ରାଜ୍ୟ

ପୋଖରୀ, ହାଟ ନିଲାମର ୨ ଲକ୍ଷ ଟଙ୍କା ଆତ୍ମସାତ, ପଞ୍ଚାୟତ ଅର୍ଥ ହଡ଼ପ୍‌ ଅଭିଯୋଗରେ ପିଇଓ ଗିରଫ

ଢେଙ୍କାନାଳ,୧୦/୧୧: ପଞ୍ଚାୟତ ଅର୍ଥ ହଡ଼ପ୍ ଅଭିଯୋଗରେ ଓଡ଼ାପଡ଼ା ବ୍ଲକ୍ କଳାଙ୍ଗ ପଞ୍ଚାୟତର ପୂର୍ବତନ ନିର୍ବାହୀ ଅଧିକାରୀ (ପିଇଓ) ତଥା ବେଣୁଧର ପଟ୍ଟନାୟକ(୫୧)ଙ୍କୁ ଆଜି ସଦର ଥାନା ପୁଲିସ ଗିରଫ କରିଛି । ପଞ୍ଚାୟତର ପୋଖରୀ, ହାଟ ଆଦି ବିଭିନ୍ନ ନିଲାମ ଅର୍ଥ ୧ ଲକ୍ଷ ୯୯ ହଜାର ୯୯୭ ଟଙ୍କା ହଡ଼ପ୍ କରିଥିବା ନେଇ ଓଡ଼ାପଡ଼ା ବିଡିଓ ଦିଲ୍ଲିପ କୁମାର ଷଡ଼ଙ୍ଗୀ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ବେଣୁଧରଙ୍କ ଘର ସଦର ଥାନା ଗୁଣ୍ଡିଚାପଡ଼ା ବେଶାଳିଆ ଗାଁରେ ।

ସୂଚନା ଅନୁସାରେ, ବେଣୁଧର କଳାଙ୍ଗ ପଞ୍ଚାୟତରେ ନିର୍ବାହୀ ଅଧିକାରୀ ଥିବା ବେଳେ ଗତ ଅଗଷ୍ଟ ୧୩ ତାରିଖରୁ ୨୧ ତାରିଖ ମଧ୍ୟରେ ପଞ୍ଚାୟତରେ ଥିବା କେତୋଟି ପୋଖରୀ, ହାଟ ଆଦି ନିଲାମ କରାଯାଇଥିଲା । ସେ ବାବଦରେ ୧ ଲକ୍ଷ ୯୯ ହଜାର ୯୯୭ ଟଙ୍କା ଆଦାୟ ହୋଇଥିଲା । ଯାହା ପଞ୍ଚାୟତର ଆୟ ହୋଇଥିବା ବେଳେ ତାହା ପଞ୍ଚାୟତ ଆକାଉଣ୍ଟରେ ରହିବା କଥା । ମାତ୍ର ପୂର୍ବତନ ପିଇଓ ତାହା ପଞ୍ଚାୟତ ଆକାଉଣ୍ଟରେ ରଖିନାହାନ୍ତି । ଏପରିକି ପଞ୍ଚାୟତର କ୍ୟାସ୍ ବୁକ୍ ଓ ରିସିଭିଡ୍ ବୁକ୍ ନଂ-୭ କୁ ନେଇଯାଇଛନ୍ତି । ଘଟଣା ଜଣାପଡ଼ିବା ପରେ ବିଡିଓ ତାଙ୍କୁ ବ୍ଲକ୍ କାର୍ଯ୍ୟାଳୟକୁ ବଦଳି କରିଥିଲେ । ମାତ୍ର ସେ ସେବେଠାରୁ ଅଢ଼େଇ ମାସ ହେଲା ଛୁଟି ନନେଇ ଅନୌପଚାରିକ ଭାବେ ଅନୁପସ୍ଥିତ ରହିଛନ୍ତି । ଟଙ୍କା ଦାଖଲ ଓ କାର୍ଯ୍ୟରେ ଯୋଗଦେବାକୁ ବାରମ୍ବାର ନୋଟିସ୍ ପଠାଯାଉଥିଲେ ହେଁ, ନୋଟିସ୍ ଗ୍ରହଣ କରୁନଥିଲେ ।

ଶେଷରେ ଗତ ଅକ୍ଟୋବର ୨୨ ତାରିଖରେ କଳାଙ୍ଗ ସରପଞ୍ଚ ବିଡିଓଙ୍କୁ ଏନେଇ ଲିଖିତ ଭାବେ ଜଣାଇବା ପରେ ବିଡିଓ ଶ୍ରୀ ଷଡ଼ଙ୍ଗୀ ଅକ୍ଟୋବର ୨୩ ତାରିଖରେ ସଦର ଥାନାରେ ଅଭିଯୋଗ କରିଥିଲେ । ଶେଷରେ ସଦର ପୁଲିସ ତାଙ୍କୁ ବେଶାଳିଆ ସ୍ଥିତ ଘରୁ ଗିରଫ କରିଛି । କେବଳ ଏହି ନିଲାମ୍ ଟଙ୍କା ନୁହେଁ, ଆହୁରି ଅନେକ ଅର୍ଥ ହଡ଼ପ୍ ହୋଇଥିବା ଅଭିଯୋଗ ହେଉଛି । କଳାଙ୍ଗରୁ ବଦଳି ହୋଇଥିଲେ ହେଁ, ସେ ନୂତନ ପିଇଓଙ୍କୁ ଦାୟିତ୍ୱ ହସ୍ତାନ୍ତର କରିନାହାନ୍ତି । ଏଥି ପୂର୍ବରୁ ସେ ଗଦାଶିଳା, ଗୋବିନ୍ଦପ୍ରସାଦ ପଞ୍ଚାୟତରେ କାର୍ଯ୍ୟ କରିଥିବା ବେଳେ ସେଠାରେ ବି ଏପରି ହେରଫେର୍ ହୋଇଥିବା ଆଶଙ୍କାରେ ଯାଞ୍ଚ କରାଯାଉଛି ବୋଲି ବିଡିଓ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button