ରାଜ୍ୟ

ଭୁବନେଶ୍ୱରରେ ନଭେମ୍ବର ୧୦ରୁ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀ’

ଭୁବନେଶ୍ୱରରେ ନଭେମ୍ବର ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦୁଇ ଦିନିଆ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀ’। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ। ଏଥିରେ ‘ଓଡ଼ିଶାର ଶ୍ରୀ ଅନ୍ନ ଓ କୃଷି ଐତିହ୍ୟ’ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା କରାଯିବ।

ସ୍ଥାନୀୟ ଲୋକସେବା ଭବନରେ ନଭେମ୍ବର ୧୧ ତାରିଖ ଯାଏଁ ଏହି ସମ୍ମିଳନୀ ଚାଲିବ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।

ଏହି ସମ୍ମିଳନୀରେ ଖାଦ୍ୟ ନିରାପତ୍ତା ତଥା ଅତ୍ୟାଧୁନିକ କୃଷି ପଦ୍ଧତି ଏବଂ ବିସ୍ମୃତ ଖାଦ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରୋତ୍ସାହନ ଦିଆଯିବ। କାର୍ଯ୍ୟକ୍ରମରେ ଅନେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ସଂଗଠନ, ନୀତି ନିର୍ଦ୍ଧାରକ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ, ଗବେଷଣା ପ୍ରତିଷ୍ଠାନ, ସ୍ୱାସ୍ଥ୍ୟ ଅନୁଷ୍ଠାନ ତଥା ହୋଟେଲ ଆସୋସିଏସନର ସଦସ୍ୟଙ୍କ ସମେତ ଅନ୍ୟ ବିଶେଷଜ୍ଞମାନେ ଯୋଗ ଦେବେ।

“ଆମେ ନିଜର ଦୈନନ୍ଦିନ ଜୀବନରେ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟକୁ ସାମିଲ କରି ଓଡ଼ିଶାର କୃଷି ଐତିହ୍ୟକୁ ସୁରକ୍ଷା ଦେବା ସହ ନିଜକୁ ସୁସ୍ଥ ରଖିପାରିବା। ଆମ ସମସ୍ତଙ୍କୁ ନିଜର ଖାଦ୍ୟରେ ପୁଷ୍ଟି ଶସ୍ୟକୁ ସାମିଲ କରିବାର ଆବଶ୍ୟକତା ରହିଛି। ଏହାଦ୍ଵାରା ରାଜ୍ୟର ତୃଣମୂଳ ସ୍ତରରେ ଚାଷୀମାନେ ଆର୍ଥିକ ରୂପେ ସ୍ୱାବଲମ୍ବୀ ହୋଇପାରିବେ”, କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।

ସେ ଆହୁରି ମଧ୍ୟ କହିଛନ୍ତି, “ଏହି ସମ୍ମିଳନୀରେ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ରୋଡମ୍ୟାପ୍‌ ପ୍ରସ୍ତୁତ କରିବା ନେଇ ଲକ୍ଷ୍ୟ ରଖାଯାଇଛି। ଏଥିରେ ଶ୍ରୀ ଅନ୍ନ, ବିଲୁପ୍ତପ୍ରାୟ ଶସ୍ୟ ଓ ଖାଦ୍ୟ ସହିତ ଜଡ଼ିତ କୃଷକଙ୍କ ଲାଗି ଆଧୁନିକ କୃଷି ପଦ୍ଧତି, ଜୈବବିବିଧତା ସଂରକ୍ଷଣକୁ ପ୍ରାଧାନ୍ୟ, ବ୍ୟବସାୟିକରଣ ସୁଯୋଗ ଏବଂ ନୀତିଗତ ଦୃଷ୍ଟିକୋଣ ଉପରେ ଗୁରୁତ୍ୱ ଦିଆଯିବ।”

ଏହି ସମ୍ମିଳନୀରେ ଖାଦ୍ୟ ଓ କୃଷି ସଂଗଠନ, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ, ଏସିଆ ପାସିଫିକ୍‌ ଆସୋସିଏସନ୍‌ ଅଫ୍‌ ଏଗ୍ରିକଲଚରାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁସନ, ଜାତୀୟ ଉଦ୍ଭିଦ ଆନୁବଂଶିକ ସମ୍ବଳ କେନ୍ଦ୍ର, କେନ୍ଦ୍ରୀୟ କନ୍ଦ ଫସଲ ଗବେଷଣା ପ୍ରତିଷ୍ଠାନ, ଜାତୀୟ ପୋଷଣ ସଂସ୍ଥାନ, ଏମ୍‌.ଏସ୍‌. ସ୍ୱାମୀନାଥନ୍‌ ଗବେଷଣା ପ୍ରତିଷ୍ଠାନ, ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ, ଉଦ୍ଭିଦ କିସମ ଓ କୃଷକ ଅଧିକାର ସୁରକ୍ଷା ପ୍ରାଧିକରଣ ଭଳି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସଂଗଠନରୁ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିବେ।

ସମ୍ମିଳନୀରେ ଶ୍ରୀ ଅନ୍ନ ଓ ବିଲୁପ୍ତପ୍ରାୟ ଫସଲ ଚାଷ, ଏହାର ପ୍ରକ୍ରିୟାକରଣ ଓ ପ୍ରୋତ୍ସାହନ ଆଧାରିତ ବିଭିନ୍ନ ବିଷୟବସ୍ତୁକୁ ନେଇ ୧୧ଟି ଅଧିବେଶନ ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣକାରୀମାନେ ଓଡ଼ିଶା ଭାରତର ମିଲେଟ୍‌ ହବ୍‌ରେ ପରିଣତ ହେବା, ବିଶ୍ୱରେ ବିସ୍ମୃତ ଖାଦ୍ୟ ସହ ଜଡ଼ିତ ଆହ୍ୱାନ, ଶ୍ରୀ ଅନ୍ନ ରପ୍ତାନୀ ସମ୍ଭାବନା ଓ ଶିଳ୍ପାନୁଷ୍ଠାନର ଯୋଗଦାନ ସମ୍ପର୍କରେ ଅବଗତ ହୋଇପାରିବେ।

ଏହାସହ ଶ୍ରୀ ଅନ୍ନ ଓ ବିଲୁପ୍ତପ୍ରାୟ ଫସଲ ଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ ଶ୍ରେଷ୍ଠ ପୁଷ୍ଟିଶସ୍ୟ ଚାଷୀ, ଶ୍ରେଷ୍ଠ ବିଲୁପ୍ତପ୍ରାୟ ଫସଲ ସଂରକ୍ଷକ କୃଷକ, ଶ୍ରେଷ୍ଠ କୃଷକ ଉତ୍ପାଦକ ସଂଗଠନ, ଶ୍ରେଷ୍ଠ ସହଭାଗୀ ସଂସ୍ଥା, ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ଲକ୍‌ ତଥା ଜିଲ୍ଲା ଏବଂ ଶ୍ରେଷ୍ଠ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ମାନିତ କରାଯିବ।

ସେହିପରି ସମ୍ମିଳନୀରେ ଅଂଶଗ୍ରହଣକାରୀମାନଙ୍କ ଦ୍ୱାରା ବିସ୍ମୃତ ଖାଦ୍ୟ, କଳା ଓ ରନ୍ଧନ ପ୍ରଣାଳୀ ଐତିହ୍ୟ ସମ୍ବନ୍ଧୀୟ କାହାଣୀ ପରିବେଷଣ କରାଯାଇ ବିସ୍ମୃତ ଖାଦ୍ୟ ସଂସ୍କୃତିକୁ ଗୁରୁତ୍ୱ ଦିଆଯିବ। ଏହାସହ କାର୍ଯ୍ୟକ୍ରମରେ ୯ଟି ଷ୍ଟଲରେ ବିଲୁପ୍ତପ୍ରାୟ ଖାଦ୍ୟଶସ୍ୟ, ବିଭିନ୍ନ କିସମର ପୁଷ୍ଟିଶସ୍ୟ, ଡାଲି, ବିହନ, ଶାଗ ଓ କୃଷି ଉପକରଣ ଆଦି ପ୍ରଦର୍ଶିତ ହେବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button