କିଏ ଆରମ୍ଭ କରିଥିଲେ ଜନ୍ମଦିନରେ ମହମବତୀ ଲିଭାଇବାର ଅଦ୍ଭୁତ ରୀତିନୀତି? ଜାଣନ୍ତୁ ଏହାର ଇତିହାସ
ଜନ୍ମଦିନରେ, ଆମେ ସମସ୍ତେ କେକ୍ ଉପରେ ଏକ ମହମବତୀ ଜଳାଇଥାଉ ଏବଂ ଯାହାର ଜନ୍ମଦିନ ସେ ଏହାକୁ ଫୁଙ୍କି ଲିଭାଇଥାଏ । ଏହି ଧାରା ବର୍ଷ ବର୍ଷ ଧରି ଚାଲିଆସୁଛି, କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଏହାକୁ କିଏ ଆରମ୍ଭ କରିଛି ଏବଂ ଏହାର ଇତିହାସ କ’ଣ? ତେବେ ଆସନ୍ତୁ ଜାଣିବା କିଏ ଜନ୍ମଦିନରେ ମହମବତୀ ଜଳାଇବା ଏବଂ ଏହାକୁ ଫୁଙ୍କି ଲିଭାଇବାର ପ୍ରଥା ଆରମ୍ଭ କରିଥିଲେ ।
କେକ୍ ଉପରେ ଏକ ମହମବତୀ ଜଳାଇବା ଏବଂ ପରେ ଏହାକୁ ଲିଭାଇବା ପରମ୍ପରା ପ୍ରଥମେ ପ୍ରାଚୀନ ସଭ୍ୟ ଦେଶ ଗ୍ରୀସରେ ଆରମ୍ଭ ହୋଇଥିଲା ।
ଶତାବ୍ଦୀ ପୂର୍ବରୁ, ଏହି ଦେଶର ଲୋକମାନେ ନିଜ ପୂଜାପାଠ ସ୍ଥାନ ଅର୍ଥାତ ମନ୍ଦିରକୁ ଏକ କେକ ଉପରେ ଜଳୁଥିବା ମହମବତୀ ନେଇ ଯାଉଥିଲେ । କେବଳ ସେହି ସ୍ଥାନକୁ ଯିବା ପରେ ହିଁ ଏଠାକାର ଲୋକମାନେ କେକ୍ କାଟୁଥିଲେ ଏବଂ ଏହାପରେ ସେମାନେ ଏହି ମହାମବତୀକୁ ଲିଭାଉଥିଲେ । ଏଭଳି ବି ମାନ୍ୟତା ରହିଛି ସେମାନେ ଜନ୍ମଦିନରେ ଚନ୍ଦ୍ରଙ୍କୁ ପୂଜା କରି ତାପରେ ଯାଇ କେକ୍ କାଟିଥାନ୍ତି ତେଣୁ ଚନ୍ଦ୍ରର ପ୍ରତୀକ ଭାବରେ କେକ୍ ମଧ୍ୟ ଗୋଲାକାର ଆକୃତିର ହୋଇଥାଏ ।
ଅବଶ୍ୟ ଆଜିକାଲି ଅନେକ ଆକୃତିର କେକ୍ ଆସିଲାଣି କିନ୍ତୁ ପ୍ରାୟତଃ କେକ୍ ସବୁବେଳେ ଗୋଲାକାର ଆକୃତିର ହିଁ ହୋଇଥାଏ । ଗ୍ରୀସର ଲୋକମାନେ ବିଶ୍ୱାସ କରୁଥିଲେ ଯେ ଏହି ମହମବତୀରୁ ନିର୍ଗତ ଧୂଆଁ ଭଗବାନଙ୍କ ନିକଟକୁ ଯାଏ । ଏଭଳି ପରିସ୍ଥିତିରେ ଏଠାକାର ଲୋକମାନେ ଏହି ପ୍ରଥା ଆରମ୍ଭ କରିଥିଲେ । ବହୁ ପୂର୍ବରୁ ଜର୍ମାନୀରେ ମଧ୍ୟ କେକ୍ ଉପରେ ମହମବତୀ ଏକ ଲୋକପ୍ରିୟ ପରମ୍ପରା ପାଲଟିଯାଇଥିଲା । ଧାର୍ମିକ କାରଣରୁ, ଜର୍ମାନମାନେ “ଜୀବନର ଆଲୋକ” ର ପ୍ରତୀକ ପାଇଁ ଏକ କେକ୍ ମଝିରେ ଏକ ବଡ଼ ମହମବତୀ ଲଗାଇଥାନ୍ତି ।
କୁହାଯାଏ ଯେ କେକ୍ ଉପରେ ରଖାଯାଇଥିବା ପ୍ରଥମ ମହମବତୀ ୧୭୪୬ ମସିହାରେ ଗ୍ରୀସରେ ହୋଇଥିଲା । ବାସ୍ତବରେ, ଏହି ଦିନଟି ଜଣେ ମହାନ ସୋସିଆଲ ୱାର୍କରଙ୍କର ଜନ୍ମଦିନ ଥିଲା । ଏହି ଦିନଠାରୁ କେକ୍ କାଟିବା ପୂର୍ବରୁ ମହମବତୀ ଲିଭାଇବା ଏଠାରେ ଆରମ୍ଭ ହୋଇଥିଲା । କିନ୍ତୁ ଭାରତରେ ମହାମବତୀକୁ ଲିଭାଇବା ଅଶୁଭ ବୋଲି ବିବେଚନା କରାଯାଏ, ତଥାପି ଆଜିକାଲି ପାଶ୍ଚାତ୍ୟ ସଂସ୍କୃତିକୁ ଅନୁସରଣ କରି ଲୋକମାନେ ସେହିଭଳି ପରମ୍ପରା ଅନୁଯାୟୀ ଏଠାରେ ଜନ୍ମଦିନ ପାଳନ କରିବା ଆରମ୍ଭ କରିଲେଣି ।