ଆନ୍ଧ୍ର ପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ବାଧୀନ ଏନଡିଏ ସରକାର ବିରୋଧୀ ଦଳର ସୋସିଆଲ ମିଡିଆ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ୬୮୦ ନୋଟିସ୍ ଜାରି କରିଛି ।
ସେହିଭଳି ୧୪୭ଟି ମାମଲା ରୁଜୁ ହୋଇଥିବା ବେଳେ ୪୯ ଜଣଙ୍କୁ ଗିରଫ କରାଯାଇଛି ବୋଲି ଜଗନ ରେଡ୍ଡୀ ଅଭିଯୋଗ କରିଛନ୍ତି ।
ସେ ଆହୁରି କହିଛନ୍ତି ଯେ, କୌଣସି ସୋସିଆଲ ମିଡିଆ ପୋଷ୍ଟକୁ ସରକାର ନାପସନ୍ଦ କରିପାରନ୍ତି ଏବଂ ସିଆରପିସି ୪୧ଏରେ ମାମଲା କରିପାରନ୍ତି । କିନ୍ତୁ ସରକାର ଲୋକଙ୍କୁ ଉଠାଇ ନେଇ ମାଡ଼ମାରି ପାରିବେ ନାହିଁ ବୋଲି କହି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ରାଜ୍ୟ ପୋଲିସ ୮୬ଟି ମିଥ୍ୟା ମାମଲା ରୁଜୁ କରିଥିବା ନେଇ ବିରୋଧୀ ଦଳ ଅଭିଯୋଗ କରିଥିଲା ।
ଓ୍ବାଇଏସଆର କଂଗ୍ରେସ ପକ୍ଷରୁ ନଭେମ୍ବର ୫ରେ ଅଭିଯୋଗ କରାଯାଇଥିଲା ଯେ, ସମାଜସେବୀ ସରକାରଙ୍କ ଦୁର୍ନୀତିକୁ ଲୋକମାନଙ୍କ ଆଗକୁ ଆଣୁଛନ୍ତି । ସେମାନଙ୍କୁ ସରକାର ଟାର୍ଗେଟ କରି ମିଛ ମାମଲାରେ ଫସାଉଛନ୍ତି । ଓ୍ବାଇଏସଆରସିପି କଂଗ୍ରେସର କାର୍ଯ୍ୟକର୍ତ୍ତା, ଦଳର ସୋସିଆଲ ମିଡିଆ ଆକ୍ଟିଭିଷ୍ଟ , ଏପରିକି କୃଷକଙ୍କୁ ନୋଟିସ ବିନା ଗିରଫ କରାଯାଉଛି । ଟିଡିପି କାର୍ଯ୍ୟକର୍ତ୍ତାଙ୍କ ମିଛ ଅଭିଯୋଗରେ ମଧ୍ୟ ପୋଲିସ ବିରୋଧୀ ଦଳର କର୍ମୀଙ୍କୁ ଗିରଫ କରୁଛି ବୋଲି ଜଗନ ରେଡ୍ଡୀଙ୍କ ଦଳ ଅଭିଯୋଗ କରିଥିଲା ।
ଏବେ ଦଳ ଆହୁରି ଅଭିଯୋଗ କରିଛି ଯେ, ବିଭିନ୍ନ ଜିଲ୍ଲାରେ ମଧ୍ୟ ଏହି ଟ୍ରେଣ୍ଡ ଜାରି ରହିଛି । କେବଳ ଏନଟିଆର ଜିଲ୍ଲାରେ ୬୧ଟି ମାମଲା ହୋଇଛି । ଏହା ବ୍ୟତୀତ ଶ୍ରୀକାକୁଲମ, ନେଲୋର, ପଶ୍ଚିମ ଗୋଦାବରୀ ଏବଂ ଅନ୍ୟ ଜିଲ୍ଲାରେ ବିରୋଧୀ ଦଳର ସୋସିଆଲ ମିଡିଆ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ହେଉଛି ବୋଲି ମଧ୍ୟ ଓ୍ବାଇଏସଆର କଂଗ୍ରେସ ଅଭିଯୋଗ କରିଛି ।