ରାଜ୍ୟ

ଦାଦନଙ୍କ ପାଇଁ ଆସିବ ଆପ୍: ମିଳିବ ସ୍ବତନ୍ତ୍ର ସ୍ବାସ୍ଥ୍ୟକାର୍ଡ

ଭୁବନେଶ୍ବର: ରାଜ୍ୟର ଦାଦନଜନିତ ବିସ୍ଥାପନ ସମସ୍ୟାର ନିରାକରଣ ନିମନ୍ତେ ଗଠନ ହୋଇଥିବା ଉଚ୍ଚସ୍ତରୀୟ ଟାସ୍କଫୋର୍ସର ପ୍ରଥମ ବୈଠକ ଆଜି ବସିଛି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ନିଷ୍ପତ୍ତି ହୋଇଛି ଯେ ରାଜ୍ୟ ସରକାର ଦାଦନ ବିସ୍ଥାପିତଙ୍କ ତଥ୍ୟ ରଖିବା ପାଇଁ ଏକ ମୋବାଇଲ ଆପ୍ ପ୍ରସ୍ତୁତ କରିବେ।

ଦାଦନ ଶ୍ରମିକଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ କାର୍ଡ଼ କରାଯିବ। ଯାହାଦ୍ବାରା ସେମାନେ ଯେଉଁଠି ଥିଲେ ବି ମାଗଣାରେ ସ୍ବାସ୍ଥ୍ୟସେବା ପାଇବେ।

ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ ଲୋକଙ୍କୁ ସ୍ଥାୟୀ ଜୀବିକା କିମ୍ବା ରୋଜଗାରର ପନ୍ଥା ଯୋଗାଇବା ସହ ଦଲାଲ (ଲେବର୍ ସର୍ଦ୍ଦାର)କୁ ହଟାଇ ପାରିଲେ ଦାଦନ ବିସ୍ଥାପନ ସମସ୍ୟା କିଛି ମାତ୍ରାରେ କମିଯିବ। କେବଳ ସେତିକି ନୁହେଁ, ଦାଦନ ଭାବେ ବାହାର ରାଜ୍ୟକୁ କିମ୍ବା ଦେଶକୁ ଯାଉଥିବା ବ୍ୟକ୍ତି ପ୍ରଥମେ ନିଜକୁ ପଞ୍ଜିକରଣ କରାଇବା ଦରକାର। ଯାହାଫଳରେ ଭବିଷ୍ୟତରେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସରକାର ସାହାଯ୍ୟ ଯୋଗାଇ ଦେଇପାରିବେ।

ସେହିପରି ଏଣିକି ଲେବର୍ କଣ୍ଟ୍ରାକ୍ଟରମାନେ ଲାଇସେନ୍ସ ପ୍ରାପ୍ତ କି ନୁହେଁ ତାହା ନିୟମିତ ଯାଞ୍ଚ ହେବ। ଯାହାର ଲାଇସେନ୍ସ ନଥିବ ଏବଂ ଶ୍ରମିକ ଚାଲାଣ କରୁଥିବେ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଆଇଏସ୍ଏମ୍ଡବ୍ଲ୍ୟୁ ଆକ୍ଟ, ୧୯୭୯ ଅନ୍ତର୍ଗତ ଅବାଧ ଚାଲାଣକୁ ରୋକିବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ଶ୍ରମିକଙ୍କ ଟ୍ରାକିଂ ଓ ଆବଶ୍ୟକସ୍ଥଳେ ରେଡ୍ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଦାଦନ ଚାଲାଣ ନେଇ ଅଭିଯୋଗ ଥିଲେ ଟୋଲ୍ ଫ୍ରି ନମ୍ବର ୧୮୦୦୩୪୫୬୭୦୩ରେ ଫୋନ୍ କରିବା ନେଇ ସଚେତନତା ହେବ।
ବୈଠକରୁ ଜଣାପଡ଼ିଛି ଯେ କୋଭିଡ୍-୧୯ ପରବର୍ତ୍ତୀ ସମୟରେ ପ୍ରାୟ ୮.୩୮ଲକ୍ଷ ଦାଦନ ଓଡ଼ିଶା ଫେରିଥିଲେ। ୨୦୨୪ରେ ପ୍ରାୟ ୧୦୩୬ଜଣଙ୍କୁ ଲେବର୍ ଲାଇସେନ୍ସ ପ୍ରଦାନ କରାଯାଇଛି। ୯୬ ଥର ବିଭିନ୍ନ ସ୍ଥାନରେ ଲାଇସେନ୍ସ ଯାଞ୍ଚ ହୋଇଛି।

ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ା ଭଳି ୪ଟି ଜିଲ୍ଲାର ୨୦ଟି ବ୍ଲକର ୨୯ଟି ଗ୍ରାମପଞ୍ଚାୟତରେ ସର୍ଭେ କରାଯାଇଛି। ଏହି ସମସ୍ୟାର ନିରାକରଣ ପାଇଁ ଶ୍ରମିକମାନଙ୍କ ପାରିଶ୍ରମିକ ବୃଦ୍ଧି କରିବା ସହ ଠିକ୍ ସମୟରେ ଏହି ପାରିଶ୍ରମିକ ସେମାନଙ୍କୁ ମିଳିବା ଦରକାର ବୋଲି ଶ୍ରମିକମାନେ କହିଛନ୍ତି। ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ନିଜର ମତବ୍ୟକ୍ତ କରିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button