ରାଜ୍ୟ

ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ, ଫର୍ମୁଲା ଦେଲେ ଅତନୁ

ଭୁବନେଶ୍ୱର: ଓଡ଼ିଶାର ଲୋକେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁଲି ନାହାନ୍ତି। ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। କେନ୍ଦ୍ରାପଡ଼ା ମହାକାଳପଡ଼ାରେ ଆୟୋଜିତ ଏକ ଦଳୀୟ ସଭାରେ ଏଭଳି କହିଛନ୍ତି ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ସେ କହିଛନ୍ତି, ‘ବିଜୁ ଜନତା ଦଳ କର୍ମୀ ଓ ନେତାଙ୍କୁ ଭରସା ମୁଁ ଦେଉଛି, ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ।

ଓଡ଼ିଶାର ଲୋକେ ନବୀନବାବୁଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତୁତ ହେଲେଣି। ନବୀନ ବାବୁ ମୁଖ୍ୟମନ୍ତ୍ରୀ ନାହାନ୍ତି ଏକଥା ଏବେ ମଧ୍ୟ କେତେକ ବିଶ୍ଵାସ କରି ପାରୁନାହାନ୍ତି। ନବୀନ ବାବୁଙ୍କୁ ଲୋକେ ଭୁଲି ପାରୁନାହାନ୍ତି’।

ଏହାସହ ପୁନର୍ବାର ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନେଇ ଫର୍ମୁଲା ଦେଇଛନ୍ତି ଅତନୁ। ଆମର ୫୧ ଓ କଂଗ୍ରେସର ୧୪ ଏବଂ ସ୍ୱାଧୀନର ୩ ବିଧାୟକଙ୍କ ସମର୍ଥନ ଆମ ସହିତ ଅଛି। ଆଉ ମାତ୍ର ୮-୧୦ଜଣ ବିଧାୟକ ଦରକାର ବୋଲି ସେ କହିଛନ୍ତି। ପରାଜୟ ପରେ ପ୍ରଥମ ଥର ପାଇଁ ମହାକାଳପଡ଼ାରେ ସାଧାରଣ ସଭା କରି ଏଭଳି କହିଛନ୍ତି ଅତନୁ।

ଅନ୍ୟପକ୍ଷରେ ଅତନୁଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛି ବିଜେପି ଓ କଂଗ୍ରେସ। ବିଜେପି ବିଧାୟକ ସରୋଜ ପାଢୀ କହିଛନ୍ତି, ଅତନୁଙ୍କୁ ସଂଖ୍ୟା ଗଣିତ ଠିକ୍ ଭାବରେ ଜଣା ଅଛି ତ ? ୭-୮ ଜଣ ବିଧାୟକ ଗଲେ ମଧ୍ୟ ବରଂ ବିଜେଡିର ୨୭ଜଣ ବିଧାୟକ ବିଜେପି ଯୋଗାଯୋଗରେ ଅଛନ୍ତି। ଅତନୁ ଭୁଆଁ ବୁଲାଇବା ପାଇଁ ଏପରି କହୁଛନ୍ତି। ନିୟମ ନ ଥାଇ ବେନିୟମ କଥା ଗୁଡ଼ିକ କହିଲେ କ’ଣ ହେବ? ୨୦୨୯ ନିର୍ବାଚନ ବେଳକୁ କଂଗ୍ରେସ ୫ ଫଳ ହୋଇ ଯାଇଥିବ ବୋଲି ସେ କହିଛନ୍ତି।

ସେହିପରି ବର୍ତ୍ତମାନ ସୁଦ୍ଧା ବିଜେଡି ସହ ଆମର ମେଣ୍ଟ ହୋଇନାହିଁ। ଯଦି ସେମାନେ ଆମ ସହ ମେଣ୍ଟ କରିବାକୁ ଚାହାନ୍ତି, ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ଆମେ ମାନିବୁ ବୋଲି କଂଗ୍ରେସ ବିଧାୟକ ମଙ୍ଗୁ ଖିଲ କହିଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ମୁନା ଖାନ୍ ଓ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ମଧ୍ୟ ସରକାର ଗଢିବାକୁ ଦମ୍ଭୋକ୍ତି ଦେଖାଇଥିଲେ। ଏହାର ଜବାବରେ ବିଜେପି ଓ କଂଗ୍ରେସ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button