ରାଜ୍ୟ

ନାମ ପରିବର୍ତ୍ତନ ବିତର୍କ ତୁରନ୍ତ ବନ୍ଦ ହେଉ

ଭୁବନେଶ୍ବର: ୧୦୦ ବର୍ଷ ପରେ ‘ରେଭେନ୍ସା’ ଆଉ କୌଣସି ବ୍ୟକ୍ତି ବିଶେଷଙ୍କ ନାଁ ହୋଇ ରହିନାହିଁ। ଏହା ଏକ ଐତିହ୍ୟ ପାଲଟି ଯାଇଛି। ଏହାର ନାମ ପରିବର୍ତ୍ତନ ଅର୍ଥ ହେଉଛି ନିଜ ପରିଚୟକୁ ମାଟିରେ ମିଶାଇ ଦେବା। ତେଣୁ ଆଉ ଅଧିକ ବିତର୍କ ନକରି ନାମ ପରିବର୍ତ୍ତନ ବିତର୍କକୁ ତୁରନ୍ତ ବନ୍ଦ କରାଯାଉ। ତା’ବଦଳରେ ଓଡ଼ିଶାରେ ଶିକ୍ଷାର ଗୁଣାତ୍ମକ ବିକାଶ ପ୍ରସଙ୍ଗରେ ଆଲୋଚନା ହେଉ ବୋଲି ‘ରେଭେନ୍ସା ହେରିଟେଜ୍ ଫୋରମ୍’ ପକ୍ଷରୁ କୁହାଯାଇଛି।

ଆଜି ରେଭେନ୍ସା ହେରିଟେଜ ଫୋରମର ବୈଠକ ଓ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା। ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ଅନାବଶ୍ୟକ ଏବଂ ଏହାକୁ ନେଇ ବିତର୍କ ବିଭ୍ରାନ୍ତିକର ବୋଲି ଉକ୍ତ ବୈଠକରେ ମତ ପ୍ରକାଶ ପାଇଥିଲା। ଅନୁଷ୍ଠାନର ନାଁ ବା ରଙ୍ଗ ପରିବର୍ତ୍ତନ ବଦଳରେ ଓଡ଼ିଶାରେ ପ୍ରାଥମିକଠୁ ଆରମ୍ଭ କରି ଉଚ୍ଚ ଶିକ୍ଷାକ୍ଷେତ୍ରରେ ଯେଉଁସବୁ ମୌଳିକ ସମସ୍ୟା ରହିଛି, ତା’ର ସମାଧାନ ପାଇଁ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ବୈଠକରେ ଆହ୍ୱାନ ଦିଆଯାଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ କରିବାଲାଗି କେନ୍ଦ୍ରମନ୍ତ୍ରୀ ଅର୍ଥ ବ୍ୟବସ୍ଥା କରନ୍ତୁ ବୋଲି ଅନୁରୋଧ ମଧ୍ୟ କରାଯାଇଛି। ନାମ ପରିବର୍ତ୍ତନ ବିତର୍କର ଅବସାନ ଘଟାଇବା ସହିତ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବିକାଶ ପ୍ରସଙ୍ଗରେ ଫୋରମ ପକ୍ଷରୁ ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ପାଇଁ ମଧ୍ୟ ଏକ ପ୍ରସ୍ତାବ ପାରିତ ହୋଇଛି। ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଅମୀୟ ଭୂଷଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବତନ ପ୍ରଶାସକ ଅରବିନ୍ଦ ବେହେରା ଏ ସଂକ୍ରାନ୍ତରେ ଏକ ଲିଖିତ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ତାହା ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା।

ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ବିକାଶ ପ୍ରସଙ୍ଗରେ ଆଲୋଚନା ହେଉ
ରେଭେନ୍ସା ହେରିଟେଜ୍ ଫୋରମ୍ର ବୈଠକ ଓ ସାମ୍ବାଦିକ ସମ୍ମିଳନୀ

ସୁଦର୍ଶନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ସୈାମ୍ୟରଂଜନ ପଟ୍ଟନାୟକ, ସଂଜୀବ ହୋତା, ସତ୍ୟକାମ ମିଶ୍ର, ବଦ୍ରି ନାରାୟଣ ମହାନ୍ତି, ମନୋଜ ସାହୁ, ସଂଜୀବ ପତ୍ରୀ, ଗଣେଶ ତ୍ରିପାଠୀ, ଆଲୋକ ବଳ, ସନ୍ତୋଷ ସେଠୀ, ସିଦ୍ଧାର୍ଥ ରଥ, ଜୀନେଶ ଦାସ, ମନୋଜ ପ୍ରଧାନ, ଶିଶିର ପରିଜା, ଅବିନାଶ ମହାନ୍ତି, ନନ୍ଦଲାଲ ସିଂ, ଆଲୋକ ପ୍ରସାଦ ନନ୍ଦ, ବିଶ୍ୱରାଜ ନାୟକ, ନିଶିତ୍ କରଣ, ତପନ ମିଶ୍ର, ଶ୍ରୀଧର ରଥ, ସୁଧାଂଶୁ ମହାନ୍ତି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ।

ବୈଠକ ଶେଷରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଅମୀୟ ଭୂଷଣ ତ୍ରିପାଠୀ କହିଲେ, ଓଡ଼ିଶା ଓ ଓଡ଼ିଶା ବାହାରେ ଥିବା ୧୦୦ରୁ ଊର୍ଧ୍ବ ବିଶିଷ୍ଟ ବ୍ୟକ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନକୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଗୋପାଳ ବଲ୍ଲଭ ପଟ୍ଟନାୟକ, ଦେବୀ ପ୍ରସନ୍ନ ପଟ୍ଟନାୟକ, ପ୍ରିୟମ୍ବଦା ମହାନ୍ତି ହେଜମାଦୀ, ଅମର ମିଶ୍ର, ନିହାର ହୋତା, ନୀଳ ମାଧବ ମହାନ୍ତି, ପ୍ରଭାତ ମିଶ୍ର, କୁଳମଣି ଦେଓ, ସଂଜୀବ ହୋତା, ଧୀରେନ କୁମାର ରାୟ, ଅଶୋକ ମହାନ୍ତି, ଯତୀଶ ମହାନ୍ତି ଓ ଆର୍ପି ମହାନ୍ତି ପ୍ରମୁଖ। ସଂଜୀବ ହୋତା କହିଥିଲେ, ରେଭେନ୍ସା ଆଉ ଏକ ବ୍ୟକ୍ତି ହୋଇ ରହିନାହିଁ, ଏହା ଏକ ଐତିହ୍ୟ ପାଲଟି ଯାଇଛି। ଏହାର ନାମ ପରିବର୍ତ୍ତନର ଅର୍ଥ ହେଉଛି ନିଜର ପରିଚୟକୁ ମାଟିରେ ମିଶାଇ ଦେବା। ସେହିପରି ସୈାମ୍ୟ ରଂଜନ ପଟ୍ଟନାୟକ କହିଥିଲେ, ରେଭେନ୍ସା ନାମ ପରିବର୍ତ୍ତନ ପ୍ରସ୍ତାବର ବିରୋଧୀଙ୍କ ସଂଖ୍ୟା ସପକ୍ଷବାଦୀଙ୍କ ସଂଖ୍ୟାଠାରୁ ବହୁତ ଅଧିକ। ତେଣୁ ଆଉ ଅଧିକ ବିତର୍କ ନକରି ନାମ ପରିବର୍ତ୍ତନ ବିତର୍କକୁ ଏଇଠି ବନ୍ଦ କରାଯାଉ। ନ’ଅଙ୍କ ଦୁର୍ଭିକ୍ଷ ସମୟର ଇତିହାସକୁ କିଛି ନେତାଙ୍କର ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ କଦର୍ଥ କରା ନଯାଉ। ଶେଷରେ ବଦ୍ରି ନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button