ମହାରାଷ୍ଟ୍ରବାସୀଙ୍କ ପାଇଁ ବିଜେପିର ସଂକଳ୍ପ ପତ୍ର ଜାରି , ଫୋକସ୍ ମହିଳା ଓ ଚାଷୀ

ମୁମ୍ବାଇ,୧୦/୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନେଇ ପ୍ରତିଶ୍ରୁତି ପେଡି ଖୋଲିଛି ବିଜେପି । ମୁମ୍ବାଇରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ବିଜେପିର ନିର୍ବାଚନୀ ଇସ୍ତାହାର ଜାରି କରିଛି । ଯାହାର ନାମ ସଂକଳ୍ପ ପତ୍ର ରହିଛି । ଏହି ସଂକଳ୍ପରେ ମହିଳା, ଚାଷୀ ଓ ଗରିବଙ୍କ ହିତ ପାଇଁ କାର୍ଯ୍ୟ କରିବ ବୋଲି କହିଛି ବିଜେପି ।
ଗରିବଙ୍କ କଲ୍ୟାଣ, ଚାଷୀଙ୍କୁ ସମ୍ମାନ ଓ ମହିଳାଙ୍କ ସ୍ବାଭିମାନ ନେଇ ଯୋଜନା ଆଣିବୁ ବୋଲି ସଂକଳ୍ପ କରିଛି ଭାରତୀୟ ଜନତା ପାର୍ଟି । ମୋଟ ୨୫ଟି ସଂକଳ୍ପ ଦେଇଛି ବିଜେପି ।
ମହାରାଷ୍ଟ୍ରବାସୀଙ୍କୁ ବିଜେପିର ପ୍ରତିଶ୍ରୁତି
୧. ଲଡକୀ ବେହନ ଯୋଜନା
୨.ଫାର୍ମ ଲୋନ ୱେଭର୍ସ
୩. ଚାଷୀଙ୍କ ପାଇଁ ଭାବାନ୍ତର ଯୋଜନା
୪. ୨୫ ଲକ୍ଷ ନିଯୁକ୍ତି
୫. ସୁଲଭ ମୂଲ୍ୟରେ ଔଷଧ
ମହାରାଷ୍ଟ୍ର ପାଇଁ ନିର୍ବାଚନୀ ଇସ୍ତାହାର ଜାରି କରି କେନ୍ଦ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି, ଏହି ସଂକଳ୍ପ ପତ୍ର ମହାରାଷ୍ଟ୍ରବାସୀଙ୍କ ଆକାକ୍ଷାଂ ପୂରଣ କରିବ । ନିର୍ବାଚନରେ ଆମର ଲଢେଇ ଅଘାଡି ବିରୋଧରେ ହେବ । ମୁଁ ନିଶ୍ଚିନ୍ତ ଯେ ମହା ବିକାଶ ଅଘାଡିର ଯୋଜନା କେବଳ ସତ୍ତା ଲୋଭ ପାଇଁ ତିଆରି ହୋଇଛି । ତାର ଯୋଜନା ବିଚାରାଧାରର ଅପମାନ ଓ ମହାରାଷ୍ଟ୍ର ସଂସ୍କୃତି ସହ ଛଳନା କରିଛି । ମୁଁ ଉଦ୍ଧବ ଠାକରେଙ୍କୁ ପଚାରିବାକୁ ଚାହୁଁଛି କି ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବୀର ସାବକରଙ୍କ ବିଷୟରେ ୨ ପଦ ଭଲ କଥା କହିବାକୁ ନିବେଦନ କରିବେ କି । ଶରଦ ପାୱାର ୧୦ ବର୍ଷକାଳ ୟୁପିଏର ମନ୍ତ୍ରୀ ଥିଲେ । ମହାରାଷ୍ଟ୍ରର ଉନ୍ନତି ପାଇଁ ସେ କଣ କରିଛନ୍ତି ।
ସେ ଆହୁରି କହିଛନ୍ତି, କଂଗ୍ରେସର ଜାତିବାଦୀ ରାଜନୀତି ଦେଶରେ ସମାଜକୁ ଭାଗ କରିବାର କାମ କରୁଛି । ଏ ନେଇ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ସଜାଗ କରୁଛନ୍ତି ଯାହା ଜଣେ ରାଜନେତାର କାମ । ଭାରତୀୟ ଜନତା ପାର୍ଟି ଯାହା ସଂକଳ୍ପ ଦିଏ ତାହା କରି ଦେଖାଏ । ଦେଶରୁ ଧାରା ୩୭୦ ହଟିବା ନେଇ ବିଜେପି କହିଥିଲା କରି ଦେଖାଇଲା । ରାମ ଜନ୍ମଭୂମି ମନ୍ଦିର କରି ଦେଖାଇଛି, ସିଏଏ ଆଣିଛି । ୭ କୋଟି ଗରିବଙ୍କୁ ମାଗଣା ଘର, ଶୌଚାଳୟ, ପାନୀୟ ଜଳ ସବୁ ଦେଇଛି ।
ମହାରାଷ୍ଟ୍ର ନିର୍ବାଚନ ପାଇଁ ବିଜେପି ସଂକଳ୍ପପତ୍ର ଜାରି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାଭିସ, କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ରାଜ୍ୟ ବିଜେପି ମୁଖ୍ୟ ଚନ୍ଦ୍ରଶେଖର ବାୱାଙ୍କୁଲେ ପ୍ରମୁଖ ଉପସ୍ଥିତ ଥିଲେ ।