ରାଜ୍ୟ

ଖଣ୍ଡଗିରି ଗୁମ୍ଫାରୁ ଜବରଦଖଲ ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଟକ: ଖଣ୍ଡଗିରି ଗୁମ୍ଫାର ବିଭିନ୍ନ ସ୍ଥାନରୁ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଏଏସ୍ଆଇ (ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା) ଓ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ଖୋର୍ଦ୍ଧା ଜିଲ୍ଲାପାଳ, ଭୁବନେଶ୍ବର ଡିସିପି ଓ ଏଏସ୍ଆଇ ସୁପରିନ୍ଟେଣ୍ଡିଂ ଆର୍କିଓଲୋଜିଷ୍ଟ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ।

ଖଣ୍ଡଗିରି ଗୁମ୍ଫାରେ ରହିଥିବା ଜବରଦଖଲ ଉଚ୍ଛେଦ ପାଇଁ ଜଣେ ବ୍ୟକ୍ତିଙ୍କୁ ଏଏସ୍ଆଇ ୨୦୦୨-୦୩ରେ ନୋଟିସ୍ ଜାରି କରିଥିଲା। ସଂପୃକ୍ତ ବ୍ୟକ୍ତିଙ୍କର ଇତିମଧ୍ୟରେ ମୃତ୍ୟୁ ହୋଇ ସାରିଛି। ଏହି ନୋଟିସ୍ ପରେ ଖଣ୍ଡଗିରି ଗୁମ୍ଫାରୁ ଜବରଦଖଲ ଉଚ୍ଛେଦ ପାଇଁ ଆଉ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। କେତେକ ଗୁମ୍ଫା ବାହାରେ ବେଆଇନ ନିର୍ମାଣ ହୋଇଛି।

ଜିଲ୍ଲାପାଳ, ଡିସିପି ଓ ଏଏସ୍ଆଇ ସୁପରିନ୍ଟେଣ୍ଡିଂ ଆର୍କିଓଲୋଜିଷ୍ଟ ହାଜର
ଚିହ୍ନଟ ପରେ ଜବରଦଖଲକାରୀଙ୍କୁ ଜାରି ହେବ ନୋଟିସ୍

ଏଭଳି ସ୍ଥିତିରେ ଜବରଦଖଲ ଉଚ୍ଛେଦ ପାଇଁ ସାନି ନୋଟିସ୍ ଜାରି କରାଯିବ ବୋଲି ଏଏସ୍ଆଇ ତରଫରୁ ଦର୍ଶାଯାଇଥିଲା। ଜବରଦଖଲ କରିଥିବା ବ୍ୟକ୍ତିବିଶେଷଙ୍କୁ ଜିଲ୍ଲାପାଳ ଚିହ୍ନଟ କରିବା ସହିତ ସେମାନଙ୍କ ବିବରଣୀ ୨ ସପ୍ତାହ ଭିତରେ ସଂଗ୍ରହ କରିବେ। ଏହି ତଥ୍ୟ ଏଏସ୍ଆଇକୁ ପ୍ରଦାନ କରାଯିବ। ଏହାପରେ ଜବରଦଖଲକାରୀଙ୍କୁ ଏଏସ୍ଆଇ ନୋଟିସ୍ ଜାରି କରିବ। ଯଦି ନୋଟିସ୍ ପାଇବା ପରେ ଜବରଦଖଲ ନ ହଟେ ତେବେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ପଦକ୍ଷେପ ଗ୍ରହଣ କରିବେ ବୋଲି ହାଇକୋର୍ଟ କହିଛନ୍ତି। ନଭେମ୍ବର ୧୨କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ହାଇକୋର୍ଟ ଶ୍ରୀ ଖଣ୍ଡଗିରି ଉଦୟଗିରି ଦିଗମ୍ବର ଜୈନ ସିଦ୍ଧକ୍ଷେତ୍ର ପକ୍ଷରୁ ଦାୟର ଦୁଇ ମାମଲାର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button