ରାଜ୍ୟ

ପୁଣି ବିଚ୍ ସାକ୍ସ ପୁଣି ବିବାଦ !

ଭୁବନେଶ୍ବର: ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ଲାଗୁ ହେବ ନୂଆ ଅବକାରୀ ନୀତି। ଗଞ୍ଜାମ ମଦମୃତ୍ୟୁ ମାମଲାରେ ବ୍ୟାକଫୁଟକୁ ଯାଇଥିବା ବିଜେପି ସରକାର ନୂଆ ଅବକାରୀ ନୀତି ଲାଗୁ କରି ନିଜ ଇମେଜ୍ ସଫା କରିବାକୁ ଉଦ୍ୟମ କରିଛନ୍ତି । ନୂଆ ନୀତି ଅନୁସାରେ ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବନି । ଥ୍ରୀ-ଷ୍ଟାର ହୋଟେଲ୍ ବା ତାଠାରୁ ଅଧିକ କ୍ୟାଟେଗୋରୀକୁ ହିଁ ନୂଆ ବାର ଲାଇସେନ୍ସ ମିଳିବ ।

ଡାନ୍ସ ବାର ଚାଲିବନି, ତେବେ ଅନୁମତି ନେଇ ବାର ଗୁଡିକ ସଂଗୀତ ପରିବେଷଣ ବା ଅର୍କେଷ୍ଟ୍ରା କରିପାରିବେ । ସବୁଠୁ ବଡ କଥା ହେଉଛି ପୂର୍ବ ସରକାର ବେଳେ ଆସିଥିବା ବିଚ ସାକ୍ସ ବା ସମୁଦ୍ର ବେଳାଭୂମିରେ ମଦ ବାର ଓ ରେଷ୍ଟୁରାଣ୍ଟ ନିର୍ମାଣକୁ ନୂଆ ନୀତିରେ ଲାଗୁ କରାଯାଇଛି ।

ବେଳାଭୂମିରେ ବିଚ୍ ସାକ୍ସ

ଗୋଆ ଓ ଥାଇଲ୍ୟାଣ୍ଡ ଢାଞ୍ଚାରେ ଓଡିଶା ସମୁଦ୍ର ବେଳାଭୂମିରେ ବିଚ୍ ସାକ୍ସ ଖୋଲିବାକୁ ନୂଆ ଅବକାରୀ ନୀତିରେ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ବିଚ୍ ସାକ୍ସରେ ଓଟିଡିସି ପକ୍ଷରୁ ମଦ ମିଳିବ । ଇକୋ ରିଟ୍ରିଟ୍ ସମୟରେ ସମୁଦ୍ର ବେଳାଭୂମିରେ ମଦ ବିକ୍ରି ପାଇଁ ଓଟିଡିସିକୁ ଅସ୍ଥାୟୀ ଲାଇସେନ୍ସ ଦିଆଯିବ। ବିଚ ସାକ୍ସରେ ବାର୍ଷିକ ଲାଇସେନ୍ସ ଦର ରହିବ ୫୦ହଜାର ଟଙ୍କା । ଏହାକୁ ଓଟିଡିସି ପାଖରେ ପୈଠ କରାଯିବ । ତେବେ ରାଜ୍ୟର କେଉଁ ବେଳାଭୂମିରେ ବିଚ ସାକ୍ସ କରାଯିବ, ସେନେଇ ପର୍ଯ୍ୟଟନ ବିଭାଗ ନିଷ୍ପତ୍ତି ନେବ । ରାଜ୍ୟରେ ପର୍ଯ୍ୟଟନର ବିକାଶ ଲକ୍ଷ୍ୟ ନେଇ ବିଚ ସାକ୍ସରେ ମଦ ବିକ୍ରିକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି ।

ପୁଣି ବିଚ୍ ସାକ୍ସ ପୁଣି ବିବାଦ !

ପୂର୍ବତନ ବିଜେଡି ସରକାର ସମୟରେ ମଧ୍ୟ ବେଳାଭୂମିରେ ବିଚ ସାକ୍ସ ନିର୍ମାଣ ନିଷ୍ପତ୍ତି ନିଆଯାଇଥିଲା। ଏପରିକି ପର୍ଯ୍ୟଟନ ବିଭାଗ ପକ୍ଷରୁ ଏଥିପାଇଁ ସ୍ଥାନ ଚିହ୍ନଟ କରାଯାଇଥିଲା । ଗୋଆ ଭଳି ବେଳାଭୂମିର ମୁକ୍ତ ଆକାଶ ତଳେ ପର୍ଯ୍ୟଟକ ବିଦେଶୀ ପାନୀୟର ମଜା ନେବେ। ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ନୂଆ ଦିଶା ମିଳିବ । ରାଜ୍ୟ ବାହାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଏଭଳି ପ୍ରୟାସ କରିଥିଲେ ବିଜେଡି ସରକାର । ପୁରୀ ସମେତ ରାଜ୍ୟର ୬ଟି ବେଳାଭୂମିରେ ୨୦ଟି ବିଚ୍ ସାକ୍ସ ଖୋଲିବାକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଓଟିଡିସି ମାଧ୍ୟମରେ ଟେଣ୍ଡର ଡକାଯାଇଥିଲା । ତେବେ ତତ୍କାଳୀନ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ ହେବା ପରେ ପୁନର୍ବିଚାର କରାଯାଇଥିଲା । ଏବେ ପୁଣି ବିଚ ସାକ୍ସ କରିବାକୁ ବିଜେପି ସରକାର ନିଷ୍ପତ୍ତି ନେଇଛନ୍ତି, ତେଣୁ ପୁଣି ବିରୋଧର ଝଡ଼ ଆସିପାରେ ବୋଲି ଚର୍ଚ୍ଚା ହେଉଛି ।

ଶଙ୍କରାଚାର୍ଯ୍ୟ କରିଥିଲେ ବିରୋଧ

ପୂର୍ବ ସରକାରର ବିଚ୍ ସାକ୍ସ ନିଷ୍ପତ୍ତିକୁ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ସହ ୨୫ରୁ ଅଧିକ ସଂଗଠନ ବିରୋଧ କରିଥିଲେ। ଓଡିଆଙ୍କ ଆସ୍ଥାର ପୀଠ ଶ୍ରୀମନ୍ଦିର ପୁରୀରେ ଥିବା ବେଳେ ବିଚ୍ ସାକ୍ସ ଖୋଲିବା ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଇଥିଲା । ଉତ୍କଳୀୟ ଓ ଜଗନ୍ନାଥ ସଂସ୍କୃତିକୁ କଳୁଷିତ କରାଯାଉଥିବା ସେତେବେଳେ ଅଭିଯୋଗ ହୋଇଥିଲା । ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରରେ ମଦର ଏଭଳି ପ୍ରସାରକୁ ଶଙ୍କରାଚାର୍ଯ୍ୟ ବିରୋଧ କରିଥିଲେ । ପୁରୀ ବେଳାଭୂମିରେ ବିଚ ସାକ୍ସ ନଖୋଲିବାକୁ ବିଭିନ୍ନ ସଂଗଠନ ଦାବି କରିଥିଲେ । ଫଳରେ ଲୋକଙ୍କ ଧାର୍ମିକ ଭାବାବେଗକୁ ସମ୍ମାନ ଦେବା ସହ ଏହି ନିଷ୍ପତ୍ତି ବଦଳାଇଥିଲେ ସରକାର । ପୁରୀ-କୋଣାର୍କ ବେଳାଭୂମିରେ ହେବାକୁ ଥିବା ବିଚ ସାକ୍ସ ନିଷ୍ପତ୍ତି ରଦ୍ଦ କରାଯାଇଥିଲା ।

ସେବେ ବିରୋଧ ଏବେ ରାଜି !

ବିଜେଡି ସରକାର ସମୟରେ ବିଚ୍ ସାକ୍ସ ଖୋଲାକୁ ଜୋରଦାର ବିରୋଧ ହୋଇଥିଲା । ରାଜ୍ୟର ସବୁଠୁ ଅଧିକ ପର୍ଯ୍ୟଟକଙ୍କ ଭିଡ ଲାଗୁଥିବା ପୁରୀ-କୋଣାର୍କ ବେଳାଭୂମିରେ ବିଚ ସାକ୍ସ ଖୋଲା ନିଷ୍ପତ୍ତି ପ୍ରତ୍ୟାହାର କରାଯାଇଥିଲା। ଗୋପାଳପୁରରେ ବି ବିଚ ସାକ୍ସକୁ ବିରୋଧ ହୋଇଥିଲା । ଏବେ ରାଜ୍ୟ ସରକାର କେଉଁଠାରେ ବିଚ ସାକ୍ସ ଖୋଲିବେ ସେନେଇ ନିଷ୍ପତ୍ତି ହୋଇନି । ତେବେ ଓଡିଆ ଅସ୍ମିତାର କଥା କହି ସରକାରକୁ ଆସିଥିବା ବିଜେପି ସରକାର ବିଚ୍ ସାକ୍ସକୁ ନେଇ ବିରୋଧର ସାମନା କରିପାରନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button