ଭୁବନେଶ୍ୱର ମେଟ୍ରୋ ରେଳ ପାଇଁ ଖମ୍ବ କାର୍ଯ୍ୟ ଆରମ୍ଭ କଲା ବିଏମଆରସିଏଲ
ବାରଙ୍ଗ,୧୫/୧୦: ବିଜୟା ଦଶମୀଠାରୁ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ପିଲର କାର୍ଯ୍ୟ ଆରମ୍ଭ ହୋଇଛି । ବାରଙ୍ଗ ବ୍ଲକ ଛକ ୟୁକୋ ବ୍ୟାଙ୍କ ସମ୍ମୁଖରୁ କମ୍ପାନୀ କାର୍ଯ୍ୟ ଆରମ୍ଭ କରିଛି । ମୁଖ୍ୟ ରାସ୍ତାର ଦୁଇ କଡ଼ରେ ମାଟି ପରୀକ୍ଷା କରାଯାଇଥିବା ବେଳେ ଏବେ ରାସ୍ତାର ମଧ୍ୟ ଭାଗରେ ପିଲର କାର୍ଯ୍ୟ ଆରମ୍ଭ ହୋଇଛି । ପିଲର କାର୍ଯ୍ୟ ଆରମ୍ଭ ହୋଇଥିବା ସ୍ଥାନର ଚାରିକଡ଼ ବ୍ୟାରିକେଡ କରାଯାଇଛି ।
ବିଏମଆରସିଏଲ କମ୍ପାନୀ ଏହି ରେଳ ପିଲର କାର୍ଯ୍ୟ ଆରମ୍ଭ କରିଛି ।
ଗତ ଅଗଷ୍ଟ ୨୪ତାରିଖରେ କମ୍ପାନୀ ବାରଙ୍ଗ ଆନନ୍ଦ ବଜାରରେ ଭୂମିପୂଜନ ହୋଇଥିଲା । ସେପ୍ଟେମ୍ବର ମାସରେ ପିଲର ନିର୍ମାଣ ପାଇଁ ପ୍ରତି ୧୦୦ ମିଟର ଅନ୍ତରରେ ରାସ୍ତାର ଦୁଇକଡ଼ରେ ମାଟି ପରୀକ୍ଷା ହୋଇଥିଲା । ମାଟି ପରୀକ୍ଷା ଏବେବି ଚାଲୁ ରହିଥିବା ବେଳେ କମ୍ପାନୀ ରବିବାର ଠାରୁ ପିଲର କାର୍ଯ୍ୟ ବାରଙ୍ଗରୁ ଆରମ୍ଭ କରିଛି । ଏହି କମ୍ପାନୀ ଭୁବନେଶ୍ୱର କିଟ୍ ଛକରୁ ତ୍ରିଶୂଳିଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରେଳ ଲାଇନ ନିର୍ମାଣ କରିବ ।
ସୂଚନା ଯୋଗ୍ୟ, ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନ ବନ୍ଦର ଠାରୁ କଟକ ଭାୟା ବାରଙ୍ଗ ରାସ୍ତାରେ ମେଟ୍ରୋ ଟ୍ରେନ ଚଳାଚଳ କରିବ । ଟ୍ରେନ ଚଳା ଚଳ ହେମ୍କେଟକ- ଭୁବନେଶ୍ୱର ମଧ୍ୟରେ ଦ୍ୱରତ୍ୱ କମ୍ ହେବା ସହିତ ଓ ଭିଡ଼କୁ ନିୟନ୍ତ୍ରଣ କରାଯାଇ ପାରିବ । ବିଶେଷ କରି ଅନ୍ୟ ଜିଲ୍ଲାରୁ ଆସୁଥିବା ଲୋକ ମାନେ ଭୁବନେଶ୍ୱର ବିମାନ ବନ୍ଦରରୁ କଟକ ହାଇକୋର୍ଟକୁ ଯାତାୟାତ ସହଜ ହୋଇପାରିବ । ବିମାନବନ୍ଦର ଠାରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ୨୬ କିଲୋମିଟର ରାସ୍ତାରେ ୨୦ ଟି ଷ୍ଟେସନ ନିର୍ମାଣ କରାଯିବ । ଏଥିପାଇଁ ବାରଙ୍ଗ ଥାନା ଅନ୍ତର୍ଗତ ରତାଗଡ଼-ନୂଆସାହି ଠାରେ ୨୦୨୪ ଜାନୁଆରୀ ପହିଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।