ରାଜ୍ୟ

କେନ୍ଦୁଝର ପୁଲିସ ପକ୍ଷରୁ ୬୫ତମ ସହିଦ ଦିବସ

କେନ୍ଦୁଝରଗଡ଼: ସ୍ଥାନୀୟ ରିଜର୍ଭ ପୁଲିସ ପଡ଼ିଆଠାରେ ଜିଲା ଆରକ୍ଷୀ ପ୍ରଶାସନ ପକ୍ଷରୁ ସୋମବାର ୬୫ତମ ପୁଲିସ ସହିଦ ଦିବସ ପାଳିତ ହୋଇଯାଇଛି। ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ମୁଖ୍ୟଅତିଥି ଭାବେ ଯୋଗଦେଇ ଅଭିବାଦନ ଗ୍ରହଣ କରିବା ସହ ଦେଶମାତୃକା ପ୍ରତି ତ୍ୟାଗ ଓ ବଳିଦାନ କରିଥିବା ସହିଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଦେଶରେ ଆତଙ୍କବାଦ, ନକ୍ସଲବାଦ ଓ ଦେଶଦ୍ରୋହ ପରି ଗୁରୁତର ସମସ୍ୟାର ଉଚିତ ମୁକାବିଲା କରିବାକୁ ଯବାନମାନେ କିପରି ଦାୟିତ୍ୱବୋଧ ଭାବେ ନିଜ ଗୁରୁଦାୟିତ୍ୱକୁ ସମ୍ପାଦନ କରି ଆସୁଥିବା ନେଇ ଆରକ୍ଷୀ ଅଧିକ୍ଷକ କୁଶଲକର ଭୂୟସୀ ପ୍ରଶଂସା କରିଥିଲେ। ଯେଉଁ ପୁଲିସ କର୍ମଚାରୀମାନେ ଦେଶମାତୃକା ପାଇଁ ପ୍ରାଣ ଦେଇଛନ୍ତି ତାଙ୍କର ନିଷ୍ଠା, ତ୍ୟାଗ ଓ ବଳିଦାନ ଅନ୍ୟ କର୍ମଚାରୀଙ୍କ ପ୍ରତି ସର୍ବଦା ଦିଗ୍‌ଦର୍ଶନ ଭାବେ ପ୍ରେରଣା ଯୋଗାଇବ ବୋଲି ଆରକ୍ଷୀ ଅଧୀକ୍ଷକ ଶ୍ରୀ କୁଶଲକର କହିଥିଲେ। ପୁଲିସ କର୍ମଚାରୀମାନେ ସମାଜ ବିରୋଧି, ଆତଙ୍କବାଦୀ ଓ ଦୁର୍ଦ୍ଦାନ୍ତ ଅପରାଧିଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କ ପ୍ରତି ଉଲ୍ଲେଖନୀୟ ସେବା ଯୋଗାଇ ଆସୁଥିବାରୁ ଭାରତୀୟ ଆରକ୍ଷୀ ବାହିନୀ ମଧ୍ୟରେ ଓଡ଼ିଶା ଆରକ୍ଷୀର ଗୌରବ ଯଥେଷ୍ଟ ଊର୍ଦ୍ଧ୍ବରେ ରହିଛି ବୋଲି ସେ କହିଥିଲେ।

୧ ସେପ୍ଟେମ୍ବର ୨୦୨୩ରୁ ୩୧ଅଗଷ୍ଟ ୨୦୨୪ ମଧ୍ୟରେ ସମଗ୍ର ଦେଶରେ ୨୧୬ଜଣ କର୍ତ୍ତବ୍ୟରତ ପୁଲିସ କର୍ମଚାରୀ ଦେଶମାତୃକା ପାଇଁ ପ୍ରାଣବଳି ଦେଇ ସହିଦ ହୋଇଥିବା ବେଳେ ଓଡ଼ିଶାରୁ ସହିଦ ହାବିଲଦାର ପ୍ରଦୀପ କୁମାର ମଲ୍ଲିକ ଓ କନେଷ୍ଟେବଳ ହିମାଂଶୁ ଶେଖର ରଥଙ୍କ ନାମ ଏସ୍‌.ପି. ଶ୍ରୀ କୁଶଲକର ପଢ଼ି ଶୁଣାଇଥିଲେ। ଏଥିସହ ସହିଦମାନେ ପଢ଼଼ୁଥିବା ବିଦ୍ୟାଳୟମାନଙ୍କରେ ଜିଲାର ବିଭିନ୍ନ ଥାନା ପକ୍ଷରୁ ସେମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୧୪ ଏନ୍‌ସିସି ବାଟାଲିୟନ କମାଣ୍ଡିଙ୍ଗ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ ମୟୁର ଘାର୍ଗେ, ଡିଏସପି (ଡିଆଇବି) ଜ୍ୟୋର୍ତିମୟ ଭୁକ୍ତା, ଡିଏସ୍‌ପି ପ୍ରଭା ଧାନ, ମମତା ନାୟକ. ଗୁରୁବାରୀ ହେମ୍ବ୍ରମ୍‌ ଓ ଜିତେନ୍ଦ୍ର କୁମାର ଦଳେଇ, ଆରକ୍ଷୀ ନିରୀକ୍ଷକ ମାନସ କୁମାର ବେହେରା, ସଦର ଏସ୍‌ଡିପିଓ ମହେନ୍ଦ୍ରନାଥ ମୁର୍ମୁ, ଟାଉନ ଥାନା ଅଧିକାରୀ ବିଭତ୍ସ ପ୍ରଧାନଙ୍କ ସମେତ ଜିଲା ମୁଖ୍ୟାଳୟରେ କାର୍ଯ୍ୟରତ ବହୁ ବରିଷ୍ଠ ପୁଲିସ ପଦାଧିକାରୀ ରିଜର୍ଭ ପୁଲିସ ପଡ଼ିଆସ୍ଥିତ ସହିଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button