ଜନ୍ମଦାତ୍ରୀ ମାଆର ଜୀବନ ନେଲା ପୁଅ
ଝାରସୁଗୁଡା: ଜନ୍ମଦାତ୍ରୀ ମାଆର ଜୀବନ ନେଲା । ଲହୁ ଲୁହ ନିଗାଡ଼ି ଜନ୍ମ ଦେଇଥିବା ମାଆକୁ ମାରିଲା ନୃଶଂସ ପୁଅ । ଭୁଲିଗଲା ମାଆର ମମତା । ଯେଉଁ ମାଆର ପଣତ କାନିରେ ଘୋଡ଼ାଇ ହୋଇ ରହୁଥିଲା, ସେହି ମାଆକୁ ହତ୍ୟା କରିବା ପାଇଁ ପଛାଇଲେ ନାହିଁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅନ୍ତର୍ଗତ ମହିଯୋର ଗ୍ରାମରେ ।
ମାଆକୁ ହତ୍ୟା କଲା ପୁଅ । ପୁଅର ଅତର୍କୀତ ଆକ୍ରମଣରେ ଜନ୍ମ ଦେଇଥିବା ମାଆର ଶୋଚନୀୟ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ମହିଯୋର ଗ୍ରାମର ସ୍ୱର୍ଗତ ଅଭି ଲୁହାରଙ୍କ ପତ୍ନୀ ଉର୍କୁଲି ଲୁହାର (୬୦) ବୋଲି ଜଣାପଡ଼ିଛି । ବେଲପାହାଡ଼ ପୋଲିସ୍ ଘଟଣାସ୍ଥଳକୁ ପହଞ୍ଚି ମୃତ ଉର୍କୁଲିଙ୍କ ପୁଅ ଅଭିଯୁକ୍ତ ବନମାଳୀ ଲୁହାର (୩୦)କୁ ଗିରଫ କରିବାରେ ସଫଳ ହୋଇଛି । ପୋଲିସ୍ ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ସାଇଣ୍ଟିଫିକ୍ ଦଳ ସାହାଯ୍ୟରେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ସାଇଣ୍ଟିଫିକ୍ ଦଳ ଫରେନ୍ସିକ୍ ଯାଞ୍ଚ ପାଇଁ ଘଟଣାସ୍ଥଳରୁ ବିଭିନ୍ନ ଜରୁରି ନମୁନା ସଂଗ୍ରହ କରିଛି ।
ସୂଚନାରୁ ପ୍ରକାଶ ଯେ, ଗତକାଲି ଶନିବାର ଭୋର ସକାଳ ପ୍ରାୟ ୪ ଟାରେ ଉର୍କୁଲି ଶୋଇଥିବା ବେଳେ କୌଣସି କଥାକୁ ନେଇ ଉତ୍ତ୍ୟକ୍ତ ହୋଇ ପୁଅ ବନମାଳୀ ଗାଡ଼ିରେ ଲାଗୁଥିବା ଏକ ଲୁହା ସ୍ପ୍ରିଂ ପଟ୍ଟା ଯୋଗେ ନିଜ ମାଆ ଉର୍କୁଲିଙ୍କ ମୁଣ୍ଡରେ ଅତର୍କୀତ ଆକ୍ରମଣ କରିଥିଲା । ଫଳରେ ଉର୍କୁଲିଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗି ସେ ଗୁରୁତର ଆହତ ହୋଇପଡିଥିଲେ । ବନମାଳୀ ଘରେ ଲାଗିଥିବା କେତେକ ଲାଇଟ୍ ଗୁଡ଼ିକୁ ମଧ୍ୟ ଭାଙ୍ଗି ଦେଇଥିଲା । ତେବେ ଚିତ୍କାର ଶୁଣି ଘଟଣାସ୍ଥଳରୁ ଉର୍କୁଲିଙ୍କୁ ଗୁରୁତର ଅବସ୍ଥାରେ ସାହି ପଡ଼ିଶା ଲୋକେ ଉଦ୍ଧାର କରିଥିଲେ । ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି ।
ଏପଟେ ଖବର ପାଇ ପୋଲିସ୍ ମୃତଦେହକୁ ଜବତ କରିବା ସହ ସଂପୃକ୍ତ ଅଭିଯୁକ୍ତ ପୁଅ ବନମାଳୀ ଲୁହରକୁ ଗିରଫ କରିବାରେ ସକ୍ଷମ ହୋଇଛି । ହତ୍ୟା ପାଇଁ ବ୍ୟବହୃତ ଏକ ଲୁହା ପଟ୍ଟାକୁ ଘଟଣସ୍ଥଳରୁ ଜବତ କରିଛି ପୋଲିସ୍ । ଘଟଣାସ୍ଥଳରେ ବେଲପାହାଡ଼ ଥାନାଧିକାରୀ କୃଷ୍ଣଚନ୍ଦ୍ର ମେହେର, ସାଇଣ୍ଟିଫିକ୍ ବିଭାଗର ଫିଙ୍ଗର ପ୍ରିଣ୍ଟ ଅଧିକାରୀ ଜଳଫରେନ୍ ବାରା ଓ ଦଳ ପ୍ରମୁଖ ଉପସ୍ଥିତ ରହି ତଦନ୍ତ କରିଥିଲେ । ମୃତ ଉର୍କୁଲିଙ୍କ ଶରୀର ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୋଲିସ୍ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି ।