ଦେଶ- ବିଦେଶ

ସ୍ମାର୍ଟଟିଭି କିଣିବାର ଥିଲେ..

ତ୍ୟାଧୁନିକ ସ୍ମାର୍ଟ ଟିଭିଟିଏ ନେବା ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ବିଷୟ ପ୍ରତି ଧ୍ୟାନ ଦେବା ଜରୁରି। ଟିଭିଟି ସାଧାରଣତଃ ଭିନ୍ନ ଭିନ୍ନ ମାନସିକତାର ସଦସ୍ୟଙ୍କ ସାର୍ବଜନୀନ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଥିବାରୁ ସେଥିରେ ଓଟିଟି ମଞ୍ଚରେ ନୂଆ ସିନେମା ଦେଖିବା ଠାରୁ ଆରମ୍ଭ କରି ଭିଡିଓ ଗେମ୍ ଖେଳିବା, ତାଜା ଖବର ଦେଖିବା ଅଥବା କ୍ରୀଡ଼ା ଉପଭୋଗ କରିବା ଆଦି ଯାବତୀୟ କାର୍ଯ୍ୟ ସାଧିତ ହେଉଥିବା ଗୁରୁତ୍ବପୂର୍ଣ୍ଣ।

ତେଣୁ ସ୍ମାର୍ଟ ଟିଭି କିଣିବା ବେଳେ କେତେକ ବୈଶିଷ୍ଟ୍ୟ ବିଚାରକୁ ନେବା ଉଚିତ।

ଅଧିକାଂଶ ସ୍ମାର୍ଟଟିଭିରେ ପ୍ରାୟ ଗୁଗଲ୍ଟିଭି, ଫାୟାର ଓଏସ୍, ଟିଜେନ୍ ଓଏସ୍, ୱେବ୍ଓଏସ୍ ବା ଆପଲ୍ଟିଭି ଓଏସ୍ ପରି ଅପରେଟିଂ ସିଷ୍ଟମ୍ ରହିଥାଏ। ତେବେ ପାରିପାର୍ଶ୍ବିକ ସଂଯୋଗ ସୁବିଧା ଅନୁଯାୟୀ ପ୍ରଥମେ ଅପରେଟିଂ ପ୍ରଣାଳୀକୁ ବାଛିବା ଉଚିତ। ଉଦାହରଣ ସ୍ବରୂପ, ଆଇଫୋନ୍ ବ୍ୟବହାରକାରୀମାନେ ଆପଲ୍ଟିଭି ଓଏସ୍ ଏବଂ ଆଣ୍ଡ୍ରଏଡ୍ ବ୍ୟବହାରକାରୀମାନେ ଗୁଗଲ୍ଟିଭି ଓଏସ୍ ଥିବା ସ୍ମାର୍ଟଟିଭି ନେବା ଭଲ। ସେହିପରି ସ୍ମାର୍ଟଟିଭିର ରିଜଲ୍ୟୁସନ୍ ଅତି କମ୍ରେ ଏଚ୍ଡି ରେଡି ବା ୭୨୦ପି ବିଶିଷ୍ଟ ହୋଇଥିବା ଗୁରୁତ୍ବପୂର୍ଣ୍ଣ। ତେବେ ୮କେ ପର୍ଯ୍ୟନ୍ତ ରିଜୋଲ୍ୟୁସନ୍ର ଟିଭି ଏବେ ମିଳୁଛି, ଯାହାର ଦାମ୍ ଅବଶ୍ୟ ଅଧିକ। ସେହିପରି ଟିଭି ପରଦାର ପ୍ରକାର ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଅଧିକାଂଶ ସ୍ମାର୍ଟଟିଭିରେ ଏଲ୍ଇଡି ପରଦା ରହୁଥିବା ବେଳେ ଟିକେ ମଧ୍ୟମ ମୂଲ୍ୟର ଟିଭିରେ କ୍ୟୁଏଲ୍ଇଡି ପରଦା ଲାଗିଥାଏ। ତେବେ ସବୁଠୁ ବ୍ୟୟବହୁଳ ଟିଭିରେ ଓଏଲ୍ଇଡି ଜ୍ଞାନକୌଶଳ ମିଳିପାରିବ। ଯଦି ଟିଭିରେ ଏଚ୍ଡିଆର୍ ବିଷୟବସ୍ତୁ ଦେଖିବାକୁ ଚାହୁଥା’ନ୍ତି, ତେବେ ଟିଭିକୁ ଏଚ୍ଡିଆର୍ ୧୦, ଏଚ୍ଡିଆର୍ ୧୦ପ୍ଳସ୍, ଡଲ୍ବି ଭିଜନ୍ ଓ ଡଲବି ଭିଜନ୍ ଆଇକ୍ୟୁ ପରି ପ୍ରମାଣପତ୍ର ମିଳିଛି କି ନାହିଁ ତାହା ଲକ୍ଷ୍ୟ କରିବାକୁ ପଡ଼ିବ।

ଖେଳପ୍ରେମୀ ହୁଅନ୍ତୁ ବା ସିନେମାପ୍ରେମୀ, ଅଧିକାଂଶ ବ୍ୟବହାରକାରୀଙ୍କ ପାଇଁ ୪କେ ରିଜୋଲ୍ୟୁସନ୍ ଉପଯୁକ୍ତ ହୋଇଥିବାରୁ ସେଥିପାଇଁ ଟିଭି ପରଦାର ଆକାର ୪୩ ଇଞ୍ଚରୁ ୬୫ ଇଞ୍ଚ ରହିବା ଦରକାର। ସେହିପରି ଅଧିକାଂଶ ଟିଭିର ରିଫ୍ରେସ୍ ହାର ୬୦ ହର୍ଜ ରହିଥିବା ବେଳେ ଗେମର୍ମାନେ ୧୨୦ ହର୍ଜ ବିଶିଷ୍ଟ ଟିଭି ନେବା ଉଚିତ। ସର୍ବୋପରି ଗୋଟିଏ ଟିଭିର ଦୁଇଟି ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ତାହାର ଛବି ଓ ଶବ୍ଦର ମାନ। ସ୍ମାର୍ଟ ଟିଭିମାନଙ୍କରେ ଏ ଦୁଇଟି ବିଷୟକୁ ଯଥେଷ୍ଟ ଧ୍ୟାନ ଦିଆଯାଇଥାଏ, ତେବେ ଆବଶ୍ୟକ ହେଲେ ବାହ୍ୟ ସଂଯୋଗଶୀଳ ସ୍ପିକର ମଧ୍ୟ ଖଞ୍ଜାଯାଇପାରିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button