ରାଜ୍ୟ
ମହାନଦୀରେ ନିଖୋଜ ଆଉ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର, ପରୀକ୍ଷା ଦେଇ ଗାଧୋଇବାକୁ ଯାଇଥିଲେ

କଟକ: କଟକ ଜଗତପୁର ନିକଟ ବାଲିସାହି ଅଞ୍ଚଳରେ ମହାନଦୀରେ ଶୁକ୍ରବାର ଗାଧୋଉଥିବା ଅବସ୍ଥାରେ ବୁଡି ଯାଇ ନିଖୋଜ ଥିବା ନାବାଳକଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ତାଙ୍କ ନାମ ମନୋରଞ୍ଜନ ବେହେରା। ପ୍ରଥମେ ମହାନଦୀରେ ବୁଡି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିବା ବେଳେ ଅନ୍ୟ ଜଣେ ନିଖୋଜ ରହିଥିଲେ। ସୂଚନାନୁଯାୟୀ, ଜଗତପୁର ରାଜକିଶୋର ବିଦ୍ୟାପୀଠରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ୧୧ ଜଣ ଛାତ୍ର ସାହିତ୍ୟ ପରୀକ୍ଷା ଶେଷ ହେବା ପରେ ଘରକୁ ଯିବା ପରିବର୍ତ୍ତେ ନଦୀ କୂଳକୁ ଆସିଥିଲେ।
ଏହି ସମୟରେ ଦୁଇ ଛାତ୍ର ଆର୍ଯ୍ୟନ ନାୟକ ଓ ମନୋରଞ୍ଜନ ବେହେରା ନଦୀକୁ ଗାଧୋଇବା ପାଇଁ ଯାଇ ପାଣିରେ ବୁଡି ଯାଇଥିଲେ। ଖବର ପାଇ ଅଗ୍ନିଶମ ଓ ଓଡ୍ରାଫର ୨ଟି ଟିମ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଅନେକ ସମୟ ଖୋଜାଖୋଜି କରିବା ପରେ ଆର୍ଯ୍ୟନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଆଜି ମନୋରଂଜନଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ। ଏହି ଅଘଟଣ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।




