ରାଜ୍ୟ

ମହାପ୍ରଭୁଙ୍କ ଲଘୁ ଖଣିଜ ସମ୍ପତ୍ତି ଲୁଟ୍‌ ମାମଲା: ଖିଲାପିଙ୍କ ସମ୍ପତ୍ତିରୁ ଆଦାୟ ହେବ ଅର୍ଥ

ଖୋର୍ଦ୍ଧା: ମହାପ୍ରଭୁଙ୍କ ଲଘୁ ଖଣିଜ ସମ୍ପତ୍ତି ଲୁଟ୍ କରିଥିବା ଲିଜ୍ଧାରୀଙ୍କୁ ଛଡ଼ାଯିବ ନାହିଁ। ଗୋଟିଏ ପଟେ ସେମାନଙ୍କ ନାଁରେ ଜିଲ୍ଲା ପ୍ରଶାସନ ଚୋରି ମାମଲା ରୁଜୁ କରିଥିବା ବେଳେ ଅନ୍ୟପଟେ ଆଇନ ଫାନ୍ଦରେ ଖିଲାପିଙ୍କଠାରୁ ଟଙ୍କା ଆଦାୟ ପାଇଁ ଜିଲ୍ଲା ପ୍ରଶାସନ ଯୋଜନା କରୁଛି। ଓପିଡିଆର୍ (ଓଡ଼ିଶା ପବ୍ଲିକ୍ ଡିମାଣ୍ଡ ରିକଭରି ରୁଲ୍-୧୯୬୩) ବଳରେ ୫ ଜଣ ଖିଲାପିଙ୍କଠାରୁ ସମ୍ପତ୍ତି ଆଦାୟ କରାଯିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା ପ୍ରକାଶ କରିଛନ୍ତି।

ଓପିଡିଆର୍ ନିୟମ ଅନୁସାରେ, ସରକାରୀ ଟଙ୍କା ହଜମ କରିଥିବା ଲୋକଙ୍କ ସମ୍ପତ୍ତିରୁ ହିଁ ଟଙ୍କା ଆଦାୟ କରି ରାଜକୋଷରୁ ହୋଇଥିବା କ୍ଷତି ଭରଣା କରାଯାଏ। ଏହି ନିୟମ ବଳରେ ଅତୀତରେ ଖୋର୍ଦ୍ଧା ଖଣି ଉପନିର୍ଦ୍ଦେଶାଳୟ ୯ଜଣ ଖିଲାପିଙ୍କ ବିରୋଧରେ ମାମଲା ରୁଜୁ କରିଛି। ଯେଉଁମାନେ ସରକାରଙ୍କଠାରୁ ଖଣି ଲିଜ୍ ନେଇ ଟଙ୍କା ଭରଣା କଲେ ନାହିଁ, ତିନିବର୍ଷ କାଳ ସେମାନଙ୍କୁ ନୋଟିସ୍ କରାଯିବା ସତ୍ତ୍ବେ କର୍ଣ୍ଣପାତ କଲେ ନାହିଁ। ତେଣୁ ଖଣି ଉପନିର୍ଦ୍ଦେଶାଳୟ କିଛି ଦିନ ତଳେ ଉପଜିଲ୍ଲାପାଳଙ୍କୁ ଚିଠି କରି ଏ ନିୟମ ବଳରେ ମାମଲା ରୁଜୁ କରିଥିଲା। ଅନୁରୂପ ନିୟମ ମହାପ୍ରଭୁଙ୍କ ଖଣି ଖିଲାପିଙ୍କ କ୍ଷେତ୍ରରେ ଲାଗୁ କରାଯିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ରାଣା ଗଣମାଧ୍ୟମକୁ କହିଛନ୍ତି।

ତଥ୍ୟ ମୁତାବକ, ମହାପ୍ରଭୁଙ୍କ ସ୍ବତ୍ବରେ ଥିବା ଖଣିଖାଦାନରୁ ଅଧିକ ଖନନ ବାବଦରେ ମୋଟ୍ ୧୯ଜଣ ଲିଜ୍ଧାରୀଙ୍କୁ ୨୨.୬୫ କୋଟିର ତଣ୍ଡ ଗଣିବାକୁ ନୋଟିସ୍ କରାଯାଇଥିଲା। ସେଥିରୁ କିଛି ଲିଜ୍ଧାରୀ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ତଣ୍ଡ ପୈଠ କରିଥିଲେ। କିନ୍ତୁ ଅଧିକ ଜରିମାନା ଥିବା ପାଞ୍ଚ ଜଣ ଲିଜ୍ଧାରୀ ଶ୍ରୀମନ୍ଦିର ପ୍ରଶାସନର ନୋଟିସ୍କୁ ବେଖାତିର୍ କଲେ। ୧୯ ଜଣଙ୍କଠାରେ ଯେଉଁ ୨୨.୬୫ କୋଟିର ଜରିମାନା ଲାଗୁ କରାଯାଇଥିଲା, ସେଥିରୁ ପାଞ୍ଚ ଜଣଙ୍କ ନାଁରେ ଥିଲା ସିଂହଭାଗ। ପାଞ୍ଚ ଜଣ ଖିଲପି ପ୍ରାୟ ୧୨ କୋଟି ଟଙ୍କା ଭରଣା କରିବାର ଥିଲା। କିନ୍ତୁ ଭରଣା କରିବା ପରିବର୍ତ୍ତେ କର୍ଣ୍ଣପାତ ନ କରିବାରୁ ସେମାନଙ୍କ ନାଁରେ ଆପରାଧିକ ମାମଲା ରୁଜୁ ହୋଇଛି। ତା’ ସହିତ ସେମାନଙ୍କର ବ୍ୟାଙ୍କ୍ ଏକାଉଣ୍ଟ୍ ବି ସିଲ୍ କରାଯାଇଛି। ଏବେ ଓପିଡିଆର୍ ଆକ୍ଟ ଜରିଆରେ ଖିଲାପିଙ୍କ ସମ୍ପତ୍ତିରୁ ମହାପ୍ରଭୁଙ୍କ ରାଜକୋଷ ଭରଣା ପାଇଁ ଜିଲ୍ଲା ପ୍ରଶାସନ ଯୋଜନା କରୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button